ଲକ୍‌ଡାଉନ୍‌ରେ ମାତିଛନ୍ତି ସାଇବର ଠକ: ପ୍ରଥମ ପାଇଁ ୧୫ ହଜାର ଓ ଦ୍ବିତୀୟ ଶ୍ରେଣୀରେ ପାସ କରାଇଦେବା ପାଇଁ ମାଗୁଛନ୍ତି ୮ ହଜାର!

ରାଉରକେଲା : ‘ରାଉରକେଲାରୁ ସୁସ୍ମିତା ଖାଲ୍‌କୋଙ୍କ ବାପା କହୁଛନ୍ତି କି? ମୁଁ କଟକ ବୋର୍ଡ ଅଫିସ୍‌ରୁ କହୁଛି। ଆସନ୍ତା ଜୁନ୍‌ ଶେଷ ସପ୍ତାହରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଉଛି। ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି। ଆପଣଙ୍କ ପିଲା ସବୁ ବିଷୟରେ ପାସ୍‌ କରିଛି। କେବଳ ଗଣିତ ଓ ବିଜ୍ଞାନ ଦୁଇଟି ବିଷୟରେ ଫେଲ୍‌ ହୋଇଛି। ଯଦି କହିବେ, ଆମେ ଆପଣଙ୍କ ପିଲାକୁ ପ୍ରଥମ ଶ୍ରେଣୀରେ ପାସ୍‌ କରିଦେବୁ। ଏଥିପାଇଁ ଆପଣ ବୋର୍ଡ ଅଧିକାରୀଙ୍କୁ ୧୭,୦୦୦ ଓ ଦ୍ବିତୀୟ ଶ୍ରେଣୀ ପାଇଁ ୮୦୦୦ ଟଙ୍କା ଦେବାକୁ ପଡିବ।

ଯେତେ ଶୀଘ୍ର ବୋର୍ଡ ଅଧିକାରୀଙ୍କୁ ଅନ୍‌ ଲାଇନ୍‌ରେ ଟଙ୍କା ପଠାଇବେ, ସେତେ ଶୀଘ୍ର ଆପଣଙ୍କ କାମ ହୋଇଯିବ।’’ ଗତକାଲିଠୁ ଏମିତି ଅଜଣା କଲ୍‌ ଆସୁଛି ସୁନ୍ଦରଗଡ଼ ଜିଲ୍ଲାର ଅଧିକାଂଶ ସ୍କୁଲର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପାଖକୁ। ସେମାନେ କାହାକୁ ଗଣିତ, ଇଂରାଜୀ ତ ଅନ୍ୟ କାହାକୁ ଭୂଗୋଳ, ସଂସ୍କୃତ ଓ ହିନ୍ଦୀରେ ଫେଲ୍‌ ହୋଇଥିବା କହି ଭୟଭୀତ କରୁଛନ୍ତି। କରୋନା ଲକ୍‌ଡାଉନ୍‌ରେ ସୁଯୋଗ ନେଇ ମାତିଛନ୍ତି ଏ ସାଇବର ଠକ। ଟାର୍ଗେଟରେ ରହିଛନ୍ତି ସୁନ୍ଦରଗଡ ଜିଲ୍ଲାର ନିରୀହ ଆଦିବାସୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ। ବୋର୍ଡ ଅଫିସ୍‌ ହେଉ ଅବା ସ୍କୁଲରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ନାମ, ପିତାଙ୍କ ନାମ ଓ ଯୋଗାଯୋଗ ଠିକଣା ,ଫୋନ୍ ନମ୍ବରର ତାଲିକା ହାତେଇଛନ୍ତି। ରାଉରକେଲା ସହରାଞ୍ଚଳ ସମେତ ସୁନ୍ଦରଗଡ ଜିଲ୍ଲାର ଅନେକ ବ୍ଲକର ଅଧିକାଂଶ ସ୍କୁଲର ମାଟ୍ରିକ ଛାତ୍ରଛାତ୍ରୀଙ୍କ ତାଲିକା ଏବେ ସେମାନଙ୍କ ପାଖରେ ରହିଛି।

ଏହି ତାଲିକାରେ ଥିବା ନିରୀହ ଆଦିବାସୀ ଛାତ୍ରଛାତ୍ରୀଙ୍କୁ କଲ୍‌ କରୁଛନ୍ତି। ଯିଏ ତାଙ୍କ ପଞ୍ଝାରେ ପଡୁଛି, ବିଶ୍ବାସ ଜନ୍ଗାଇ ସେମାନେ ଟଙ୍କା ଠକି ନେଉଛନ୍ତି। ଏମିତି ଠିକାମିରେ ଶିକାର ହୋଇଥିବା କିଛି ଛାତ୍ରଛାତ୍ରୀ ଓ ଅଭିଭାବକ ଲୋକଲଜ୍ଜାରେ ମୁହଁ ଖୋଲୁ ନାହାନ୍ତି। ତେବେ ଆଜି କିଛି ଛାତ୍ରଛାତ୍ରୀ ନିଜ ନିଜ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାଇବା ପରେ ଠକାମୀ ଘଟଣା ପଦାକୁ ଆସିଛି। କୁଆରମୁଣ୍ଡା କୁମ୍‌ଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ ସାମଲ ଓ ସିଆର୍‌ସିସି ଜଗେଶ୍ବର ରାୟ କହିଛନ୍ତି ଆଜି ଗୋଟିଏ ଦିନରେ ପ୍ରାୟ ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏମିତି ଅଜଣା କଲ୍‌ ଆସିଛି। କଲ୍‌ କରିଥିବା ଅଜଣା ବ୍ୟକ୍ତି ନିଜର ନାମ ଅଭିଜିତ୍‌ ଧର (ମୋବାଇଲ ନଂ .୮୪୨୦୧୬୩୩୪୭) ଓ ସେ କଟକ ବୋର୍ଡ ଅଫିସର ଅଧିକାରୀ ବୋଲି ପରିଚୟ ଦେଉଛନ୍ତି। କାହାକୁ ଗଣିତ, ସାହିତ୍ୟ ଓ ଅନ୍ୟ କାହାକୁ ଇଂରାଜୀ ଓ ବିଜ୍ଞାନ ବିଷୟରେ ଫେଲ୍‌ ହୋଇ ଭୟଭୀତ କରୁଛନ୍ତି।

ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ପାସ୍‌ କରି ଦେବାକୁ କହି ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ମାଗୁଛନ୍ତି। ଟଙ୍କା ଦେବା ପୂର୍ବରୁ ଆଜି ଏହି ଛାତ୍ରଛାତ୍ରୀ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ଠକାମୀରୁ ବର୍ତ୍ତି ଯାଇଛନ୍ତି। ତେବେ ବଡ଼ ପ୍ରଶ୍ନ ହେଉଛି, ଠକମାନେ କେଉଁଠୁ ସୁନ୍ଦରଗଡ ଜିଲ୍ଲାର ସ୍କୁଲ ନାମ, ମାଟ୍ରିକ ଛାତ୍ରଛାତ୍ରୀଙ୍କ ତାଲିକ ଓ ସେମାନଙ୍କ ଅଭିଭାବକଙ୍କ ନାମ ଓ ମୋବାଇଲ୍‌ ନମ୍ବର ପାଇଲେ ? ସେମାନଙ୍କୁ ବୋର୍ଡର କିଛି କର୍ମଚାରୀ ସାହାଯ୍ୟ କରୁ ନାହାନ୍ତି ତ? ଏସବୁ ଜିଲ୍ଲା ପୁଲିସ ଏବେ ଖୋଳତାଡ କରିବାର ଆବଶ୍ୟକତା ରହିଛି। ସେପଟେ ଏଭଳି ଅଜଣା କଲ୍‌କୁ ବିଶ୍ବାସ ନକରିବାଲାଗି ସ୍କୁଲର ପ୍ରଧାନଶିକ୍ଷକମାନେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର