କରୋନା ମୁକାବିଲା ପାଇଁ ବଡ଼ ଯୋଜନା: ଦିନକୁ ପରୀକ୍ଷା ହେବ ୧୫୦୦ ସ୍ବାବ, ଗଠନ ହେଲା ୩୩ ଟିମ୍

 ‌ଲକ୍ଷଣ ନଥିବା ଆକ୍ରାନ୍ତ ରହିବେ ହୋମ୍ ଆଇସୋଲେସନରେ, ଗୁରୁତରଙ୍କୁ ମେଡ଼ିକାଲ୍ ଆଣିବାକୁ ଅକ୍ସିଜେନ୍ ଭ୍ୟାନର ବ୍ୟବସ୍ଥା

ରାୟଗଡ଼ା: ରାୟଗଡ଼ାରେ କରୋନା ମୁକାବିଲା ପାଇଁ ବଡ଼ ଯୋଜନା କରିଛନ୍ତି ରାଜ୍ୟ ସରକାର। ଆଗାମି ୧ ମାସ ପର୍ଯ୍ୟନ୍ତ ଦିନକୁ ୧୫୦୦ ଲେଖାଁଏ ସ୍ବାବ ପରୀକ୍ଷଣ କରିବାକୁ ନିଷ୍ପତ୍ତି ହୋଇଛି। ଏଥି ପାଇଁ ଜିଲ୍ଲାର ୧୧ଟି ବ୍ଲକ୍ ପାଇଁ ୩୩ଟି ଟିମ୍ ଗଠନ ହୋଇଛି। ପ୍ରତି ବ୍ଲକକୁ ୩ଟି ଟିମ୍ ଗସ୍ତ କରି ଆଣ୍ଟିଜେନ୍ କିଟ୍ ମାଧ୍ୟମରେ ଲୋକଙ୍କ ନିକଟରୁ ସ୍ବାବ ସଂଗ୍ରହ କରିବାକୁ ଆଜି ହୋଇଥିବା ଭିଡ଼ିଓ କନଫରେନସିଂରେ ନିଷ୍ପତ୍ତି ହୋଇଛି। ଅତି ଗୁରୁତର ଆକ୍ରାନ୍ତଙ୍କୁ ଛାଡ଼ିଲେ ଅନ୍ୟ ସମସ୍ତ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରଖି ଡାକ୍ତରୀ ଟିମ୍ ଦ୍ବାରା ଚିକିତ୍ସା କରାଯିବ। ଗୁରୁତରଙ୍କୁ ମେଡ଼ିକାଲ୍ ଆଣିବାକୁ ଆବଶ୍ୟକ ପରିମାଣର ଆମ୍ବୁଲାନସ୍ ନଥିବାରୁ ସ୍ବତନ୍ତ୍ର ଅକ୍ସିଜେନ୍ ଭ୍ୟାନର ବ୍ୟବସ୍ଥା କରିଛି ପ୍ରଶାସନ।

ସେପେଟମ୍ବର ସୁଦ୍ଧା ରାଜ୍ୟକୁ କରୋନା ମୁକ୍ତ କରିବା ଲାଗି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିବା ଜଣା ପଡ଼ିଛି। ରାଜ୍ୟର ଗଞ୍ଜାମ ସମେତ ଅନ୍ୟ କିଛି ଜିଲ୍ଲାରେ ଆଣ୍ଟିଜେନ୍ କିଟ୍ ଦ୍ବାରା ମାସ୍ ଟେଷ୍ଟିଂ ଆରମ୍ଭ ହୋଇ ସାରିଲାଣି। ଦିନେ, ଦୁଇ ଦିନ ମଧ୍ୟରେ ରାୟଗଡ଼ା ଜିଲ୍ଲାରେ ମଧ୍ୟ ଆରମ୍ଭ ହେବା ପାଇଁ ପ୍ରସ୍ତୁତି ଚାଲିଛି। ଏଥି ଲାଗି ଅଭିଜ୍ଞ ସ୍ବାସ୍ଥ୍ୟକର୍ମୀ ଓ ଟେକ୍ନିସିଆନଙ୍କୁ ନେଇ ୩୩ ଟିମ୍ ଗଠନ କରାଯାଇଛି। ଦୁଇ ଦିନ ଧରି ଟିମକୁ ତାଲିମ୍ ଦିଆଯିବା ପରେ ପ୍ରତି ବ୍ଲକରେ ମାସ୍ ଟେଷ୍ଟିଂ ଆରମ୍ଭ ହେବ। ଜିଲ୍ଲାର ୧୧ ବ୍ଲକ୍ ସମେତ ୩ ପୌରାଞ୍ଚଳରେ ମାସ୍ ଟେଷ୍ଟିଂକୁ ଗୁରୁତ୍ବ ଦେବ ସ୍ବାସ୍ଥ୍ୟ ବିଭାଗ।

ସ୍ବାବ ସଂଗ୍ରହ ଓ ପରୀକ୍ଷଣ ପାଇଁ ବ୍ଲକୱାରୀ ପ୍ରତିଦିନ ୩ଟି ଗାଁକୁ ଚିହ୍ନଟ କରାଯିବ। ପୂର୍ବରୁ ଏ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଜଣାଇ ଦିଆଯିବ। ଗାଁ ପିଛା ୫୦ରୁ ୬୦ ଲୋକଙ୍କ ସ୍ବାବ ସଂଗ୍ରହ ହେବ। ପୌରାଞ୍ଚଳରେ ମଧ୍ୟ ୱାର୍ଡ ଅନୁଯାୟୀ ସ୍ବାବ ସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଛି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିବ। ଭୟଭୀତ ନ ହୋଇ ଏଥି ପାଇଁ ଜିଲ୍ଲାବାସୀ ପ୍ରସ୍ତୁତ ରହିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯିବ। ସମସ୍ତ ଆକ୍ରାନ୍ତଙ୍କୁ ହସପିଟାଲକୁ ଅଣାନଯାଇ ଘରେ ରଖି ଚିକିତ୍ସା କରିବା ପାଇଁ ପରାମର୍ଶ ଦିଆଯିବ। ଡାକ୍ତରୀ ଟିମ୍ ପକ୍ଷରୁ ମେଡ଼ିସିନ୍ କିଟ୍ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବା ସହ ୧୪ ଦିନ ହୋମ୍ କ୍ବାରାଣ୍ଟିନରେ ରହିବାକୁ ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟ ବିଭାଗ।

ଏଥି ପାଇଁ ୧୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାୟଗଡ଼‌ାରେ ନିଯୁକ୍ତ କରାଯାଇଛି। ଅଧିକାଂଶ ବିଶେଷଜ୍ଞ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ବାହାରୁ ଆସିଥିବା ବିଶେଷଜ୍ଞ ଡାକ୍ତରଙ୍କ ସୁବିଧା, ଅସୁବିଧା ସଂପର୍କରେ ତଦାରଖ କରିବା ପାଇଁ ଭୁବନେଶ୍ବରରୁ ଏକ ଟିମ୍ ରାୟଗଡ଼ା ଗସ୍ତରେ ଆସିଛନ୍ତି। ସେପେଟମ୍ବର ଶେଷ ସୁଦ୍ଧା କରୋନା ନିୟନ୍ତ୍ରଣ ନେଇ କୌଣସି ଉପାୟ ବାହାରୁନଥିବାରୁ ମାସ୍ ଟେଷ୍ଟିଂକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଜିଲ୍ଲାରେ ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୯ରେ ପହଞ୍ଚିଥିବା ବେଳେ ୯୦୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୬୬ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର