ସମ୍ବଲପୁରରେ ପୁଣି ସାଇବର୍‌ ଠକେଇ, ଫ୍ଲାଟ୍‌ ଭଡ଼ା ଦେବାକୁ ଦେଇଥିଲେ ବିଜ୍ଞାପନ

ଆର୍ମି ଅଫିସର୍‌ କହି ୭ ଲକ୍ଷ ନେଇଗଲା ସାଇବର୍‌ ଠକ

ସମ୍ବଲପୁର : ସମ୍ବଲପୁରରେ ସାଇବର୍‌ ଠକେଇ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅଇଁଠାପାଲି ଥାନା ଅଞ୍ଚଳର ଆଉଜଣେ ବୟସ୍କ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର୍‌ ଠକ ଜଣକ ତାଙ୍କ ଆକାଉଣ୍ଟରୁ ୭ ଲକ୍ଷ ଟଙ୍କା ଠକି ନେଇଥିବା ସେ ବୁଧବାର ସମ୍ବଲପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସାଇବର୍‌ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂଚନା ଅନୁଯାୟୀ, ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କର ବିଶାଖାପାଟଣାରେ ଏକ ଫ୍ଲାଟ୍‌ ରହିଛି। ଉକ୍ତ ଫ୍ଲାଟ୍‌କୁ ଭଡ଼ା ଦେବା ପାଇଁ ଏକ ୱେବ୍‌ସାଇଟ୍‌ରେ ବିଜ୍ଞାପନ ଦେଇଥିଲେ। ବିଜ୍ଞାପନ ଦେଖି ସାଇବର୍‌ ଠକ ତାଙ୍କୁ ସମ୍ପର୍କ କରିଥିଲା। ନିଜକୁ ଆର୍ମି ଅଫିସର୍‌ର ପରିଚୟ ଦେବା ସହିତ ଫ୍ଲାଟ୍‌ ଭଡ଼ା ନେବାକୁ କହିଥିଲା। ଆର୍ମି ଅଫିସର୍‌ ବୋଲି ବିଶ୍ବାସ କରି ଉକ୍ତ ସାଇବର ଠକକୁ ଫ୍ଲାଟ୍‌ ଭଡ଼ା ଦେବା ପାଇଁ ସମ୍ବଲପୁରର ବ୍ୟକ୍ତି ଜଣକ ରାଜି ହୋଇ ଯାଇଥିଲେ। ଏହାପରେ ସିକ୍ୟୁରିଟି ବାବଦକୁ କିଛି ଟଙ୍କା ଦେବାକୁ ବ୍ୟକ୍ତି ଜଣକ କହିଥିଲେ। ଟଙ୍କା ଦେବାକୁ ରାଜି ହେବା ପରେ ଆକାଉଣ୍ଟ ନିଶ୍ଚିତ କରିବା ପାଇଁ ୧୦ ଟଙ୍କା ପଠାନ୍ତୁ ବୋଲି ସାଇବର୍‌ ଠକ କହିଥିଲା। ଏହାପରେ ବ୍ୟକ୍ତି ଜଣକ ତାଙ୍କ ଆଇସିଆଇସିଆଇ ଆପ୍ଲିକେସନ୍‌ ମାଧ୍ୟମରେ ସାଇବର୍‌ ଠକ ଦେଇଥିବା ଆକାଉଣ୍ଟକୁ ୧୦ ଟଙ୍କା ପଠାଇଥିଲା। ସାଇବର୍‌ ଠକ ଟଙ୍କା ପଠାଉଛି କହି ଲିଙ୍କ୍‌ କ୍ଲିକ୍‌ କରିବାକୁ କହିଥିଲା। ସେ କହିବା ଅନୁଯାୟୀ ବ୍ୟକ୍ତି ଜଣକ ସାଇବର ଠକ ପଠାଇଥିବା ଲିଙ୍କରେ କ୍ଲିକ୍‌ କରିଥିଲେ। ଟଙ୍କା ଆସିବ ଭାବି ଏଭଳି ୧୦ରୁ ୧୫ ଲିଙ୍କ ସେ କ୍ଲିକ୍‌ କରିଥିଲେ। କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହେବା ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ଆକାଉଣ୍ଟରୁ ୭ ଲକ୍ଷ ଟଙ୍କା କାଟି ନେଇଥିଲା ସାଇବର୍‌ ଠକ। ଠକେଇର ଶିକାର ହୋଇସାରିଥିବା ଜାଣିବା ପରେ ବ୍ୟକ୍ତି ଜଣକ ବୁଧବାର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର