ସୁନ୍ଦରଗଡ଼: କରୋନା ମହାମାରୀ ଗରିବ ଓ ଶ୍ରମଜୀବୀଙ୍କୁ ତଳିତଳାନ୍ତ କରିଛି। ପେଟ ପାଇଁ ଭାତ ଓ ହାତକୁ କାମ ଖୋଜି ଖୋଜି ଶୋଚନୀୟ ହୋଇପଡ଼ିଲାଣି ସେମାନଙ୍କ ଅବସ୍ଥା। ମନରେଗା ପରି ସରକାରୀ ଶ୍ରମଭିତ୍ତିକ କାମରେ ମାସ ମାସ ଧରି ମଜୁରି ନମିଳିବା ସେମାନଙ୍କୁ ଗାଁ ଭୂଇଁ ଛାଡ଼ି ଦାଦନ ଖଟି ଯିବାକୁ ବାଧ୍ୟ କରିଛି। କିନ୍ତୁ ସେଠାରେ ମଧ୍ୟ ନିସ୍ତାର ନାହିଁ। ଦଲାଲ ସେମାନଙ୍କ ହାଡ଼ଭଙ୍ଗା ପରିଶ୍ରମର ମୂଲ୍ୟ ନେଇ ଚାଲିଆସୁଥିବା ବେଳେ ଦାଦନ ଶ୍ରମିକମାନେ ସେଠାରୁ ବଡ଼ କଷ୍ଟରେ ଲୁଚିଛପି ଗାଁକୁ ଫେରୁଛନ୍ତି।
ସବୁଠାରୁ ବଡ଼କଥା ହେଲା, ଏ ସମ୍ପର୍କରେ ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ କିଛି ଶୁଣୁ ନାହିଁ। ଏପରି ଏକ ଅଭିଯୋଗ ଆସିଛି ବଡ଼ଗାଁ ଥାନା ପାମରା ପଞ୍ଚାୟତରୁ। ଗ୍ରାମର ଦାଦନ ଦଲାଲ ମହେଶ୍ବର ଖୁଣ୍ଟିଆ ଓ ଅମିତ ଖୁଣ୍ଟିଆ ୨୦୨୧ ଜାନୁଆରି ୨୦ ତାରିଖରେ ଗହନୁପଡ଼ାର ଅଙ୍କିତ ଡୁଙ୍ଗଡୁଙ୍ଗ, ପାର୍ଶାନ ଡୁଙ୍ଗଡୁଙ୍ଗ, ସୁଦୀପ ଟେଟେ ଓ ଗଙ୍ଗାାଜଳର ଅମିତ କୁଲୁ, ଶଙ୍କରାପୋଷର ସାଜନ କୁଲୁଙ୍କୁ ମାସିକ ୧୫ ହଜାର ଟଙ୍କା ପାରିଶ୍ରମିକ ଦେବାର ପ୍ରଲୋଭନ ଦେଖାଇ ଚେନ୍ନାଇ ନେଇ ଯାଇଥିଲେ। ଚେନ୍ନାଇର ମେଲାକାଟୁରିଆ ଠାରେ ରିଆଟୋ ଓରାଲ-ବି ଟୁଥ୍ ବ୍ରସ୍ କମ୍ପାନିରେ ଏମାନଙ୍କୁ ନିୟୋଜିତ କରିଥିଲେ। କିନ୍ତୁ ଦେଢ଼ ମାସ କାମ କରିବା ଭିତରେ ଦୈନିକ ଖାିଇବାକୁ ଦେବା ବ୍ୟତୀତ ମଜୁରି ଦିଆଯାଇ ନଥିଲା।
କମ୍ପାନି ମ୍ୟାନେଜରଙ୍କୁ ମଜୁରି ମାଗିବାରୁ ମହେଶ୍ବର ଓ ଅମିତ ଟଙ୍କା ନେଇ ଯାଇଛନ୍ତି କହିଥିଲା। ମଜୁରି ଟଙ୍କା ନମିଳିଲେ କାମ କରିବୁନି କହି ଶ୍ରମିକମାନେ ଘରକୁ ଫେରିଯିବାକୁ ଚାହିବାରୁ କମ୍ପାନି ମ୍ୟାନେଜର ମାଡ଼ପିଟ କରିବା ସହ ସମସ୍ତଙ୍କ ମୋବାଇଲ ଓ ଆଧାରକାର୍ଡ ଛଡ଼ାଇ ନେଲା। ଏପରିକି ସେମାନଙ୍କୁ ଆଉ ଖାଇବାକୁ ନଦେବାରୁ ଶ୍ରମିକମାନେ ଭୋକଉପାସରେ ଲୁଚିଛପି ବହୁ କଷ୍ଟରେ ଗାଁକୁ ମାର୍ଚ୍ଚ ୧୭ରେ ଫେରି ଆସି ଦୁଇ ଦଲାଲଙ୍କ ନାମରେ ଏତଲା ଦେବାକୁ ଥାନାକୁ ଯାଇଥିଲେ। କିନ୍ତୁ ପୁଲିସ ଏତଲା ଗ୍ରହଣ ନକରି ସେମାନଙ୍କୁ ଫେରାଇ ଦେଇଥିଲା। ଏହା ପରେ ଆଜି ଶ୍ରମିକମାନେ ଜିଲ୍ଲାପାଳ, ଏସପି ଓ ଉପଶ୍ରମ ଅଧିକାରୀଙ୍କ ଠାରେ ଅଭିଯୋଗ କରି ତୁରନ୍ତ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମଜୁରି ଟଙ୍କା, ମୋବାଇଲ ଓ ଆଧାରକାର୍ଡ ଫେରସ୍ତ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି।