ବ୍ରହ୍ମପୁର : ଟାଉନ୍ ଥାନା ଅନ୍ତର୍ଗତ ଚର୍ଚ୍ଚରୋଡ଼ ସ୍ଥିତ ଏକ ଘରେ ରାତି ପ୍ରାୟ ସାଢ଼େ ୮ଟା ବେଳେ ଏକ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।
ସୂଚନା ଅନୁସାରେ ଚର୍ଚ୍ଚରୋଡ଼ରେ ଭି. ଭାସ୍କର ପାତ୍ର ସପରିବାର ନେଇ ରହୁଛନ୍ତି । ସଂଧ୍ୟାରେ ସେ ଘରେ ଅନୁପସ୍ଥିତ ଥିଲେ। ପୁଅ ପ୍ରଶାନ୍ତ, ବୋହୂ ସୁମିତା ଓ ନାତି ସମୀର ଘରେ ଥିଲେ। ସୁମିତା ରାତି ପ୍ରାୟ ସାଢ଼େ ୮ଟା ବେଳେ ପ୍ରଥମ ମହଲାରେ ଥିବା ରୋଷେଇ ଘରେ ଚା’ ତିଆରି କରୁଥିଲେ। ଏହି ସମୟରେ ହାଣ୍ଡିର ଗ୍ୟାସ୍ ସରି ଯାଇଥିଲା। ଫଳରେ ସେ ଏକ ଫୁଲ୍ ହାଣ୍ଡି ଆଣି ରେଗୁଲେଟର୍ ସହିତ ସଂଯୋଗ କରିଥିଲେ। ଏହି ସମୟରେ ହଠାତ୍ ହାଣ୍ଡିରୁ ଗ୍ୟାସ୍ ବାହାରିଥିଲା । ଗ୍ୟାସ୍ ବନ୍ଦ ନହେବାରୁ ସେ ତଳକୁ ଓହ୍ଲାଇ ସ୍ବାମୀଙ୍କୁ କହିଥିଲେ। ତାଙ୍କ ଘର ନିକଟରେ ଏକ ଗ୍ୟାସ୍ ଚୂଲା ମରାମତି ଦୋକାନ ଅଛି। ଏଣୁ ପ୍ରଶାନ୍ତ ଦୋକାନର ଜଣେ କର୍ମଚାରୀ ସୁନୀଲ ଦାସଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ସୁନୀଲ ଘଟଣାସ୍ଥଳକୁ ଯାଇ ରୋଷେଇ ଘର କବାଟ ଖୋଲିବା କ୍ଷଣି ହଠାତ୍ ସିଲିଣ୍ଡର୍ ବ୍ଲାଷ୍ଟ୍ ହୋଇଯାଇଥିଲା। ଫଳରେ ଘରର ଛାତ ଫାଟି ଯାଇଥିବା ବେଳେ ସିମେଣ୍ଟ ଓ ଇଟା ଖଣ୍ଡ ରାସ୍ତା ଉପରକୁ ଛିଟିକି ପଡ଼ିଥିଲା । ଘରର ସିମେଣ୍ଟ୍ ଆଲମିରା ସହିତ ଅନ୍ୟ ଆସବାବପତ୍ର ଭାଙ୍ଗିରୁଜି ଯାଇଛି। ଖବର ପାଇ ବ୍ରହ୍ମପୁର ଦମକଳ ବାହିନୀର ଆସିଷ୍ଟାଣ୍ଟ୍ ଫାୟାର୍ ଅଫିସର୍ ସନ୍ତୋଷ ପାଣିଗ୍ରାହୀଙ୍କୁ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ସୁନୀଲଙ୍କୁ ସେମାନେ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନା ପଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/blast-4.jpg)