ସୁନ୍ଦରଗଡ଼: ଅନଲାଇନ୍ ଠକଙ୍କ ଟାର୍ଗେଟରେ ମୋବାଇଲ ବ୍ୟବହାରକାରୀ। ଏ ନେଇ ଗଣମାଧ୍ୟମ ଓ ପୁଲିସ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଅନେକ ଲୋକେ ଲୋଭରେ ପଡ଼ି ସର୍ବସ୍ବାନ୍ତ ହେଉଛନ୍ତି। ଘଟଣାକ୍ରମେ, ଗିଫ୍ଟ ଭାଉଚର ନାମରେ ଅନଲାଇନ୍ ଠକେଇରେ ପଡ଼ିଛନ୍ତି ସୁନ୍ଦରଗଡ଼ର ଜଣେ ଇଟିଲି ଦୋକାନୀ। ସହରର ମୁଖ୍ୟ ଡାକଘର ସମ୍ମୁଖରେ ଛୋଟ ଠେଲା ଦୋକାନରେ ଇଟିଲି ବିକୁଥିବା ଜଗନ୍ନାଥ ସାହୁଙ୍କ ଜମାଖାତାରୁ ଦୁଇ ଥରରେ ୪୪ ହଜାର ଉଠାଇ ନେଇ ଯାଇଛି ଅନଲାଇନ ଠକ। ଏ ନେଇ ଜଗନ୍ନାଥ ଟାଉନଥାନାର ଏତଲା ଦେଇଛନ୍ତି। ପୁଲିସ ତାର ଅନୁସନ୍ଧାନ ଆରମ୍ଭ କରିଛି। ସୂଚନା ଅନୁସାରେ, ଅମରନାଥ ଯାତ୍ରାରେ ଯାଇଥିବା ଜଗନ୍ନାଥ ସୋମବାର ଅପରାହ୍ନରେ ସୁନ୍ଦରଗଡ଼ ଫେରି ଘରେ ବିଶ୍ରାମ ନେଇଥିଲେ।

Advertisment

ଠିକ୍ ଏହି ସମୟରେ ତାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କିଏ ଜଣେ କଲ୍ କରି ତାଙ୍କ ନାମରେ ଗିଫ୍ଟ ଭାଉଚରଟେ ଲାଗିଥିବା ଜଣାଇ ମୋବାଇଲରେ କିଛି ଅପସନକୁ ଡାଉନଲୋଡ୍ କରିବାକୁ କହିଥିଲା। ଜଗନ୍ନାଥ ଡାଉନଲୋଡ୍ କରିବା କ୍ଷଣି ତାଙ୍କ ବ୍ୟାଙ୍କ ଜମାଖାତାରୁ ୧୪ ହଜାର ଟଙ୍କା କଟି ଯାଇଥିଲା। ଏହା ପରେ ପରେ ପୁଣି କଲ୍ କରି ସମ୍ପୃକ୍ତ ବ୍ୟକ୍ତି ଭୁଲରେ ତମ ଟଙ୍କା କଟି ଯାଇଛି ଫେରସ୍ତ ପାଇଯିବ କହି ଜମାଖାତାର ଆଉ କିଛି ସୂଚନା ମାଗିଥିଲା। ଜଗନ୍ନାଥ ତାଙ୍କ ପୁଅ ଶିବମ ମୋବାଇଲ ଦେଇ କଥା ହେବାକୁ କହିଥିଲେ। ପୁଅ ଶିବମ ଟଙ୍କା ଫେରି ପାଇବା ଆଶାରେ ତଥ୍ୟ ଦେଇଥିଲେ। ଏହା ପରେ ଜମାଖାତାରୁ ଧଡ଼ କରି ୩୦ ହଜାର ଟଙ୍କା କଟି ଯାଇଥିା। ବାପପୁଅ ତଥାପି ଟଙ୍କା ଫେରିପାଇବା ଆଶା ରଖି ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପରେ ଠକାମିରେ ପଡ଼ିଥିବା ଜାଣି ଥାନା କୁ ଯାଇଥିଲେ।