କଣ୍ଟାମାଳ: ଗତ ୨୮ ତାରିଖ ଦିନ ଦହ୍ୟାରେ ଘଟିଯାଇଥିବା ରାଜନୈତିକ ହିଂସା ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ରକ୍ସା ପଞ୍ଚାୟତର ଶତାଧିକ ମହିଳା ସୋମବାର ମନମୁଣ୍ଡା ଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଦିଆଯାଇଥିବା ଏକ ଦାବିପତ୍ରରେ ଉଲ୍ଲେଖ ଅଛି ଯେ, ଘଟଣା ଦିନ କହ୍ନେଇ ଚରଣ ଡାଙ୍ଗ ଏବଂ ତାଙ୍କ ସମର୍ଥକମାନେ ଦହ୍ୟା ହାଟପଦା ବସ୍ତିରେ ରହୁଥିବା ଲୋକଙ୍କ ଘରଦ୍ୱାର ଭାଙ୍ଗି ଆକ୍ରମଣ କରିଥିଲେ। ଏହି ସମୟରେ ସେମାନଙ୍କୁ ବାରଣ କରିବାକୁ ପ୍ରୟାସ କରୁଥିବା ବାବୁଲା ମଲ୍ଲିକ ଓ ତାଙ୍କର କିଛି ସହଯୋଗୀଙ୍କୁ ଯୋଜନାବଦ୍ଧ ଭାବେ ମାରିବା ପାଇଁ ଆକ୍ରମଣକାରୀମାନେ ତାଙ୍କ ଉପରକୁ ୧୪ ରାଉଣ୍ଡ ଗୁଳି ଚାଳନା କରିବା ସହ ହାତ ବୋମା ମଧ୍ୟ ପକାଇଥିଲେ।
ଏଥିରେ ଗୁରୁତର ଆହତ ହୋଇ ଦହ୍ୟା ଗ୍ରାମର ଗୋପାଳ ମଲ୍ଲିକ ଓ ଚନ୍ଦନ ମଲ୍ଲିକ ସମେତ କିରାସିରା ଗ୍ରାମର ରାଜିନ୍ଦ୍ର ଜଗଦଲ୍ଲା ନାମକ ୩ଜଣ ଯୁବକ ଏବେବି ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ୩୦ଜଣଙ୍କ ନାଁରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଏଯାଏ ମାତ୍ର ୧୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୁଖ୍ୟ ଅଭିଯୁକ୍ତମାନେ ଏବେବି ଖୋଲା ଆକାଶ ତଳେ ଘୂରି ବୁଲୁଛନ୍ତି। ପୁଲିସ ଚାପରେ ପଡ଼ି ସେମାନଙ୍କୁ ଜାଣିଶୁଣି ଗିରଫ କରୁ ନଥିବା ବେଳେ ଓଲଟା ଅଭିଯୋଗକାରୀଙ୍କ ବିରୋଧରେ ମିଛ ମାମଲା ରୁଜୁକରି ଅଭିଯୋଗକାରୀଙ୍କ ମୁହଁ ବନ୍ଦ କରିବାର ପ୍ରୟାସ କରୁଛି ବୋଲି ଅଭିଯୋଗ କରିଛନ୍ତି।
ତେଣୁ ମୁଖ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ଅଭିଯୋଗକାରୀଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଦାବିରେ ଥାନା ଘେରାଉ କରିଥିଲେ। ଆନ୍ଦୋଳନକାରୀ ମହିଳାମାନେ ଏ ମର୍ମରେ ମନମୁଣ୍ଡା ଥାନା ପରିସରରେ ବୌଦ୍ଧ ଏସ୍ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଡିଏସ୍ପି ତପସ୍ବିନୀ କଅଁର ମହିଳାଙ୍କୁ ବୁଝାସୁଝା କରି ଏହି ଘଟଣାରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/21-7.jpg)