ବେତନଟୀ ସଦର: ସାଇବର ଫ୍ରଡର ନୂଆ ତରିକା ଡିଜିଟାଲ ଆରେଷ୍ଟ ଫାଶରେ ସାରା ଓଡ଼ିଶା ପଡ଼ିଥିବାବେଳେ ନିକଟରେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳର ମଧ୍ୟ ୨ଜଣ ସାଇବର ଅପରାଧୀଙ୍କ ଜାଲରେ ଫସି ମୋଟା ଅଙ୍କରେ ଲୁଟର ଶିକାର ଅଭିଯୋଗ ହୋଇଥିଲା। ହେଲେ ଆଜି ପଶ୍ଚିମବଙ୍ଗର କୋଲକାତା ସାଇବର ସେଲ୍ ଓଡିଶାରୁ ୨ ଯୁବକଙ୍କୁ ଗିରଫ କରିଥିବା ବେଳେ ଏହାର ମାଷ୍ଟରମାଇଣ୍ଡ ଅନ୍ୟ ଜଣେ ଯୁବକ ଏବେବି ଫେରାର ଅଛି। ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ବୈଶିଙ୍ଗା ଥାନା ଅଞ୍ଚଳର, ଯୋଉଁଥିପାଇଁ ଡିଜିଟାଲ ଆରେଷ୍ଟ ତରିକାର ନେଟୱାର୍କ ବଢୁଥିବା ନେଇ ଚର୍ଚ୍ଚା ହେଉଛି।

Advertisment

ସୂଚନା ଅନୁଯାଇ କୋଲକାତାର ଭବାନୀପୁର ଅଞ୍ଚଳର ରାହୁଲ ନନ୍ଦନ ଦାସଙ୍କୁ ହ୍ଵାଟ୍ସଆପରେ କଲ କରି କି କହିଥିଲେ କି ଆପଣଙ୍କ ନାମରେ ସୁପ୍ରିମକୋର୍ଟରେ ମାମଲା ହୋଇଛି ଓ ଆପଣ ଡିଜିଟାଲି ଆରେଷ୍ଟ ହୋଇଛନ୍ତି। ବହୁତ ଶୀଘ୍ର ଆପଣଙ୍କୁ ଘରୁ ଗିରଫ କରାଯିବ। ସେ ନିଜକୁ ପୁଲିସ ବିଭାଗର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ପରେ ଉକ୍ତ କେସକୁ ରଫାଦଫା କରିବା ପାଇଁ ତାକୁ ଲକ୍ଷାଧିକ ଟଙ୍କା ଡିମାଣ୍ଡ କରିଥିଲେ। ଅନ୍ୟ ଉପାୟ ନପାଇ ରାହୁଲ ପର୍ଯ୍ୟାୟକ୍ରମେ ସେମାନଙ୍କୁ ୪୫ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ହେଲେ ପରେ ଆହୁରି ଅଧିକ ଟଙ୍କା ଡିମାଣ୍ଡ କରିବାରୁ ରାହୁଲ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବାକୁ ପାଇଥିଲେ ଓ କୋଲକାତା ଲାଲବଜାରସ୍ଥିତ ସାଇବର ଥାନାରେ ଏନେଇ ଅଭିଯୋଗ କରିଥିଲେ।

ପୁଲିସ ଏନେଇ ୪୦/୨୪ରେ ଏକ ସାଇବର ମାମଲା ରୁଜୁ କରି ଇନ୍ସପେକ୍ଟର ପିୟାଲି ବରୁଆ ଏହାର ତଦନ୍ତ ଭାର ଗ୍ରହଣ କରିଥିଲେ। ପରେ ମୋବାଇଲ ନଂ ଓ ବ୍ୟାଙ୍କ ଡିଟେଲ ମାଧ୍ୟମରେ ତଦନ୍ତ କରି ସେ ଜାଣିବାକୁ ପାଇଥିଲେ କି ଏହି ମାମଲାର ଏକାଧିକ ଆସାମୀ ଓଡ଼ିଶାର। ପରେ ମୋବାଇଲ ନଂ ଟ୍ରାକ କରି ପିୟାଲୀ ବରୁଆ, ଏସଆଇ ଇନ୍ଦ୍ରନିଲ ଘୋଷ ଓ ତାଙ୍କ ଟିମ କଟକ ସଦର ଥାନା ଅଞ୍ଚଳରେ ଚଢ଼ାଉ କରି ବାଲେଶ୍ୱର ଅଞ୍ଚଳର ଯୁବ ଇଞ୍ଜିନିଅର ଦୀପଙ୍କର ମହାନ୍ତିଙ୍କୁ ସୋମବାର ରାତିରେ ଗିରଫ କରିଥିବାବେଳେ ଉକ୍ତ ମାମଲାରେ ଜଡିତ ଅନ୍ୟ ଜଣେ ଯୁବକ ବୈଶିଙ୍ଗା ଥାନା ଅଧୀନ ବର୍ତ୍ତନା ଗ୍ରାମର ଆଦିତ୍ୟ ସାହୁକୁ ବୈଶିଙ୍ଗା ପୁଲିସ ସହାୟତାରେ ଗିରଫ କରିଥିଲେ। ହେଲେ ଉକ୍ତ ଠକେଇର ମାଷ୍ଟରମାଇଣ୍ଡ ଭୁବନେଶ୍ୱର ଅଞ୍ଚଳର ଅଜୟ କୁମାର ଏବେବି ପୁଲିସ ହାତରେ ଧରା ପଡ଼ି ନାହିଁ। ଇନ୍ସପେକ୍ଟର ପିୟାଲିଙ୍କ କହିବା କଥା ଏହି ଠକାମୀର ଚେର ଦୁବାଇ ଓ ଚୀନରୁ ଲମ୍ବିଛି ଏବଂ ଟଙ୍କା ଏଠାରୁ ତାଙ୍କ ଏକାଉଣ୍ଟକୁ ଯାଉଛି।