ସରକାରୀ ଅର୍ଥ ତୋଷାରପାତ ମାମଲାରେ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ଡାବୁଗାଁ ବିଧାୟକ

ଜୟପୁର: ସରକାରୀ ଅର୍ଥ ତୋଷାରପାତ ମାମଲାରେ ଆଜି ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ତାଙ୍କ ନାଁରେ ହୋଇଥିବା ଗତ ୨୦୧୩ ମସିହାରେ ହୋଇଥିବା ଅଭିଯୋଗ ମାମଲାରେ ଅଭିଯୁକ୍ତ ଥିବା ବିଧାୟକ ଶ୍ରୀ ରନ୍ଧାରୀ ହାଜର ‌ହୋଇ ନିଜ ବୟାନ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ ୨୦୦୬ମସିହାରୁ ୨୦୦୯ମସିହା ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିଲେ। ସେ ସମୟରେ ସେ ବ୍ଲକର ଷ୍ଟୋର ଦାୟିତ୍ବରେ ରହିଥିଲେ। ଏ ସମୟରେ ଫୁଡ଼ ଫୋର ୱାର୍କସ ଅନୁଦାନରେ ଆସିଥିବା ୬ଲକ୍ଷ ଟଙ୍କାର ସିମେଣ୍ଟ ଓ ଲୁହା ଛଡର ହେରଫର ହୋଇଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ନବରଙ୍ଗପୁର ବିଧାୟକ ସ୍ବର୍ଗତଃ ହାବିବୁଲ୍ଲା ଖାନ୍ନ ଏହାର ଅଡିଟ୍ ପାଇଁ ରାଜ୍ୟସରକାରଙ୍କୁ ଅବଗତ କରିଥିଲେ। ଏହା ପରେ ରାଜ୍ୟସରକାର ଏହାର ଅଡିଟ୍ କରାଇଥିଲେ। ଅଡିଟରେ ୬ଲକ୍ଷ ଟଙ୍କାର ସରକାରୀ ଅର୍ଥ ତୋଷାରପାତ୍ ହୋଇଥିବା ଜଣା ପଡ଼ିଥିଲା।

ଏହା ପରେ ପୁଣି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକାଲ ଫଣ୍ଡ ଅଡିଟରେ ବି ଏଭଳି ସରକାରୀ ଅର୍ଥ ତୋଷାରପାତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହି ମାମଲାକୁ ନେଇ ପୂର୍ବତନ କୋଡିଙ୍ଗା ବିଧାୟକ ସଦନ ନାୟକ ଭିଜିଲାନ୍ସ କୋର୍ଟ ଓ ମାନ୍ୟବର ହାଇକୋର୍ଟର ବି ଦ୍ବାରସ୍ଥ ହୋଇଥିଲେ। ପୁଣିଥରେ ୨୦୧୩ମସିହାରେ ପୂର୍ବତନ ବିଧାୟକ ଶ୍ରୀ ନାୟକ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଅଭିଯୋଗ ମାମଲା ଦାୟର କରିଥିଲେ। ଏହାରି ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀ ନାୟକ ନିଜେ ଓ ଅନ୍ୟ ୩ସାକ୍ଷ୍ୟ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ପ୍ରଦାନ କରିଛନ୍ତି। ଆଜି ଅଭିଯୁକ୍ତ ଥିବା ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ନିକଟରେ ହାଜର ହୋଇ ନିଜ ବୟାନ ଦେଇଛନ୍ତି ବୋଲି କହିଛନ୍ତି ତାଙ୍କ ଓକିଲ ଆନନ୍ଦ ରଥ। ଆଗାମୀ ଦିନରେ ବିଧାୟକ ତାଙ୍କ ସପକ୍ଷର ସାକ୍ଷ୍ୟ ବି ପ୍ରଦାନ କରିବେ ବୋଲି କହିଛନ୍ତି ଆଇନଜୀବୀ ଶ୍ରୀ ରଥ।

ସମ୍ବନ୍ଧିତ ଖବର