ଆମ୍ବୁଲାନ୍ସ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ପୁରୁଣାକଟକ : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଛକରେ ଆଜି ସକାଳେ ଗୋଟିଏ  ଆମ୍ବୁଲାନ୍ସ ଧକ୍କାରେ ଜଣେ ସାଇକେଲ ଚାଳକ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ସରଜୁ ମାହାର ନାମକ ଜଣେ ଯୁବକ ଆଜି ସକାଳ ୧୦ଟା ସମୟରେ ସାଇକେଲ ଯୋଗେ କୌଣସି କାମରେ  ହରେକୃଷ୍ଣପୁର ଆସୁଥିବା ବେଳେ ପୁରୁଣା କଟକ ପଟୁ ବୌଦ୍ଧ ଆଡକୁ ଦ୍ରୁତ ଗତିରେ ଆସୁଥିବା ଏକ  ଆମ୍ବୁଲାନ୍ସ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସରଜୁ ମାହାରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାଯାଇଛି ।  ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଚାଳକ ଭୁଲ ପାର୍ଶ୍ଵରେ ଗାଡ଼ି ଚାଳନା ଯୋଗୁଁ ଜଣେ ନିରୀହ ଲୋକର ଜୀବନ ଚାଲିଯାଇଥିବା ଅଭିଯୋଗ କରି ଜାତୀୟ ରାଜପଥ ଉପରେ ମୃତଦେହ ରଖି ଅବରୋଧ କରିଥିଲେ ।

ଲୋକମାନେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଖବର ପାଇ ବୌଦ୍ଧ ପୋଲିସ ଉପସ୍ଥିତିରେ ହରଭଙ୍ଗା ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ,ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଏବଂ ପରିବାର ମଙ୍ଗଳ ଯୋଜନାରୁ ୨୦ ହଜାର ଟଙ୍କା ଆର୍ଥିକ  ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ସମ୍ବନ୍ଧିତ ଖବର