ବନ୍ତଳା: ଅନୁଗୁଳ ବ୍ଲକ ମାଣପୁର ଗ୍ରାମ ନିକଟରେ ଆଜି ଏକ ସାଇକେଲ ଆରୋହୀକୁ ଏକ ବାଇକ ଧକ୍କା ଦେବାରୁ ସାଇକେଲରେ ଯାଉଥିବା ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ଦୁର୍ଯ୍ୟୋଧନ ସାହୁ (୬୫) ଆଜି ସକାଳେ ପୋକତୁଙ୍ଗା ଅଞ୍ଚଳକୁ ଏକ ଭୋଜିର ରୋଷେଇ କାର୍ଯ୍ୟ କରିବା ପାଇଁ ରୋଷେୟା ଭାବରେ ଯାଇଥିଲେ। ତେବେ ସେଠାରୁ ସେ ରୋଷେଇ କାମ ସାରି ସଂନ୍ଧ୍ୟା ପ୍ରାୟ ସାଢେ଼ ୫ଟା ବେଳକୁ ନିଜେ ସାଇକେଲରେ ଶଙ୍ଖପୁର ସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଶଙ୍ଖପୁର ପାର୍ଶ୍ଵରୁ ପୋକତୁଙ୍ଗା ଆଡକୁ ଦ୍ରୁତଗତିରେ ଯାଉଥିବା ଏକ ବାଇକ ସାଇକେଲକୁ ଜୋର ରେ ଧକ୍କା ଦେଇଥିଲା। ଫଳରେ ସାଇକେଲରେ ଆସୁଥିବା ବୃଦ୍ଧ ଜଣଙ୍କ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ରାସ୍ତାରେ ତାଙ୍କ ମୁଣ୍ଡର ପଛ ପାର୍ଶ୍ଵଟି ପିଟିହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା।
ଏହି ଘଟଣା ସ୍ଥାନୀୟ ଲୋକମାନେ ଦେଖି ପରିବାର ଲୋକଙ୍କୁ ଖବର ଦେବା ସହ ୧୦୮ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଘଟଣାସ୍ଥଳରେ ୧୦୮ଆମ୍ବୁଲାନ୍ସ ପହଁଚିବା ପରେ ସେଥିରେ ବୃଦ୍ଧ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇ ବାଇକ ସହ ଚାଳକ ସେଠାରୁ ଫେରାର ହୋଇଯାଇଛି। ମୃତ୍ୟୁ ଦେହକୁ ପୁଲିସ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖାଯାଇଛି।