କବାଟବନ୍ଧ: ଧର୍ମଶାଳା ବ୍ଲକ୍‌ ରେଖିଦେଈପୁର ପଞ୍ଚାୟତ ପାଇକରାପୁର ଗ୍ରାମ ନିକଟ ନଦୀବନ୍ଧ ଉପରୁ ଗତ ରବିବାର ବିଳମ୍ବିତ ରାତିରେ ବନ ବିଭାଗ ୩୦ କେଜିରୁ ଊର୍ଦ୍ଧ୍ବ ବାରହା ମାଂସ ଜବତ କରିଛି। ସୂଚନା ମୁତାବକ, ଗତ ରବିବାର ସକାଳୁ ଜଣେବ୍ୟକ୍ତି ପାଇକରାପୁର ନିକଟ ନଦୀବନ୍ଧ ଉପରେ ଏକ ସାଇକଲ ରଖି କେଉଁଆଡେ ଚାଲିଯାଇଥିଲା। ସାଇକଲ କ୍ୟାରିୟରରେ ଏକ ଟ୍ରେ ବନ୍ଧା ଯାଇଥିଲା ଓ ହ୍ୟାଣ୍ଡେଲରେ ଦୁଇଟି ବ୍ୟାଗ ଟଙ୍ଗାଯାଇଥିଲା। ଅପରାହ୍ଣରେ ଉକ୍ତ ସାଇକଲରେ ଟଙ୍ଗାଯାଇଥିବା ବ୍ୟାଗ ଓ ଟ୍ରେରୁ ଦୁର୍ଗନ୍ଧ ହେବାରୁ ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା।

Advertisment

କିଛିଲୋକ ଉକ୍ତ ସାଇକଲ ପାଖକୁ ଯାଇ ସେଥିରେ ବାରହା ମାଂସ ଥିବା ଦେଖିବାକୁ ପାଇଥିଲେ। ବିଳମ୍ବିତ ରାତିରେ ଗଡ଼ମଧୁପୁର ସେକ୍ସନର ଫରେଷ୍ଟ ଗାର୍ଡ ମନୋରମା ମହାନ୍ତ, ସ୍କ୍ବାଡ୍‌ ସେକ୍‌ ଜାଭିର, ସମ୍ବିତ ରାଉତ, ବିଜୟ ପ୍ରଧାନ, ଅମୂଲ୍ୟ ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସାଇକଲ ସହ ମାଂସକୁ ଜବତ କରିଥିଲେ। ସାଇକଲରେ ଥିବା ପ୍ରାୟ ୩୦ କେଜିରୁ ଉର୍ଦ୍ଧ ମାଂସ ବାରହାର କିମ୍ବା ଅନ୍ୟ କୌଣସି ଜନ୍ତୁର ବୋଲି ଜାଣିବା ପାଇଁ ଆଜି ଉକ୍ତମାଂସକୁ ବନବିଭାଗ ପକ୍ଷରୁ ଭୁବନେଶ୍ବରସ୍ଥିତ ଓୟୁଏଟିକୁ ପଠାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରିପୋର୍ଟ ଆସିବା ପରେ ଏକ ମାମଲା ରୁଜୁ କରାଯିବ। ତେବେ ଢେଙ୍କାନାଳ ଜଙ୍ଗଲରୁ ଶିକାରୀ ମାନେ ଏଭଳି ଭାବେ ବାରହା, ହରିଣ, କୁଟୁରା, ଖୁରିଙ୍ଗ, ଠେକୁଆ ମାରି ସେମାନଙ୍କ ମାଂସକୁ ବିଭିନ୍ନ ଅଂଚଳକୁ ପଠାଉଥିବା ଅଭିଯୋଗ ହୋଇଛି। ବନ ବିଭାଗ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।