କଟକ: କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫ (ଜୁଭେନାଇଲ୍ ଜଷ୍ଟିସ୍ (କେୟାର ଆଣ୍ଡ ପ୍ରୋଟେକ୍ସନ୍ ଅଫ୍ ଚିଲ୍‌ଡ୍ରେନ୍) ଆକ୍ଟ)ର ଫଳପ୍ରଦ କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା ଓଡ଼ିଶା ଜୁଡିସିଆଲ ଏକାଡେମିରେ ଉଦଘାଟିତ ହୋଇଛି। ସୁପ୍ରିମକୋର୍ଟ ବିଚାରପତି ତଥା ସୁପ୍ରିମକୋର୍ଟ ଜୁଭେନାଇଲ ଜଷ୍ଟିସ କମିଟି ଅଧ୍ୟକ୍ଷ ଜଷ୍ଟିସ ଏସ.ରବୀନ୍ଦ୍ର ଭଟ୍ଟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଶିଶୁଙ୍କ ପାଇଁ ଆଇନରେ ରହିଥିବା ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଶିଶୁଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦୂର ଓ ଶିଶୁ ଯତ୍ନ ଗୃହ ଗୁଡିକର ସ୍ଥିତିରେ ଉନ୍ନତି ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଓଡ଼ିଶା ହାଇକୋର୍ଟ ଆନୁକୂଲ୍ୟରେ ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ୟୁନିସେଫ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମଦନ ବି.ଲୋକୁର ଯୋଗ ଦେଇ ଆଇନ ସହିତ ଦ୍ବନ୍ଦ୍ବରେ ଥିବା ଶିଶୁ ଓ ପୀଡିତ ଶିଶୁଙ୍କୁ ଫଳପ୍ରଦ ଆଇନଗତ ସହାୟତା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ଓଡିଶା ହାଇକୋର୍ଟର ମୁଖ୍ୟ  ବିଚାରପତି ଡକ୍ଟର ଜଷ୍ଟିସ. ଏସ୍‌. ମୁରଲୀଧର ଯୋଗ ଦେଇ ଶିଶୁମାନଙ୍କ ଅଧିକାର ଓ କିଶୋର ନ୍ୟାୟ ଆଇନରେ ଥିବା ବିିଭିନ୍ନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ହାଇକୋର୍ଟ ଜୁଭେନାଇଲ ଜଷ୍ଟିସ କମିଟି ଅଧ୍ୟକ୍ଷ ଜଷ୍ଟିସ ଦେବବ୍ରତ ଦାଶ ଯୋଗ ଦେଇ ଶିଶୁମାନଙ୍କ ସଂପର୍କିତ ସମସ୍ୟା କ୍ଷେତ୍ରରେ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବା ସପକ୍ଷରେ ମତ ଦେଇଥିଲେ। କର୍ତ୍ତୃପକ୍ଷ ଏପରି ପ୍ରସଂଗରେ କୌଣସି ବିଳମ୍ବ ଯେପରି ନ ହେବ ତାହା ସୁନିଶ୍ଚିତ କରିବା ଦରକାର ବୋଲି ସେ କହିଥିଲେ।

Advertisment

ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିସନ ଶକ୍ତି କମିସନର ତଥା ସଚିବ ଭାସ୍କର ଶର୍ମା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ୟୁନିସେଫ ଶିଶୁ ସୁରକ୍ଷାର ମୁଖ୍ୟ ସୋଲେଦାଦ ହେରେରୋ, ମୁଖ୍ୟ‌ କ୍ଷେତ୍ର ଅଧିକାରୀ ଡକ୍ଟର ମୋନିକା ନିଏଲସନ୍ ପ୍ରମୁଖ ଉଦବୋଧନ ଦେଇ ଆଇନ ସହିତ ଦ୍ବନ୍ଦ୍ବରେ ଥିବା ଶିଶୁଙ୍କ ଥଇଥାନ ଉପରେ ଗୁରୁତ୍ବାରୋପ କରିଥିଲେ। ଓଡ଼ିଶା ହାଇକୋର୍ଟ ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି କର୍ମଶାଳାରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ଓ ଛତିଶଗଡ଼ ରାଜ୍ୟର ସମସ୍ତ ଜୁଭେନାଇଲ ଜଷ୍ଟିସ ବୋର୍ଡର ପ୍ରିନ୍ସପାଲ ମାଜିଷ୍ଟ୍ରେଟ୍, ଚିଲ୍‌‌ଡ୍ରେନ୍ କୋର୍ଟର ବିଚାରପତି, ଶିଶୁ ସୁରକ୍ଷା ସହିତ ଜଡିତ ଅଧିକାରୀ ଯୋଗ ଦେଇଛନ୍ତି। ଏଥି ସହିତ ରାଜ୍ୟର ସମସ୍ତ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ, ଏସଜେପିୟୁ, ଡିସିପିଓ ପ୍ରତିନିଧି, ସୁଧାରଗୃହର ଅଧୀକ୍ଷକ, ଏନସିପିଆର, କେନ୍ଦ୍ର ସରକାର, ଓଏସସିପିଏସ, ଡବ୍ଲୁ ଆଣ୍ଡ ସିଡି, ୟୁନିସେଫ, ଏନଜିଓ, ଏନଏଲୟୁ, ସେଣ୍ଟର ଫର ଚାଇଲ୍ଡ ରାଇଟ୍ସ, ସିଭିଲ ସୋସାଇଟି ଅନୁଷ୍ଠାନ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କର୍ମଶାଳା ୨୪ ତାରିଖ ଯାଏ ଚାଲିବ।