ଜଳେଶ୍ଵର: ସାଇକେଲ୍‌ରେ ୮୩ ଦିନରେ ୯୩୪୦ କିମି ରାସ୍ତା ଅତିକ୍ରମ କରି ଭାରତର ଚାରିଧାମ ଭ୍ରମଣ ପରେ ଆଜି ଜନ୍ମମାଟିରେ ପହଞ୍ଚିଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ୍‌ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଏକତାଳି ଗାଁ’ର ଯୁବକ ରବୀନ୍ଦ୍ର ଜେନା (୨୭)। ଗତ ମେ ମାସ ୨୪ ତାରିଖ ଦିନ ଅପରାହ୍ନରେ ନିଜ ଗାଁ ଏକତାଳିରୁ ‘ପ୍ରକୃତି ବଞ୍ଚାଓ, ସଂସ୍କୃତି ବଞ୍ଚାଓ’ ବାର୍ତ୍ତା ନେଇ ଚାରିଧାମ ପରିଭ୍ରମଣରେ ବାହାରିଥିଲେ ରବୀନ୍ଦ୍ର। ପରିଭ୍ରମଣ ସମୟରେ ଚାରିଧାମ ସହ ଦେଶର ଶତାଧିକ ଧାର୍ମିକ କ୍ଷେତ୍ର ଓ ଐତିହ୍ୟ ସ୍ଥଳୀ ପରିଭ୍ରମଣ କରି ସେ ଆଜି ଅପରାହ୍ନ ୪ଟା ବେଳେ ଜଳେଶ୍ଵରର ରାଜଘାଟଠାରେ ପହଞ୍ଚିଥିଲେ।

Advertisment

ସେଠାରେ ବିଭିନ୍ନ ଗଣସଂଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଗାଁ ଯାଏଁ ପାଛୋଟି ନିଆଯାଇଥିଲା। ଏହି ସମୟରେ ବିଜେପି ନେତା ଫାଲଗୁନୀ ପାଣିଗ୍ରାହୀ, ତପନ ବିଶ୍ୱାଳ, ଯୁବ ସମାଜସେବୀ ବିପ୍ଳବ ପ୍ରଧାନ, ତନ୍ମୟ ଚାନ୍ଦ, ଦେବ ପାଠୀ, ସଂଗ୍ରାମ ଜେନା, ସତ୍ୟ ପଣ୍ଡା, ମୁନା ମାଝୀ, ସାଗର ଦାସ, ସଞ୍ଜୟ ଗିରି, ଅଭିଷେକ ସାହୁ, ଜିତୁନ ଜେନା, ଗଜେନ୍ଦ୍ର ଖମାରି, ବିଶ୍ୱଜିତ ଗିରି ପ୍ରମୁଖ ସାମିଲ ଥିଲେ। ଆଗାମୀ ଦିନରେ ଭାରତ ସହ ନେପାଳ ଓ ଭୁଟାନ ମଧ୍ୟରେ ଭାଇଚାରା ବଢ଼ାଇବା ପାଇଁ ରବୀନ୍ଦ୍ର ଉକ୍ତ ଦୁଇ ଦେଶ ମଧ୍ୟ ପରିଭ୍ରମଣ କରିବାକୁ ଆଶା ରଖିଥିବା କହିଛନ୍ତି।