କେମିତି ହେବ ଝିଅ ବାହାଘର, ଟଙ୍କା ଲୁଟିନେଲେ ସାଇବର ଚୋର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସାଇବର ଠକେଇ ବଢିବାରେ ଲାଗିଛି। ନିରୀହ ଲୋକେ ଅଜାଣତରେ ସାଇବର ଠକଙ୍କ ମିଠା ମିଠା କଥାରେ ଫସି ନିଜର କଷ୍ଟାର୍ଜିତ ଟଙ୍କାକୁ ହରାଉଛନ୍ତି। ଏଭଳି ଏକ ସଦ୍ୟତମ ଘଟଣା ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଏମପିଭି-୩୧ ଗ୍ରାମର ସମୀର କୁମାର ଗୋପଙ୍କ ସହ ଘଟିଛି | ସେ ଝିଅ ବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଙ୍କାକୁ ସାଇବର ଠକ ଲୁଟି ନେଇଥିବା ଅଭିଯୋଗ କରିଛନ୍ତି | ଏନେଇ ଥାନାରେ ଏତଲା ଦେବା ପରେ ସାଇବର ସେଲ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଘଟଣା ଅନୁଯାୟୀ ସମୀର କାଲିମେଳା ଷ୍ଟେଟବ୍ୟାଙ୍କକୁ ଯାଇଥିବାବେଳେ ସେଠାରେ ତାଙ୍କୁ କ୍ରେଡିଟ କାର୍ଡ କରିବା ପାଇଁ କୁହାଯାଇଥିଲା। ସେଥିପାଇଁ ତାଙ୍କୁ ସମସ୍ତ ଡକୁମେଣ୍ଟ ଦେବାକୁ ପଡିବ ବୋଲି କୁହାଯାଇଥିଲା। ତେବେ ସେ ବ୍ୟାଙ୍କରୁ ଫେରିବା ପରେ ଏନେଇ ଚିନ୍ତା କରୁଥିଲେ। ତେବେ ହଠାତ୍ ଦିନେ ତାଙ୍କ ମୋବାଇଲକୁ ଏକ ଲିଙ୍କ ଆସିଥିଲା। ସେହି ଲିଙ୍କରେ ତୁମର ୟୁନୋ ବ୍ୟାଙ୍କ କାମ କରୁନଥିବା ଦର୍ଶାଇ ତୁରନ୍ତ ଚାଲୁ କରିବାକୁ କୁହାଯାଇଥିଲା। ସମୀର ୟୁନୋ ବନ୍ଦ ପଡିଥିବାରୁ ହୁଏତ ଚାଲୁ କଲେ କ୍ରେଡିଟ କାର୍ଡ ମିଳିବ ଭାବି ଲିଙ୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ତେବେ କିଛି ସମୟ ପରେ ଜଣେ ବ୍ୟକ୍ତି ଷ୍ଟେଟ ବ୍ୟାଙ୍କରୁ କହୁଥିବା କହି ତାଙ୍କର ସମସ୍ତ ବିବରଣୀ ଜାଣିବାକୁ ଚାହିଁଥିଲା। ତେବେ ସମୀର ତୁମେ ଫ୍ରଡ ନୁହଁ ତ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ।

ସେ, ‘ମୁଁ ବ୍ୟାଙ୍କରୁ କହୁଛି କିଛି ଫ୍ରଡ ହେବ ନାହିଁ। ମୋତେ ତୁମର ଓଟିପି ନମ୍ବର ଦିଅ ନାହିଁ। ତେବେ ତୁମର ସମସ୍ତ କାମ ମୁଁ କରିଦେଉଛି କହି ସେ ଏନିଡେସ୍କ ଡାଉନଲୋଡ କରିବାକୁ କହିଥିଲା’। ସମୀର ଏନିଡେସ୍କ ଡାଉନଲୋଡ କରୁ କରୁ କିଛି ମିନିଟ ଭିତରେ ପ୍ରଥମେ ୨ ଲକ୍ଷ ଟଙ୍କା ଚାଲିଯାଇଥିଲା। ସମୀର କିଛି ଭାବୁ ଭାବୁ ପୁଣି ୬୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଆଉ ଥରେ ୨୪୯୯୦ ଟଙ୍କା ତାଙ୍କ ଆକାଉଣ୍ଟରୁ କଟି ଚାଲିଲା। ସମୀର ସେହି ବ୍ୟକ୍ତିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ଆଉ ଫୋନ ଉଠାଇନଥିଲା। ସେ ଷ୍ଟେଟ ବ୍ୟାଙ୍କ ଯାଇ ଏସବୁ ବିଷୟରେ କହିବା ପରେ ବ୍ୟାଙ୍କ କର୍ମଚାରୀ ସାଇବର ଥାନାରେ କେଶ ରୁଜୁ କରିବାକୁ କହିଥିଲେ। ସମୀର ନିଜର ଝିଅ ବାହା ଘର ପାଇଁ ଟଙ୍କା ଯୋଗାଡ କରି ରଖିଥିଲେ। ତେବେ ଏତେ ଟଙ୍କା ସାଇବର ଠକ ଲୁଟି ନେଇଥିବାରୁ ସେ ଏବେ ଚିନ୍ତାରେ ପଡିଛନ୍ତି। କଣ କରିବେ କିଛି ବୁଝିପାରୁନାହନ୍ତି। ଏନେଇ ତାଙ୍କୁ ସହଯୋଗ କରାନଗଲେ ସେ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ପ୍ରକାଶ ଥାଉକି ସମୀର ଗୋପ ଜଣେ ଶିକ୍ଷକ। ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳିବା ସହ ତିନୋଟି ଝିଅଙ୍କ ବିବାହ ପାଇଁ ସେ ଟଙ୍କା ଜମା ରଖିଥିଲେ । ତେବେ ଏବେ ସେ ଟଙ୍କା ହରାଇ ସର୍ବସ୍ବାନ୍ତ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର