ଭଦ୍ରକରେ ବାତ୍ୟା ପାଇଁ ପ୍ରସ୍ତୁତି: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୭୨ ପଞ୍ଚାୟତରେ ସତର୍କ ଦୃଷ୍ଟି, ୧୭ରୁ ସମୁଦ୍ରକୁ ବୋଟ ନେଇ ମାଛ ଧରିବାକୁ ଯିବା ମନା

ଭଦ୍ରକ: ବାତ୍ୟା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ଜ୍ଞା ନ ଦାସ ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟି ବାତିଲ କରି ଦେଇଥିବା ବେଳେ କର୍ମଚାରୀଙ୍କୁ ହେଡକ୍ବାଟର ନଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ୭ଟି ବ୍ଲକର ପ୍ରଶାସନିକ ଅଧିକାରୀଙ୍କୁ ଏଥିପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି। ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୭୨ ଟି ପଞ୍ଚାୟତ ଉପରେ ବିଶେଷ ଭାବେ ସତର୍କ ଦୃଷ୍ଟି ଦେବା ଉପରେ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ବିଶେଷ ଭାବେ ସତର୍କ ରହିବା ସହ ଉପକୂଳବର୍ତ୍ତୀ ୩ କିଲୋମିଟର ମଧ୍ୟରେ ଥିବା ଗାଁ ଲୋକମାନଙ୍କୁ ଆସନ୍ତା ୧୭ ତାରିଖ ସୁଦ୍ଧା ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ସ୍ଥାନାନ୍ତର କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଇ ସବୁ ବାତ୍ୟା ଆଶ୍ରୟସ୍ଥଳଗୁଡିକରେ ଶୌଚାଳୟ, ଜଳ ଯୋଗାଣ, ନଳକୂପ, ବିଦ୍ୟୁତ୍ ଯୋଗାଣ ଓ ଲୋକଙ୍କର ଖାଦ୍ୟ ପଦାର୍ଥର ବ୍ୟବସ୍ଥା କରାଯିବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି।

ଉପକୂଳ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀକୁ ଛାଡି ଦେଲେ ୬୩୦ଟି ସ୍କୁଲରେ ଆଶ୍ରୟସ୍ଥଳୀ କରାଯାଇଛି। ଏଇ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୧୭ ତାରିଖ ବେଳକୁ ଯେଭଳି କୌଣସି ବୋଟ ସମୁଦ୍ର ଭିତରୁ ନଯିବ ତାହା ଉପରେ କଟକଣା କରାଯାଇଛି। ମତ୍ସ୍ୟଜୀବୀମାନେ ଏହି ସମୟ ମଧ୍ୟରେ ସମୁଦ୍ରକୁ ମାଛଧରିବାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଜିଲ୍ଲାର ଧାମରା, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ୩ ଜଣ ନୋଡାଲ ଅଫିସରଙ୍କୁ ସ୍ବତନ୍ତ୍ର ଦାୟୀତ୍ବ ଦିଆଯାଇଛି। ଏଇ ଅଧିକାରୀମାନେ ଆଜିଠାରୁ ସଂପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର