ବଲାଙ୍ଗୀର: ବଲାଙ୍ଗୀର ସାଇବର ଥାନା ପୁଲିସ ଝାଡ଼ଖଣ୍ଡ ରାଜ୍ୟରୁ ଜଣେ ସାଇବର ଠକକୁ ଗିରଫ କରିଛି। ଗିରଫ ସାଇବର ଠକ ଝାଡ଼ଖଣ୍ଡ ରାଜ୍ୟ ଦେଓଗଡ଼ ଜିଲ୍ଲା ସରଥ ଥାନା ଅଞ୍ଚଳର ରୋହିତ ଠାକୁର ବୋଲି ଜଣାପଡ଼ିଛି। ଏନେଇ ବଲାଙ୍ଗୀର ଏସ୍‌ଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ଖପ୍ରାଖୋଲ ବ୍ଲକ୍‌ର ଗଣେଶ ପ୍ରଧାନ ଅନ୍‌ଲାଇରେ ଗୁଗୁଲ ଲିଙ୍କ୍‌ରେ କିଛି ସମାଗ୍ରୀ କିଣି ୯୯,୮୮୯ ଟଙ୍କା ଠକେଇର ଶିକାର ହୋଇଥିଲେ। ଏନେଇ ବଲାଙ୍ଗୀର ସାଇବର ଥାନାରେ ସେ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୁଲିସ ଘଟଣାର ତଦନ୍ତ କରିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଝାଡ଼ଖଣ୍ଡ ଯାଇ ସେଠାକାର ପୁଲିସ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ଟିମ୍‌ରେ ସାଇବର ଥାନା ଏସ୍‌ଆଇ ଅଭିନାଶ ନାୟକ, ଏସ୍‌ଆଇ ଧବଳେଶ୍ବର ମାଝୀ, ରିପନ ମିଶ୍ର ସାମିଲଥିଲେ। ଏମାନେ ଝାଡ଼ଖଣ୍ଡରୁ ଅଭିଯୁକ୍ତ ରୋହିତକୁ ଗିରଫ କରିଥିଲେ। ତା’ ନିକଟରୁ ୪ଟି ମୋବାଇଲ୍‌ ସିମକାର୍ଡ, ଗୋଟିଏ ମୋବାଇଲ ଫୋନ୍‌ ଜବତ କରିଥିଲା। ଶୁକ୍ରବାର ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟଚାଲାଣ କରାଯାଇଥିବା ଶ୍ରୀ ବାଗ ସୂଚନା ଦେଇଛନ୍ତି।