ମୟୂରଭଞ୍ଜ ଜିଲ୍ଲାରେ ୟାସ ବାତ୍ୟା କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ

ଜିଲ୍ଲାରେ ୩୬ କୋଟିରୁ ଉର୍ଦ୍ଧ୍ବ କ୍ଷତି; ବିଦ୍ୟୁତ ଭିତ୍ତିଭୂମିରେ ହୋଇଛି ସର୍ବାଧିକ କ୍ଷତି କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କଲେ

ବାରିପଦା: ବାତ୍ୟା ୟାସ ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୩୬ କୋଟିରୁ ଉର୍ଧ୍ଵ କ୍ଷତି କରିଛି। ବିଦ୍ୟୁତ ଭିତ୍ତିଭୂମି ବାବଦକୁ ଜିଲ୍ଲାରେ ସର୍ବାଧିକ ୧୯ କୋଟିରୁ ଅଧିକ କ୍ଷତି ହୋଇଛି। ସେହିପରି ବିଭିନ୍ନ ବିଦ୍ୟାଳୟ ଗୃହ, ପାଚେରୀ, ଅଙ୍ଗନବାଡ଼ି କେନ୍ଦ୍ର ସହ ଗ୍ରାମ୍ୟ ରାସ୍ତା ଆଦି ବାବଦକୁ କ୍ଷୟକ୍ଷତିକୁ ନେଇ ଡ଼ିଆରଡ଼ିଏ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୧୨.୪୦ କୋଟି ଟଙ୍କା, ବାତ୍ୟା ସମୟରେ ଜନସାଧାରଣଙ୍କୁ ଦିଆଯାଇଥିବା ରିଲିଫ, ସ୍ଥାନାନ୍ତରଣ ସହ କୃଷି, ଉଦ୍ୟାନ କୃଷି ଓ ଘର ଭଙ୍ଗା ଆଦି ସହାୟତା ବାବଦକୁ ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ୩.୪୦ କୋଟି ଟଙ୍କା, ବିଦ୍ୟୁତ ଭିତ୍ତିଭୂମିର କ୍ଷୟ କ୍ଷତି ବାବଦକୁ ନେସ୍କୋ ପକ୍ଷରୁ ୧୯ କୋଟିରୁ ଅଧିକ ଟଙ୍କା , ଗ୍ରାମ୍ୟ ଉନ୍ନୟନ ଏବଂ ରାସ୍ତା ଓ ନଗର ନିର୍ମାଣ ବିଭାଗ ପକ୍ଷରୁ ରାସ୍ତାଘାଟ, ପୋଲ ଆଦିର କ୍ଷୟକ୍ଷତି ବାବଦକୁ ୨ କୋଟିରୁ ଅଧିକ, ଏହି ପରି ପ୍ରାୟ ୩୬ କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଛି। ଏନେଇ ଆଜି ଜିଲ୍ଳା ଗସ୍ତରେ ଆସିଥିବା ଚାରି ଜଣିଆ କେନ୍ଦ୍ରୀୟ ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କ୍ଷୟକ୍ଷତିର ଏକ ସବିଶେଷ ରିପୋର୍ଟ ପ୍ରଦାନ କରାଯାଇଥିବା ଜଣାପଡିଛି। ଗତ ଦୁଇ ସପ୍ତାହ ପୂର୍ବେ ୟାସ ବାତ୍ୟା ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ୟାସର କ୍ଷୟକ୍ଷତି ସମୀକ୍ଷା କରିବାକୁ ଆଜି ପୂର୍ବାହ୍ନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ସୁନୀଲ କୁମାର ବର୍ଣ୍ଣୱାଲାଙ୍କ ନେତୃତ୍ୱରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଣ୍ଡର ସେକ୍ରେଟେରୀ କୈଳାସ କୁମାର, କେନ୍ଦ୍ର ଶକ୍ତି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପ୍ରଧାନ ଓ କେନ୍ଦ୍ର ମତ୍ସ୍ୟ ବିଭାଗର ଟେକ୍ନିକାଲ ଆସିଷ୍ଟାଣ୍ଟ ଦିଗମ୍ବର ସ୍ୱାଇଁ ପ୍ରମୁଖଙ୍କୁ ନେଇ ଏକ ୪ ଜଣିଆ ପ୍ରତିନିଧି ଦଳ ମୟୂରଭଞ୍ଜ ଗସ୍ତରେ ଆସି ବାରିପଦାଠାରେ ପହଞ୍ଚିଥିଲେ।

Sambad

ବାରିପଦା ସର୍କିଟ ହାଉସରେ ପ୍ରଥମେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର, ପି଼ଡି ଡ଼ିଆରଡ଼ିଏ ଭବେଶ କୁମାର ନାୟକ, ଜିଲ୍ଳା ଜରୁରୀ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ବାତ୍ୟା କ୍ଷୟକ୍ଷତିକୁ ନେଇ ପ୍ରାଥମିକ ଆଲୋଚନା କରିଥିଲେ। ଏହାପରେ କେନ୍ଦ୍ରୀୟ ଟିମ କ୍ଷେତ୍ର ପରିଦର୍ଶନରେ ବାହାରି ଗୋପବନ୍ଧୁନଗର ବ୍ଲକ ଅଧୀନ କୁଆମରା ଫାଣ୍ଡି, ଖୁଣ୍ଟା ବ୍ଲକ ବିସିପୁର ୟୁପି ସ୍କୁଲ ଏବଂ ଉଦଳା ବ୍ଲକର ଦୁତିକାଦେଇପୁର ଗ୍ରାମରେ ପହଞ୍ଚି ବାତ୍ୟା ୟାସ ଭାଙ୍ଗି ଦେଇଥିବା ଘରଦ୍ୱାର ଆଦିକୁ ବୁଲି ଦେଖିଥିଲେ। ଏହି ଅବସରରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ ଟିମ। କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ, ଏସପି, ପିଡ଼ି ଡିଆରଡିଏ ପ୍ରମୁଖଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ପଦାଧିକାରୀ ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବାତ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ ଶେଷ କରି ବାରିପଦା ଛଉ ପଡ଼ିଆରୁ ହେଲିକେପ୍ଟର ଯୋଗେ କେନ୍ଦ୍ରୀୟ ଟିମ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ।

ସମ୍ବନ୍ଧିତ ଖବର