ରାଇରଙ୍ଗପୁର/ଗୋରୁମହିଷାଣି: ମୟୁରଭଞ୍ଜର ୪ଟି ଉପଖଣ୍ଡ ମଧ୍ୟରୁ ବାମନଘାଟି ଉପଖଣ୍ଡ ହେଉଛି ସର୍ବାଧିକ ଆଦିବାସୀ ବହୁଳ ଏବଂ ଲୌହ ଖଣିଜ ସମ୍ପଦଭରା ଅଞ୍ଚଳ | ବାରମ୍ବାର ଦାବି ସତ୍ୱେ ବିକାଶର ପାଦ ଆଜି ପର୍ଯ୍ୟନ୍ତ ଏ ଅଞ୍ଚଳରେ ପଡିନାହିଁ । ସବୁକ୍ଷେତ୍ରରେ ସରକାରୀ ଅବହେଳା, ନିର୍ବାଚିତ ପ୍ରତିନିଧିଙ୍କ ଅପାରଗତା ତଥା ଜନ ସାଧାରଣଙ୍କ ସରଳତା ଯୋଗୁଁ ଉପଖଣ୍ଡରେ ଆଜି ମୌଳିକ ସମସ୍ୟା ସମାଧାନ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି ଜନତା । ବିଭିନ୍ନ ଦାବି ନେଇ ଆଜି ବାମନଘାଟି ଭଞ୍ଜସେନା ପକ୍ଷରୁ ଜନ ସଚେତନତା ସାଇକେଲ ରାଲି" ଗୋରୁମହିଷାଣିଠାରୁ ଆରମ୍ଭ ହୋଇଛି। ପ୍ରମୁଖ ଦାବିଗୁଡିକ ମଧ୍ୟରେ ବାମନଘାଟି ଉପଖଣ୍ଡରେ ଥିବା ସମସ୍ତ ଛୋଟ ବଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭିଜ୍ଞ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା ସହିତ ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲକୁ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ କରାଯାଉ, ଉପଖଣ୍ଡରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଗଠନ କରାଯାଉ | ଅତିରିକ୍ତ ଜିଲ୍ଲାପାଳଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯାଉ, ଯଦ୍ୱାରା ଉପଖଣ୍ଡର ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ଓ ତାସହିତ ସରକାରୀ ଯୋଜନାକୁ ଅଧିକ ସାଧାରଣ ଜନତାଙ୍କ ପାଖେ ପହଞ୍ଚାଇବା ପାଇଁ ବାମନଘାଟି ଉପଖଣ୍ଡ ଅଧୀନରେ ଥିବା ୭ଟି ବ୍ଲକକୁ ୧୦ ରୁ ୧୨ ଗୋଟି ବ୍ଲକ କରାଯାଉ, ଅର୍ଥାତ ବ୍ଲକ ସଂଖ୍ୟା ବୃଦ୍ଧି କରାଯାଉ ଏବଂ ବହଳଦାକୁ ଏନଏସିର ମାନ୍ୟତା ପ୍ରଦାନ କରାଯାଉ ।

Advertisment

ଜିଲ୍ଲା ଖଣିଜ ପାଣ୍ଠି (ଡ଼ିଏମଏଫ) କୁ କେବଳ ଖଣି ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିବେଶ ସନ୍ତୁଳନ ଉପରେ ଖର୍ଚ୍ଚ କରାଯାଉ,ଆଦିବାସୀ ବହୁଳ ବାମନଘାଟି ଉପଖଣ୍ଡର ଆଦିବାସୀ ଜନଜାତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରକୃତ କାର୍ଯ୍ୟ କରିବା ପରିବର୍ତ୍ତେ କେବଳ ଠିକାଦାରୀ କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିଆସୁଥିବା ରାଇରଙ୍ଗପୁର ଆଇ.ଟିଡି.ଏ କୁ ତାର ପ୍ରକୃତ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ଏବଂ ଚାଲୁଥିବା କାର୍ଯ୍ୟର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ | ଫୁଟବଲ ଖେଳର ଏନ୍ତୁଡ଼ିଶାଳ ହେଉଛି ମୟୁରଭଞ୍ଜ, ବିଶେଷ କରି ଆଦିବାସୀ ଯୁବକ ଯୁବତୀମାନେ ହିଁ ଫୁଟବଲ ଖେଳିଥାନ୍ତି ତେଣୁ ସର୍ବାଧିକ ଆଦୃତ ଆଦିବାସୀ ବହୁଳ ଜିଲ୍ଲାର ବାମନଘାଟି ଉପଖଣ୍ଡରେ ହିଁ ଯଥାଶୀଘ୍ର ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯାଉ | ଦୀର୍ଘଦିନରୁ ରାଇରଙ୍ଗପୁର ମ୍ୟୁନିସିପାଲିଟି ଦ୍ୱାରା ସମ୍ପାଦନ ହୋଇଆସୁଥିବା ଅଧାପନ୍ତରିଆ ଓ ନିମ୍ନମାନର ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ତୁରନ୍ତ ସଠିକ ଭାବେ ସମ୍ପାଦନ କରାଯାଉ ଭଳି ଦାବି ରହିଥିଲା |

ସେହିପରି ବାଙ୍ଗିରିପୋଷି - ଗୋରୁମହିଷାଣୀ ଓ ବାଦାମପାହାଡ଼ -କେନ୍ଦୁଝର ନୂତନ ରେଳପଥ ନିର୍ମାଣର ଘୋଷଣା ତୁରନ୍ତ କରାଯାଉ,ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନରେ ତୁରନ୍ତ ରେଗୁଲାର ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ନିଯୁକ୍ତି ପ୍ରଦାନ କରାଯାଉ, ପାସପୋର୍ଟ ସହାୟତା କେନ୍ଦ୍ର ଏବଂ ବହୁ ଦିନରୁ ଅକାମୀ ହୋଇ ପଡିରହିଥିବା ଆଧାର ସେଣ୍ଟରକୁ ପୁନର୍ବାର କାର୍ଯ୍ୟକାରୀ କରାଯାଉ ପ୍ରଭୃତି ଦାବି ନେଇ ଆଜି ରାଲି ଆରମ୍ଭ ହୋଇଛି। ପୂର୍ବଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଭଞ୍ଜସେନା ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦାଙ୍କ ତତ୍ୱାବଧାନତାରେ ଏବଂ ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁଙ୍କ ନେତୃତ୍ୱରେ ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀସ୍ଥ ସହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା ସାରି ପ୍ରଥମଦିନର ଜନ ସଚେତନତା ସାଇକେଲ ରାଲି ତିରିଂ ଅଭିମୁଖେ ବାହାରିଥିଲା । ରାସ୍ତାର ବିଭିନ୍ନ ସ୍ଥାନରେ ସାଇକେଲ ଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ଦାବି ସମ୍ବଳିତ ଦାବିପତ୍ର ମଧ୍ୟ ସଂଗଠନ ପକ୍ଷରୁ ଜନତାଙ୍କୁ ପ୍ରଦାନ କରି ବାମନଘାଟି ଉପଖଣ୍ଡ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ କିଭଳି କ୍ରମାଗତ ଭାବେ ଅବହେଳା କରି ଚାଲିଛନ୍ତି, ସେବାବଦରେ ସାଧାରଣ ଜନତାଙ୍କୁ ଅବଗତ କରିଥିଲେ ।