ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟର ଜଣେ ମହିଳା ନାଜିର ଚନ୍ଦନା ମଣ୍ଡଳ ଗତ ମଇ ମାସରେ ତହସିଲ ଅଫିସରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଚଂଚଳତା କରି ଆତ୍ମସାତ କରିଥିବା ବେଳେ ତାହା ସମଗ୍ର ଜିଲ୍ଲା ତଥା ରାଜ୍ୟରେ ଚହଳ କରିଥିଲା। ତେବେ ତହସିଲ କାର୍ଯ୍ୟାଳୟ ପରେ ଏବେ ଡାବୁଗାଁ ବ୍ଲକ କାର୍ଯ୍ୟାଳୟରୁ ଜଣେ ପିଇଓ ଲକ୍ଷାଧିକ ଭତ୍ତା ଟଙ୍କା ଆତ୍ମସାତ କରି ପୁଣି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଗରିବ, ଦିବ୍ୟାଙ୍ଗ ତଥା ବୃଦ୍ଧ ଓ ବୃଦ୍ଧାଙ୍କ ନିମନ୍ତେ ଆସିଥିବା ଲକ୍ଷାଧିକ ଭତ୍ତା ଟଙ୍କା ଆତ୍ମସାତ କରି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଜଣେ ପିଇଓ ଡାବୁଗାଁ ପୁଲିସ ଦ୍ଵାରା ଗିରଫ ହୋଇଛନ୍ତି। ପିଇଓ ଜଣକକୁ ଡାବୁଗାଁ ପୁଲିସ ନବରଙ୍ଗପୁର ନିକଟ ବିକ୍ରମପୁରରୁ ଗିରଫ କରିଛି। ଗିରଫ ପିଇଓ ହେଲେ ରତନ ଦିଶାରି। ଏ ନେଇ ଡାବୁଗାଁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ ଡାବୁଗାଁ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଇଓ ରତନ ଦିଶାରି (୫୮)ଙ୍କୁ ଗତ ୨୦୧୯ ମସିହା ସେପ୍ଟେଟର ମାସରେ ଜବାଗୁଡ଼ା ଗ୍ରାମ ପଂଚାୟତରେ ଭତ୍ତା ଟଙ୍କା ବାଣ୍ଟିବାକୁ କାର୍ଯ୍ୟାଳୟ ତରଫରୁ ୩ ଲକ୍ଷ ୯ ହଜାର ୧୦୦ ଟଙ୍କା ଦିଆ ଯାଇଥିଲା। ସେହିପରି ୨୦୧୯ ମସିହା ଅକ୍ଟୋବର ମାସରେ କୋଇଲାରି ଗ୍ରାମ ପଂଚାୟତରେ ଭତ୍ତା ବାଣ୍ଟିବା ପାଇଁ ୨ ଲକ୍ଷ ୬୭ ହଜାର ୬୦୦ ଟଙ୍କା ଦିଆ ଯାଇଥିଲା।
ତେବେ ପିଇଓ ରତନ ଦିଶାରି ଭତ୍ତା ଟଙ୍କା ବାଣ୍ଟିବାର ୟୁସି ଭାଉଚର୍ କିମ୍ବା ଭତ୍ତା ବାନ୍ତିବାର କୌଣସି ତଥ୍ୟ କାର୍ଯ୍ୟାଳୟରେ ଦାଖଲ କରି ନ ଥିଲେ। ଗତ ନଭେମ୍ବର ୪ ତାରିଖରୁ ୮ ତାରିଖ ମଧ୍ୟରେ ସେ ଛୁଟିରେ ଯାଇ ଆଉ ତା ପରଠୁ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ। ବ୍ଲକ୍ କାର୍ଯ୍ୟାଳୟ ତରଫରୁ ଏ ନେଇ ପିଇଓ ରତନ ଦିଶାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଧରା ଛୁଆଁ ଦେଇ ନ ଥିଲେ ଓ ଦୀର୍ଘଦିନ ଧରି କାର୍ଯ୍ୟରେ ଯୋଗ ଦେଇ ନ ଥିଲେ। ବାରମ୍ବାର ଯୋଗାଯୋଗ କରି ବିଫଳ ହେବା ପରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ସେପ୍ଟେଟର ମାସ ୨୨ ତାରିଖରେ ଡାବୁଗାଁ ବିଡ଼ିଓ ଶରତ ମାଝୀ ଡାବୁଗାଁ ଥାନାରେ ପିଇଓ ରତନ ଦିଶାରୀଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/33e1a925-0db6-4f49-94ef-8a6cd1f5cced.jpg)