ମାଲକାନଗିରି ଜିଲ୍ଲାରେ ଗୁଲାବ ବାତ୍ୟାର ପ୍ରଭାବ, ୭ଟି ଜିଲ୍ଲା ପ୍ରଭାବିତ

୧୦୦୮୮ ଜଣକୁ ବନ୍ୟା ଆଶ୍ରୟସ୍ଥଳୀକୁ ଅଣାଗଲା

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗୁଲାବ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ସମସ୍ତ ସାତୋଟି ବ୍ଲକରେ ଗୁଲାବ ତାର ପ୍ରକୋପ ଓ ତାଣ୍ଡବଲୀଳା ରଚାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛଗୁଡିକ ଉପୁଡି ପଡିଥିବା ବେଳେ ବହୁ ପାହାଡିଆ ନଦୀରେ ଜଳସ୍ତର ବଢିଛି। ବିଶେଷକରି ବଣ୍ଡାଘାଟି ଏବଂ ସ୍ବାଭିମାନ ଅଂଚଳରେ ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବାତ୍ୟା ଯୋଗୁଁ ବହୁ ଘର ଭାଙ୍ଗି ଯାଇଥିବା ଜଣାପଡିଛି । ମାଲକାନଗିରି ସଦରରେ ଟେକଗୁଡା ସାହି,ବୁଟିଗୁଡା,ଏମଭି୩ ଭଳି ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ଯୋଗୁଁ ଲୋକେ ନାହିଁ ନଥିବା ହଣରାଣ ହୋଇଥିଲେ । ଓଡ୍ରାଫ ଟିମ ଏବଂ ଏନଡିଆରଏଫ ଟିମ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିଥିଲେ।ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷ ସହ ପବଲ ବୋହିଥିଲା। ତେବେ ଜିଲ୍ଲା ପ୍ରଶାସନ ତରଫରୁ ରେକର୍ଡ କରାଯାଇଥିବା ବର୍ଷାର ପରିମାଣ ମଧ୍ୟରୁ ମାଲାକନଗିରି ବ୍ଲକରେ୪୪ ମିମି,ମାଥିଲି ୩୪ ମିମି,ଖଇରପୁଟ ୫୭ ମିମି,ଚିତ୍ରକୋଣ୍ଡା ୧୦୭ ମିମି,କୋରକୋଣ୍ଡା ୫୩ ମିମି,କାଲିମେଳା ୩୬ ମିମି, ପଡିଆ ୪୧ ମିମି ବର୍ଷା ହୋଇଥିବା ବେଳେ ସମୁଦାୟ ୩୭୨ ମିମି ବର୍ଷା ରେକର୍ଡ କରାଯାଇଛି ।

ଜିଲ୍ଲାର ସ୍ଥିତି ପରଖିବା ପାଇଁ ଜିଲ୍ଲାପାଳ ବିଶାଲ ସିଂ ଘନ ଘନ ଭିଡିଓ କନଫେରେସିଂ କରି ନିଜେ ତଦାରଖ କରୁଥିଲେ। ଜିଲ୍ଲାର ସାତୋଟି ବ୍ଲକରେ ବିଡିଓ,ତହସିଲଦାର ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ନିଜେ ଉପସ୍ତିତ ରହି ବାତ୍ୟାର ମୁକାବିଲା କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ମୋଟ ୪୭ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ଏହି ଆଶ୍ରୟସ୍ଥଳୀରେ ୧୦୦୮୮ ଜଣ ତଳିଆ ଅଂଚଳର ଲୋକଙ୍କୁ ରଖାଯାଇ ସେମାନଙ୍କୁ ଖାଦ୍ୟ,ପାନୀୟର ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି । ସେହିପରି ୧୩୯ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ମାଆ ଗୃହରେ ରଖାଯାଇଥିବା ଜିଲ୍ଲା ପ୍ରଶାସନ କହିଛି।

ବାତ୍ୟାବେଳେ ଜିଲ୍ଲାର ସମସ୍ତ ସାତୋଟି ଜିଲ୍ଲାରେ ବିଦ୍ୟୁତ ବ୍ୟାହତ ହୋଇଥିବାରୁ ଆଜି ସକାଳୁ ସମସ୍ତ ଜିଲ୍ଲା ସଦର ମହକୁମାରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଥିବା କୁହାଯାଇଛି । ଏମଭି-୯୬ରେ ରହିଥିବା ପାହାଡିଆ ନଦୀରେ ପାଣି ବଢିବା ସହ ୩୨୬ ଜାତୀୟ ରାଜପଥ ଉପରେ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।ତେବେ ମହାବାତ୍ୟା ଗୁଲାବକୁ ମୁକାବିଲା କରିବା ପାଇଁ ପୁଲିସ ପକ୍ଷରୁ ୨୭ଟି ଟିମ ଗଠନ କରାଯାଇ ନିୟନ୍ତ୍ରଣ କରାଯାଇଛି । ଆରଡି ଏବଂ ଆଇଏଣ୍ଡବି ପକ୍ଷରୁ ୧୩ଟି ଟିମ ଗଠନ କରାଯାଇ ବାତ୍ୟା ମୁକାବିଲା କରାଯାଉଛି।୬ଟି ଓଡ୍ରାଫ ଟିମ ଏବଂ ଗୋଟିଏ ଏଡିଆଇଏଫ ଟିମ ବାତ୍ୟା ମୁକାବିଲା କରୁଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର