ସିଏମ୍‌ସି କାର୍ଯ୍ୟାଳୟ ପରିସରରେ ବି ଏ ଅବସ୍ଥା; ମାଟିରେ ପୋତି ହୋଇଛି ଡ୍ରେନ୍‌

କଟକ: ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଉଛି ଡ୍ରେନ। ହେଲେ ବ‌େର୍ଷ ନପୂରୁଣୁ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ଥା ଖରାପ ହୋଇଯାଉଛି। ମାଟିରେ ନାଳ ଭରିଯିବା ସହିତ ଏହା ମଧ୍ୟରେ ଅନାବନା ଗଛ ବଢି ପାଣି ନିଷ୍କାସନରେ ସମସ୍ୟା ହେଉଛି। ଏହା ସହରର ଅନ୍ୟ କେଉଁ ଅଞ୍ଚଳରେ ନୁହେଁ, ମାତ୍ର ମହାନଗର ନିଗମ ବିଜୁ ଭବନ କାର୍ଯ୍ୟାଳୟରୁ ମାରୁତି ମଣ୍ଡପସ୍ଥିତ ହନୁମାନ ମନ୍ଦିର ମଧ୍ୟରେ ଥିବା ଡ୍ରେନର ଅବସ୍ଥା ଏପରି ହୋଇଛି।

୫୦ ମିଟରରୁ କମ ଉକ୍ତ ନାଳଟିକୁ ଦେଖିଲେ ସହର ମଧ୍ୟରେ ସିଏମସିର ‌ଡ୍ରେନ ସଫେଇ କାର୍ଯ୍ୟକ୍ରମ କିପରି ହେଉଛି ତାହା ସହଜରେ ଅନୁମାନ କରିହେବ। ସିଏମସି କାର୍ଯ୍ୟାଳୟରୁ ବର୍ଷା ପାଣି ନିଷ୍କାସନ ପାଇଁ ଥିବା ନାଳର ଏପରି ସ୍ଥିତିକୁ ଦେଖିଲେ। ସହରର ଅନ୍ୟ ନର୍ଦ୍ଦମାର ଅବସ୍ଥାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ମହାନଗର ନିଗମ ୱାର୍ଡ ନମ୍ବର ୨୧ ଅଧିନରେ ଥିବା ସିଏମସିର ବିଜୁ ଭବନ କାର୍ଯ୍ୟାଳୟରୁ ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ହୋଇଛି। ଗତ ବର୍ଷ ୨୦୧୯ ଜୁନ ମାସରେ ସିଏମସି କାର୍ଯ୍ୟାଳୟର ମୁଖ୍ୟ ପାଠକ ନିକଟରୁ ମାରୁତି ମଣ୍ଡପସ୍ଥିତ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏହାକୁ ନିର୍ମାଣ କରାଯାଥିଲା। ୨ ଲକ୍ଷ ୩୦ ହଜାର ଟଙ୍କାରେ ଜୁନ ୨୮ରେ ଡ୍ରେନ ନିର୍ମାଣ କାମ ଆରମ୍ଭ ହୋଇ ଜୁଲାଇ ୨୭ରେ ଶେଷ ହୋଇଥିଲା। କଟକ ସଦର ପଞ୍ଚାୟତ ସମିତି ଦ୍ବାରା ‌ଡ୍ରେନ କାମ କରାଯାଇଥିଲା। ବର୍ଷକ ତଳେ ନିର୍ମାଣ ହୋଇଥିବା ‌ନାଳର ଅବସ୍ଥା ଏବେ ଖରାପ।

ଡ୍ରେନ ମଧ୍ୟରେ ଦୁଇ ଫୁଟର ମାଟି ଜମି ରହିଥିବା ବେଳେ ଏହା ମଧ୍ୟରେ ଲତା ଗଛ ବଢିଯାଇଛି। ସିଏମସି କାର୍ଯ୍ୟାଳୟ ସହିତ ସଂଯୁକ୍ତ ଥିବା ଡ୍ରେନଟିକୁ ବ‌ର୍ଷକ ମଧ୍ୟରେ ସଫା କରାନଯିବା ଏହାର ଚିତ୍ର କହୁଛି। ମହାନଗର ନିଗମ କାର୍ଯ୍ୟାଳୟରୁ ବର୍ଷା ପାଣି ନିଷ୍କାସନ ପାଇଁ ଓ ସିଏମସି କାର୍ଯ୍ୟାଳକୁ ଲାଗିକି ଥିବା ଉକ୍ତ ଡ୍ରେନର ଅବସ୍ଥାକୁ ଦେଖିଲେ। ସିଏମସିର ପ୍ରତି ୱାର୍ଡର ଗଳି କନ୍ଦିର ଥିବା ନାଳକୁ ନିଗମ ପକ୍ଷରୁ କିପରି ସଫା କରାଯାଉଛି ଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଯାଉଛି ତାହା ସହଜରେ ଅନୁମାନ କରାଯାଇ ପାରେ।

ସିଏମସି କାର୍ଯ୍ୟାଳୟରୁ ବର୍ଷା ପାଣି ନିଷ୍କାସନ ପାଇଁ ଗୋଟିଏ ବର୍ଷ ମଧ୍ୟରେ ନିର୍ମାଣ ହୋଇଥିବା ଡ୍ରେନର ଅବସ୍ଥା ଏପରି ହେବା ନିଗମର ନର୍ଦ୍ଦମା ସଫେଇ କାମର ବାସ୍ତବତାକୁ ପ୍ରକାଶ କରୁଛି। ପ୍ରତିଦିନ ଉକ୍ତ ଡ୍ରେନ ଦେଇ ନିଗମର କର୍ତ୍ତୃପକ୍ଷ ଯିବା ଆସିବା କରୁଥିବା ବେଳେ କାହାର ଦୃଷ୍ଟି ଏହା ଉପରେ ପଡୁନାହିଁ। ସେପଟେ ଲୋକଙ୍କ ଟିକସ ଟଙ୍କାରେ ନିର୍ମାଣ ହେଉଥିବା କାର୍ଯ୍ୟର ରକ୍ଷଣାବେକ୍ଷଣ ଦାୟିତ୍ବକୁ ମଧ୍ୟ ନିଗମ ସୁଚାରୁ ରୂପେ ତୁଲାଇ ପାରୁନଥିବାର ସାଧାରଣରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର