ଚାଷୀଙ୍କ ପାଇଁ ଚିନ୍ତା ବଢ଼ାଇଲା ୟାସ, ମୟୁରଭଞ୍ଜରେ ୮୯୨.୯ ହେକ୍ଟର ଚାଷ ଜମି ପ୍ରଭାବିତ

ବାରିପଦା : କରୋନା ମାହାମାରୀ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ବେଳେ ବୋଝ ଉପରେ ନଳିତା ବିଡ଼ା ଭଳି ୟସ ବାତ୍ୟା ଜିଲ୍ଲାବାସୀଙ୍କ ଦୁଃଖକୁ ଦ୍ୱିଗୁଣ ବଢ଼ାଇ ଦେଇଛି । ଜିଲ୍ଲାରେ ଚାଷୀମାନେ ଚାଷରୁ ଦି ପାଇସା ଆୟ ଉପାର୍ଜନ କରି ପରିବାରର ଗୁଜୁରାଣ ମେଣ୍ଟାଇବା ନିମନ୍ତେ ଆଶା ବାନ୍ଧି ଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ୟସ ବାତ୍ୟା ତାହାକୁ ମଧ୍ୟ ଛଡ଼ାଇ ନେଇ ଗଲା ।
ବଣ ପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ୟସ ବାତ୍ୟା ୮୯୨.୯ ହେକ୍ଟର ଚାଷ ଜମିକୁ ଉଜାଡ଼ି ଦେଇଥିବାର ଜିଲ୍ଲା କୃଷି ବିଭାଗର ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ଜିଲ୍ଲାର ଶାମାଖୁଣ୍ଟା ବ୍ଲକରେ ୧୪ ହେକ୍ଟର, କୁଳିଅଣା ବ୍ଲକରେ ୫୪.୯ ହେକ୍ଟର, ଉଦଳା ବ୍ଲକରେ ୧୦ ହେକ୍ଟର, କପ୍ତିପଦା ବ୍ଲକରେ ୪୬ ହେକ୍ଟର, ଖୁଣ୍ଟା ବ୍ଲକରେ ୯୫ ହେକ୍ଟର, ରାସଗୋବିନ୍ଦପୁର ବ୍ଲକରେ ୫୨ ହେକ୍ଟର, ମୋରଡ଼ା ବ୍ଲକରେ ୮୯ ହେକ୍ଟର, ବଡ଼ସାହି ବ୍ଲକରେ ୩୨୫ ହେକ୍ଟର, ଯଶୀପୁର ବ୍ଲକରେ ୩୦ ହେକ୍ଟର, ରରୁଆଁ ବ୍ଲକରେ ୧୧୦ ହେକ୍ଟର, କରଞ୍ଜିଆ ବ୍ଲକରେ ୪୬ ହେକ୍ଟର, ଶୁକୃଳି ବ୍ଲକରେ ୨୧ ହେକ୍ଟର ଚାଷ ଏହି ପରି ମୋଟ ୮୯୨.୯ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବାର ଆକଳନ କରାଯାଇଛି ।
ସେହିପରି ୧୯ ହେକ୍ଟର ଅଣଜଳସେଚିତ ଓ ୭୯ ହେକ୍ଟର ଜଳସେଚିତ ଜମିରେ ହୋଇଥିବା ଫସଲ ୟସ ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାର ଜିଲ୍ଲା କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ି ଥିବା ବେଳେ ଅଣଜଳସେଚିତ ଜମିଗୁଡ଼ିକରେ ପ୍ରତି ହେକ୍ଟର ୬,୮୦୦ ଟଙ୍କା ଲେଖାଏଁ ମୋଟ ୧ ଲକ୍ଷ ୨୯ ହଜାର ୨ ଶହ ଟଙ୍କା ଓ ଜଳସେଚିତ ଜମିଗୁଡ଼ିକରେ ପ୍ରତି ହେକ୍ଟର ୧୩,୫୦୦ ଟଙ୍କା ଲେଖାଏଁ ୧୦ ଲକ୍ଷ ୬୬ ହଜାର ୫ ଶହ ଟଙ୍କା ଏହିପରି ମୋଟ ୧୧ ଲକ୍ଷ ୯୫ ହଜାର ୭ ଶହ ଟଙ୍କାର ସହାୟତା ଆବଶ୍ୟକତା ରହିଛି ବୋଲି ଜିଲ୍ଲା କୃଷି ବିଭାଗର ମୁଖ୍ୟ ଦାମୋଦର ସେଠୀଙ୍କ କାର୍ଯ୍ୟାଳୟରୁ ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟରେ ଦାଖଲ କରାଯାଇଥିବାର ଜଣାପଡ଼ିଛି । ମାତ୍ର ଜିଲ୍ଲାରେ କୃଷି ବିଭାଗର ଆକଳନଠାରୁ ବହୁ ଅଧିକ ଫସଲ ନଷ୍ଟ ହୋଇଥିବାର ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି ।
ସମ୍ବନ୍ଧିତ ଖବର