ବିପଦସଙ୍କୁଳ ପାଟଲିଙ୍ଗା ବାତ୍ୟା ଆଶ୍ରୟସ୍ଥଳୀ…ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

ଆଠଗଡ଼: ଆଠଗଡ଼ ବ୍ଲକ୍‌ କୁଲାଇଲୋ ପଞ୍ଚାୟତ ପାଟଲିଙ୍ଗା ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସୂଚନାନୁସାରେ, ୧୯୯୯ ମହାବାତ୍ୟା ପରେ ୨୦୦୦ ମସିହାରେ ଏହି ସ୍କୁଲ୍‌ ପରିସରରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିଲା। ୧୯୫୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲ୍‌ରେ ବର୍ତ୍ତମାନ ମୋଟ୍‌ ୫୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୩ ଜଣ ଶିକ୍ଷକ ଅଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଦ୍ୟାଳୟରେ ରୋଷଶାଳା ନଥିବାରୁ ବାତ୍ୟା ଆଶ୍ରୟସ୍ଥଳୀରେ ମଧ୍ୟାହ୍ନଭୋଜନ ରନ୍ଧାଯାଇ ପିଲାମାନଙ୍କୁ ଦିଆଯାଉଛି। ଆଶ୍ରୟସ୍ଥଳୀର ପିଲର୍‌ଗୁଡ଼ିକ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଥିବାରୁ ଯେକୌଣସି ସମୟରେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ। ଏହା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଫଳ ମିଳୁନଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଫକୀର ନାୟକଙ୍କୁ ଯୋଗାଯୋଗ କରିବାରୁ; ଏ ବିଷୟରେ ଖୁବ୍‌ଶୀଘ୍ର ବିଇଓଙ୍କୁ ଅବଗତ କରାଯିବ ବୋଲି କହିଥିଲେ।

ବିଇଓ ବିଜୟଲକ୍ଷ୍ମୀ ସାମଲଙ୍କୁ ପଚାରିବାରୁ; ପ୍ରଧାନଶିକ୍ଷକଙ୍କ ଠାରୁ କୌଣସି ଅଭିଯୋଗ ଆସିନାହିଁ। ଯଦି ବାତ୍ୟା ଆଶ୍ରୟସ୍ଥଳୀ ବିପଦସଙ୍କୁଳ ଅବସ୍ଥାରେ ଥିବ, ତେବେ ତା’ ଚାରିପଟେ କଣ୍ଟାବାଡ଼ ବୁଲାଇ ଛାତ୍ରଛାତ୍ରୀଙ୍କୁ ସେଠାକୁ ଯିବାକୁ ବାରଣ କରାଯିବ ବୋଲି ସୂଚନା ଦେଇଥିଲେ। ଅନ୍ୟପକ୍ଷେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି; ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବାପରେ ଏହା ଓସଡ୍‌ମାକୁ ହସ୍ତାନ୍ତର କରାଯାଇଥିଲା। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ଆମ ବିଭାଗର ନୁହେଁ। ବିଭିନ୍ନ ବିଭାଗର ଅଧିକାରୀ ନିଜ ମୁଣ୍ଡରୁ ଦୋଷ ଛଡ଼ାଉ ଥିବାବେଳେ ଏଭଳି ସ୍ଥିତିରେ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ଗ୍ରାମବାସୀ ପ୍ରଶ୍ନ ପଚାରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର