ପାୱାରବେଲି ଗ୍ରାମରେ ମ୍ୟାଲେରିଆ ଆତଙ୍କ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ପାୱାରବେଲି ଗ୍ରାମରେ ମ୍ୟାଲେରିଆ ଆତଙ୍କ ଦେଖା ଦେଇଛି। ଖବର ପାଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ ଗାଁରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇ ଥିବା ଜଣାପଡ଼ିଛି।

ସୂଚନା ପ୍ରକରେ ପାୱାରବେଲି ଗ୍ରାମର ୨୦ ଜଣ ଲୋକ ଗତ ଏକ ମାସ ତଳେ ମାଲକାନଗିରି ଜିଲ୍ଲା ମାଲକାନଗିରିର ଟେକଗୁଡା କଲନିରେ ପଥର ଭଙ୍ଗା କାମ କରିବା ପାଇଁ ଯାଇଥିଲେ। କାମ ଶେଷ କରିବା ପରେ ଗତ ୧୧ ତାରିଖ ଦିନ କିଛି ଲୋକ ଘରକୁ ଫେରି ଥିବା ବେଳେ ଆଉ କିଛି ଲୋକ ୧୨ ତାରିଖ ଦିନ ଘରକୁ ଫେରିଥିଲେ।ତେବେ ଦାଦନ ଯାଇଥିବା ୨୦ ଜଣ ମଧ୍ୟରୁ ନରେନ୍ଦ୍ର ଭତ୍ରା ଅସୁସ୍ଥ ଥିବା ଯୋଗୁଁ ଗତ ୧୧ ତାରିଖ ଦିନ ଫୁପୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଯାଇଥିବା ବେଳେ ରକ୍ତ ନମୁନା ପରୀକ୍ଷା କରାଇ ଥିଲେ।ରକ୍ତ ନମୁନା ପରୀକ୍ଷା ପରେ ମ୍ୟାଲେରିଆ ବାହାରିଥିଲା। ଏହି ଖବର ଜଣାପଡିବା ପରେ ଗତ ୧୨ ତାରିଖ ଦିନ ଝରିଗାଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମଟିଏସ ପ୍ରଦୀପ ବିଶେଇ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଜୀବନ ସନ୍ତା ଓ ଆଶା ଭଗବତୀ ଗୌଡ଼ ପ୍ରମୁଖ ପାୱାରବେଲି ଗ୍ରାମ ପହଞ୍ଚି ଦାଦନ ଯାଇଥିବା କିଛି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ରକ୍ତ ନମୁନା ପରୀକ୍ଷା ପରେ କର୍ଣ୍ଣ ମାଝୀ(୧୬), ଡ଼ମୁଧର ମାଝୀ(୧୯), ଭାସ୍କର ମାଝୀ(୨୦), ଦଶରୁ ଜାନୀ(୩୫), ଅଗାଧୁ ମାଝୀ(୧୬), ଲୋଛମନ ଜାନୀ(୨୪), ସନପଥ ଜାନୀ(୩୧) ଏବଂ  ଜୟ ମାଝୀ(୨୧)ଙ୍କୁ ମ୍ୟାଲେରିଆ ବାହାରିଥିଲା।

ସେହିପରି ଗତ ୧୩ ତାରିଖ ଦିନ ଗଣପତି ଲହରା (୨୦) ଏବଂ ଆଜି ଶଙ୍କର ପାଇକ(୨୬)ଙ୍କ ରକ୍ତ ନମୁନା ପରୀକ୍ଷା କରିବା ପରେ ମ୍ୟାଲେରିଆ ଥିବା ଜଣାପଡ଼ିଥିଲା।ଶେଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ମ୍ୟାଲେରିଆ ପୀଡିତଙ୍କୁ ମାଗଣା ଔଷଧ ଦେବା ସହ କିଭଳି ସେବନ କରାଯିବ ବୁଝାଇ ଥିଲେ। ସେହିପରି ମଶାରୀ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ତିନି ଦିନ ଧରି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର