ବାଙ୍କିଡି ଗାଁରେ ଚାଞ୍ଚଲ୍ୟ: ‘କାଳିଆ’ ନାଁରେ ସାଇବର ଠକେଇ, ୪ଜଣଙ୍କ ଆକାଉଣ୍ଟ୍‌ରୁ ୪୦ହଜାର ଗାଏବ

ନିଜକୁ ବ୍ଲକ କର୍ମଚାରୀ ବୋଲି ପରିଚୟ ଦେଲା, -ଆଧାରକାର୍ଡ଼ ମାଗିଲା, ମେସିନରେ ଟିପ ମରାଇଲା

ଖଜୁରିଆକଟା: ସାଇବର ଠକେଇ ପାଇଁ ନୂଆ ଫନ୍ଦୀ। ‘କାଳିଆ’ ଯୋଜନାକୁ କଲେ ଢାଲ। ଲୋକଙ୍କଠାରୁ ଟିପ ଚିହ୍ନ ନେଇ ଲୁଟିନେଲେ ଟଙ୍କା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ବାଲିମୀ ଥାନା ବାଙ୍କିଡି ଗାଁରେ ଆଜି ଏମିତି ଅଭିନବ ଉପାୟରେ ଲୋକଙ୍କ ଏକାଉଣ୍ଟରୁ ଟଙ୍କା ଲୁଟ୍ କରାଯାଇଛି। ଗାଁର ୪ଜଣ ଲୋକଙ୍କ  ଆକାଉଣ୍ଟ୍‌ରୁ ୪୦ହଜାର ଟଙ୍କା ଗାଏବ ହୋଇଥିବା ଲୋକେ ପ୍ରକାଶ କରିଛନ୍ତି।

ଘଟଣାଟି ଦିନ ପ୍ରାୟ ୧୦ଟା ବେଳେ ଘଟିଥିଲା। ଜଣେ ଅଜଣା ଯୁବକ ହଠାତ୍‌ ବାଙ୍କିଡି ଗାଁରେ ଏକ ମେସିନ୍‌ ନେଇ ପହଞ୍ଚିଥିଲା। ନିଜକୁ ବ୍ଲକର କର୍ମଚାରୀ ବୋଲି ପରିଚୟ ଦେଇଥିଲା। ଲୋକଙ୍କୁ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରିବା ସହିତ କେଉଁମାନଙ୍କୁ କାଳିଆ ଯୋଜନାରେ ଟଙ୍କା ମିଳିନାହିଁ ବୋଲି ପଚାରି ଥିଲା। ସହାୟତା ଆଶାରେ ଲୋକେ ରୁଣ୍ଡ ହୋଇଥିଲେ। ନିଜ ଆଡ଼ୁ ସବୁ କଥା କହି ପକାଇଥିଲେ।

ଏହି ସାଇବର ଠକ କାଳିଆ ଟଙ୍କା ନ ମିଳିବାର ଭିନ୍ନ କାରଣ ଦର୍ଶାଇଥିଲା। କହିଥିଲା, ଆଧାର ଲିଙ୍କ୍‌ ହୋଇନାହିଁ ବୋଲି ଖାତାକୁ ଟଙ୍କା ଆସିନାହିଁ। ତେଣୁ, ଆଧାରକାର୍ଡ ନେଇ ଆସିଲେ ଟଙ୍କା ଆସିବ ବୋଲି ଲୋକଙ୍କୁ ଭଣ୍ଡାଇଥିଲା। ସହାୟତା ପାଇବା ଆଶା ଲୋକଙ୍କର ଏମିତି ଥିଲା ଯେ, ଲୋକେ ନିଜ ଘରୁ ଆଧାର କାର୍ଡ ଆଣି ଦୁର୍ବୃତ୍ତକୁ ଦେଇଥିଲେ। ଠକ ଆଣିଥିବା ମେସିନ୍‌ରେ ଟିପ ଚିହ୍ନ ଦେବାକୁ କହିଥିଲା। ଟିପ ଚିହ୍ନ ଦେଇ ଆଧାର ଲିଙ୍କ୍‌ କରିବାକୁ ପ୍ରବର୍ତ୍ତାଇ ଥିଲା। ଠକ କଥାରେ ପଡ଼ି ଗାଁର ପ୍ରାୟ ୫୦ଲୋକ ଟିପ ଚିହ୍ନ ଦେଇଥିଲେ।

ଠକ ଗାଁରୁ ଗଲା ପରେ ଗାଁର ବ୍ରଜବନ୍ଧୁ ବିଶ୍ବାଳ, ଈଶ୍ବର ବିଶ୍ବାଳ, ରମେଶ ବିଶ୍ବାଳ, ସୁରେଶ ସାହୁଙ୍କ ଜମାଖାତାରୁ ୧୦ହଜାର ଲେଖାଏ ଟଙ୍କା କଟିଥିବା ମୋବାଇଲ୍ ମେସେଜ୍‌ରୁ ଜାଣିବାକୁ ପାଇଥିଲେ। ଅନ୍ୟମାନଙ୍କର କେତେ ଟଙ୍କା କଟିଛି ଲୋକେ ତାହା ଜାଣି ପାରି ନାହାଁନ୍ତି। ‘କାଳିଆ’ ଯୋଜନା ନାଁରେ ଆମଠାରୁ ଟଙ୍କା ଠକି ନିଆଯାଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର