ଫାଇଲିନ, ଫନି, ଅମ୍ଫାନ ପରେ ମୟୂରଭଞ୍ଜକୁ ୟାସ୍ ଆଶଙ୍କା

ଫନିରେ ୭୦ ହଜାର, ଅମ୍ଫାନରେ ୨୭ହଜାରରୁ ଉର୍ଦ୍ଧ୍ବ ହୋଇଥିଲେ ସ୍ଥାନାନ୍ତର, ଜିଲ୍ଲାକୁ ଏଲୋ ବିପଦ ସଙ୍କେତ

ବାରିପଦା : ପାଣିପାଗ ବିଭାଗ ସୂଚନା ମତେ ସାମୁଦ୍ରିକ ଝଡ ମଇ ୨୩ ତାରିଖରୁ ମଇ ୨୭ତାରିଖ ମଧ୍ୟରେ ସମ୍ଭାବ୍ୟ ଝଡ଼ବାତ୍ୟା ଓ ବର୍ଷା ହେବାର ଆଶଙ୍କା ରହିଛି । କରୋନା ଲଢ଼େଇ଼ ଜାରି ରହିଥିବା ବେଳେ ଆସୁଛି ୟାସ୍ ବାତ୍ୟା । ମୟୂରଭଞ୍ଜ ଜିଲ୍ଲା ପ୍ରତି ଏହି ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ଘଟାଇବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ପ୍ରତି ଏକ ଆହ୍ୱାନ ହୋଇଥିବା ସମୟରେ ଜିଲ୍ଲାବାସୀ ସମ୍ଭାବ୍ୟ ବିପଦକୁ ନେଇ ଶଙ୍କା ଓ ଆଶଙ୍କା ମଧ୍ୟରେ ରହିଛନ୍ତି । ଜିଲ୍ଲାରେ ୨୦୧୩ ଅକ୍ଟୋବର ୧୩ ଫାଇଲିନର ତାଣ୍ଡବ ଓ ଏହା ପ୍ରଭାବରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାର କରାଳ ବିଭୀଷିକା ,  ୨୦୧୯ ଏପ୍ରିଲ ୨୬ରେ ଫନି ବାତ୍ୟା ଓ ୨୦୨୦ ମେ ୧୯  ଅମ୍ଫାନ ଜିଲ୍ଲାବାସୀଙ୍କ ମନରୁ ଲିଭି ନଥିବା ବେଳେ ବର୍ତ୍ତମାନ  କରୋନା ମହାମାରୀର ଦ୍ୱିତୀୟ ଲହର ସହିତ ଚାଲିଛି ମୁକାବିଲା । ଏହି ସମୟରେ ୟାସ୍ ବାତ୍ୟା ଜନସାଧାରଣଙ୍କ ଉଦବେଗକୁ ବଢ଼ାଇ ଦେଇଛି । ତେବେ ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ନିମନ୍ତ ଜିଲ୍ଲା ପ୍ରଶାସନ ସମସ୍ତ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥି ନିମନ୍ତେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଘନ ଘନ ଭିଡ଼ିଓ କନଫରେନସିଂରେ ବୈଠକ ଡ଼କାଇ ପ୍ରସ୍ତୁତିର ସମୀକ୍ଷା କରିବାରେ ଲାଗିପଡ଼ିଛନ୍ତି ।  ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗିପସାଗରରେରେ ସୃଷ୍ଟି ହୋଇଥିବା ୟାସ୍ ବାତ୍ୟା ମେ ୨୬ରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଦେଖା ଦେଇଛି । ଏହା ପ୍ରଭାବରେ ମେ ୨୫ରୁ  ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୯୦ କିମିରୁ ଅଧିକ ବେଗରେ ପବନ ସାଙ୍ଗକୁ ପ୍ରବଳରୁ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷପ ଗ୍ରହଣ କରିବାକୁ ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଜିଲ୍ଲାରେ ଥିବା ୮ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯିବା ସାଙ୍ଗକୁ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା କରାଯିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ସରକାରୀ ଗୃହକୁ ଖୋଲା ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ଥିବା ସମସ୍ତ ନଦୀ ବନ୍ଧ, କେନାଲ ବନ୍ଧ ଆଦିକୁ ମୟୂରଭଞ୍ଜ ଇରିଗେସନ ଏବଂ ମାଇନର ଇରିଗେସନ ପକ୍ଷରୁ ନିରୀକ୍ଷଣ କରାଯାଇଛି। ଯାହାକି ସମ୍ପୂର୍ଣ୍ଣ ସଠିକ ଥିବା ବିଭାଗ ପକ୍ଷରୁ ପ୍ରକାଶ। ସେହିପରି ଚାଷୀ ଭାଇମାନେ ବିଲରେ ଥିବା ଶସ୍ୟକୁ ଘରକୁ ନେଇଆସିବାକୁ କୃଷି ଉପନିର୍ଦେଶକ ଦାମୋଦର ସେଠୀ ପରାମର୍ଶ ଦେଇଛନ୍ତି। ଯେକୌଣସି ଆପତକାଳୀନ ପରିସ୍ଥିତି ସମୟରେ ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତର ଆଦି କରାଇବା ନିମନ୍ତେ ଗୋଟାଏ  ଏନଡ଼ିଆରଏଫ, ୨ଟି ଓଡ଼ରାଫ ଟିମ ଜିଲ୍ଲା ମୁଖ୍ୟାଳୟରେ ପ୍ରସ୍ତୁତ ହୋଇରହିଛନ୍ତି । ଗ୍ରୀଷ୍ମ ଋତୁ ହୋଇଥିବା କାରଣରୁ ନଦୀ ନାଳ ଆଦିରେ ଜଳପତନ ବୃଦ୍ଧିପାଇ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ଆଶଙ୍କା କମ୍ ରହିଥିବା ବେଳେ ପ୍ରବଳ , ଅତି ପ୍ରବଳ ବର୍ଷା ଏବଂ ପବନ କାରଣରୁ ହେବାକୁ ଥିବା କ୍ଷୟକ୍ଷତିକୁ ମୁକାବିଲା କରିବା ସଙ୍ଗେ ସଂଗେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି ।
                 ପ୍ରକାଶ ଥାଉକି, ଗତ ଫନୀ ମହାବାତ୍ୟା ସମୟରେ ଜିଲ୍ଲାରେ ପ୍ରାୟ ୭୦ ହଜାର ଏବଂ ଅମ୍ଫାନ ବାତ୍ୟା ସମୟରେ ୨୭ ହଜାର ୨ ଶହରୁ ଅଧିକ ଲୋକମାନଙ୍କୁ ନିରାପଦା ସ୍ଥାନଗୁଡ଼ିକୁ ସ୍ଥାନାନ୍ତରିତ କରାଯାଇଥିବା ସମୟରେ ୟସ୍ ବାତ୍ୟାକୁ ସଫଳତାର ସହିତ ମୁକାବିଲା କରିବା ନିମନ୍ତେ ସମସ୍ତ ଲାଇନ ବିଭାଗୀୟ ପଦାଧିକାରୀ, ଅଧିକାରୀମାନଙ୍କୁ ଆଗୁଆ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଏଥି ସହିତ ଅତ୍ୟାବଶକୀୟ ସାମଗ୍ରୀ, ଚୁଡ଼ା, ଗୁଡ଼, ମହମବତୀ, ଦିଆସିଲି, ପାନୀୟ ଜଳ, ଜେନେରେଟର, ପାୱାର କଟର, ଜେସିବି ମେସିନ, ଯାନବାହାନ, ବୁଟ ଆଦି ସମସ୍ତ ଆନୁସଙ୍ଗିକ ସରଞ୍ଜାମଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ସମସ୍ତ ବିଡ଼ିଓ, ତହସିଲଦାର, ଜିଲ୍ଲା ଶିକ୍ଷାଧିକାରୀ, ଯୋଗାଣ ବିଭାଗ ଅଧିକାରୀ, ଅଗ୍ନିଶମ ବିଭାଗର ଅଧିକାରୀ ପ୍ରମୁଖଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ଝଡ଼ବାତ୍ୟା  ସମୟରେ ବିଦ୍ୟୁତ୍ ସରବରାହ, ରାସ୍ତାଘାଟ, ଯୋଗାଯୋଗ ବ୍ୟବସ୍ଥା ଆଦି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେତେଗୁଡ଼ିଏ ପଞ୍ଚାୟତକୁ ନେଇ ଜଣେ ଡ଼ାକ୍ତରଙ୍କୁ ନିଯୁକ୍ତ କରାଯିବା, ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଚିକିତ୍ସାଳୟଗୁଡ଼ିକରେ ଆବଶ୍ୟକ ଔଷଧ ଗଚ୍ଛିତ ରଖିବା, ମୋବାଇଲ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରିବା, ଡ଼ାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ସଜାଗ ରହି କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ନିର୍ଦ୍ଦେଶ ଦେଇଛନ୍ତି । ୟସ୍‌କୁ ନେଇ ଜନସାଧାରଣ ଆତଙ୍କିତ ନ ହେବା ନମନ୍ତେ ପରାମର୍ଶ ଦିଆଯାଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ହୋଇଛି। ପରିସ୍ଥିତି କୁ ଦେଖି ଏହାକୁ କାର୍ଯ୍ୟକ୍ଷମ କରାଯିବା ନେଇ ଜରୁରୀକାଳୀନ ଅଧିକାରୀ ସୁଜୟ ପତି ସୂଚନା ଦେଇଛନ୍ତି।
ସମ୍ବନ୍ଧିତ ଖବର