ବାରିପଦା: କରୋନାକୁ ମୁକାବିଲା କରୁଥିବା ମୟୂରଭଞ୍ଜ ପାଇଁ ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ୍’ ଆଣିଛି ଆଉ ଏକ ଆହ୍ବାନ। ଉତ୍ତର ଓଡ଼ିଶାରେ ଏହି ବାତ୍ୟାର ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ତେଣୁ ଏହାକୁ ମୁକାବିଲା କରିବା ନିମନ୍ତେ ଜିଲ୍ଲାପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ଏଥିନିମନ୍ତେ ଆଜି ଜିଲ୍ଲା ସଦରମହକୁମାରେ ୨୦ଜଣିଆ ସଦସ୍ୟ ବିଶିଷ୍ଟ ଏକ ଏନଡିଆରଏଫ ଟିମ୍ ପହଞ୍ଚିଛି। ଯେକୌଣସି ଆପତକାଳୀନ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ଏହି ଟିମ୍ କାର୍ଯ୍ୟକରିବ।

Advertisment

ସେହିପରି ଜିଲ୍ଲାରେ ପୂର୍ବରୁ ଏକ ଓଡ୍ରାଫ୍ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ବାତ୍ୟା ସମୟରେ ବିପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାରେ ଥିବା ଅଗ୍ନିଶମବାହିନୀକୁ ମଧ୍ୟ ସଜାଗ ରଖାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି। ଜିଲ୍ଲାରେ ଥିବା ୧୦ଟି ବାତ୍ୟା ଆଶ୍ରୟସ୍ଥଳୀରୁ ୨ଟି ସଙ୍ଗରୋଧ କେନ୍ଦ୍ର ଭାବେ ବ୍ୟବହୃତ ହେଉଛି। ତେଣୁ ଏହି ଦୁଇଟି ବାତ୍ୟା ଆଶ୍ରୟସ୍ଥଳୀକୁ ଛାଡ଼ି ବାକି ସବୁକୁ ଅମ୍ଫାନ୍ ପାଇଁ ପ୍ରସ୍ତୁତ ରଖାଯାଇଛି। ଏହା ସହିତ କୌଣସି ପରିସ୍ଥିତିରେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଆବଶ୍ୟକ ପଡ଼ିଲେ ବିକଳ୍ପ ପକ୍କା ଘରର ବ୍ୟବସ୍ଥା କରାଯାଇଛି। ଏଥି ନିମନ୍ତେ ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟକୁ ଖୋଲାରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନାନ୍ତରଣ ହେଲେ ସଂପୃକ୍ତ ବିଦ୍ୟାଳୟର ଜଣେ ଜଣେ ଶିକ୍ଷକ ନୋଡାଲ୍ ଅଧିକାରୀ ଭାବେ କାର୍ଯ୍ୟ କରିବେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ବରିଷ୍ଠ ଅଧିକାରୀମାନେ ଏହି ଜରୁରୀକାଳୀନ କକ୍ଷର ଦାୟିତ୍ବରେ ରହିବେ। ବାତ୍ୟା ସମୟରେ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବା ନିମନ୍ତେ ମୋବାଇଲ୍ ହେଲ୍ଥ ଟିମ୍ ଗଠନ କରାଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ବିଭିନ୍ନ ଅଞ୍ଚଳରେ ନିୟୋଜିତ କରାଯିବାନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଅଙ୍ଗନବାଡି ସେଣ୍ଟର ଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ଜିଲ୍ଲାରେ ଶୁଖିଲା ଖାଦ୍ୟର ଷ୍ଟକ୍ ଆକଳନ କରାଯିବା ସହିତ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଜରୁରୀକାଳୀନ ଅଧିକାରୀ ଶ୍ରୀ ପତି ସୂଚନା ଦେଇଛନ୍ତି। ପୂର୍ବରୁ ଜିଲ୍ଲାବାସୀ ଫାଇଲିନ ବିଭୀଷିକା ଦେଖିଥିବାବେଳେ ଗତବର୍ଷ ଫନି ବାରିପଦାରେ ମଧ୍ୟ ଧନଜୀବନ ହାନି କରିଥିଲା। କରୋନା ସମୟରେ ଅମ୍ଫାନ୍ ଭଳି ପ୍ରାକୃତିକ ବିପତ୍ତି ଜିଲ୍ଲାବାସୀଙ୍କ ପାଇଁ ଆହ୍ବାନ ଆଣିଦେଇଛି।