ବାରିପଦା: ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେରେ ସୃଷ୍ଟି ହୋଇଥିବା ୟାସ୍ ବାତ୍ୟା ମେ ୨୬ରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଦେଖା ଦେଇଛି । ପାଣିପାଗ ବିଭାଗ ସୂଚନା ମତେ ସାମୁଦ୍ରିକ ଝଡ ‘ୟାସ୍’ ମଇ ୨୩ ତାରିଖରୁ ମଇ ୨୭ତାରିଖ ମଧ୍ୟରେ ସମ୍ଭାବ୍ୟ ଝଡ଼ବାତ୍ୟା ଓ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । କରୋନା ଲଢ଼େଇ଼ ଜାରି ରହିଥିବା ବେଳେ ଆସୁଛି ୟସ୍ ବାତ୍ୟା । ମୟୂରଭଞ୍ଜ ଜିଲ୍ଲା ପ୍ରତି ଏହି ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ଘଟାଇବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ପ୍ରତି ଏକ ଆହ୍ୱାନ ହୋଇଛି । ‘ୟାସ୍’ ବାତ୍ୟା ଦ୍ୱାରା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରଖ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବାର ପୂର୍ବାନୁମାନ କରାଯାଇଛି । ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ନିମନ୍ତ ଜିଲ୍ଲା ପ୍ରଶାସନ ସମସ୍ତ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥି ନିମନ୍ତେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଘନ ଘନ ଭିଡ଼ିଓ କନଫରେନସିଂରେ ବୈଠକ ଡ଼କାଇ ପ୍ରସ୍ତୁତିର ସମୀକ୍ଷା କରିବା ପରେ ଆଜି ପୂର୍ବାହ୍ନରେ ପ୍ରସ୍ତୁତିକୁ ନେଇ କ୍ଷେତ୍ର ପରିଦର୍ଶନ ପୂର୍ବକ ସ୍ଥିତାବସ୍ଥାକୁ ସମୀକ୍ଷା କରିଥିଲେ। ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୭, ୯ ଏବଂ ୧୩ରେ ଥିବା ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ଏଥିସହିତ ବାରିପଦା ବ୍ଲକ ରେ ଚିହ୍ନଟ ହୋଇଥିବା ବିକଳ୍ପ ଆଶ୍ରୟ ସ୍ଥଳ ମଧ୍ୟ ବୁଲିଦେଖିଥିଲେ।
ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳରେ ପାନୀୟ ଜଳ, ବିଦ୍ୟୁତ ଯୋଗାଣ ଏବଂ ଔଷଧର ବ୍ୟବସ୍ଥା କରାଯାଇଛି । ଏଥି ସହିତ ଖାଦ୍ୟର ବ୍ୟବସ୍ଥା କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକ ବିଶୋଧନ କରାଯାଉଛି । ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ ହେବାକୁ ଥିବା ଜନସାଧାରଣ ସାମାଜିକ ଦୂରତା ପାଳନ ସହ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଛି । ଗ୍ରୀଷ୍ମ ଋତୁ ହୋଇଥିବା କାରଣରୁ ନଦୀ ନାଳ ଆଦିରେ ଜଳପତନ ବୃଦ୍ଧିପାଇ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ଆଶଙ୍କା କମ୍ ରହିଥିବା ବେଳେ ପ୍ରବଳ , ଅତି ପ୍ରବଳ ବର୍ଷା ଏବଂ ପବନ କାରଣରୁ ହେବାକୁ ଥିବା କ୍ଷୟକ୍ଷତିକୁ ମୁକାବିଲା କରିବା ସଙ୍ଗେ ସଂଗେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ଏହି ଅବସରରେ ବାରିପଦା ଉପଜିଲ୍ଲାପାଳ ତଥା ପୌରନିର୍ବାହୀ ଅଧିକାରୀ ପି ଅନ୍ୱେଶା ରେଡ୍ଡୀ, ଜିଲ୍ଳା ଜରୁରୀକାଳୀନ ଅଧିକାରୀ ସୁଜୟ ପତି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/IMG-20210523-WA0001.jpg)