ରାୟଗଡା: ଡମ୍ ସମାଜର ସଭାପତି ଧନିରାମ ନାୟକଙ୍କ ନେତୃତ୍ବରେ ବୁଧବାର ଦିନ ଶତାଧିକ ଲୋକ ରାୟଗଡ଼ା ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଡମ୍ ସମାଜ ପକ୍ଷରୁ ରହିଥିବା ଦାବିଗୁଡିକ ମଧ୍ୟରୁ ଏସସି ଓ ଏସଟି ବିଭାଗରେ ପରିଚାଳିତ ସ୍କୁଲମାନଙ୍କରେ ଅନୁସୂଚିତ ଜାତିର ପିଲାଙ୍କୁ କେବଳ ୧୦ ପ୍ରତିଶତ ସଂରକ୍ଷଣ ପ୍ରଯ୍ୟାପ୍ତ ନୁହେଁ। ଅନୁସୂଚିତ ଜାତିର ପିଲାଙ୍କ ପାଇଁ ପ୍ରତ୍ୟେକ ସ୍କୁଲ, କଲେଜରେ ୧୦୦ରୁ ୪୦୦ ଶଯ୍ୟା ବିଶିଷ୍ଟ ହୋଷ୍ଟେଲ ନିର୍ମାଣ କରାଯାଉ। ପ୍ରତ୍ୟେକ ବ୍ଲକରେ ୫୦୦ ଶଯ୍ୟା ବିଶିଷ୍ଟ ଦେୟମୁକ୍ତ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଉ।

Advertisment

ସେହିପରି ଏକ ହଜାର ଶଯ୍ୟା ବିଶିଷ୍ଟ ଦେୟମୁକ୍ତ ହୋଷ୍ଟେଲ ନିର୍ମାଣ କଲେ ପିଲାମାନେ ସେଠାରେ ରହି ଯୁକ୍ତ ଦୁଇ, ଯୁକ୍ତି ତିନି ପାଠ ପଢିପାରିବେ। ରାୟଗଡା ଜିଲ୍ଲାରେ ରହିଥିବା କଲେଜଗୁଡିକରେ ସିଟ ସଂଖ୍ୟା ବୃଦ୍ଧି କରିବା ସହ ଅଧ୍ୟାପକ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉ। ଛାତ୍ରଛାତ୍ରୀମାନଙ୍କର ପସନ୍ଦ ମୁତାବକ ବିଷୟ ପଢିବାକୁ ସୁଯୋଗ ଉପଲବ୍ଧ କରାଯାଉ। ଜିଲ୍ଲାରେ ମୋଟ ଜନସଂଖ୍ୟା ହିସାବରେ ଏସସିମାନଙ୍କ ସଂଖ୍ୟା ଦ୍ବିତୀୟ ସ୍ଥାନରେ ରହିଥିବାରୁ ତେଣୁ ରାନୈତିକ ଦ୍ବିତୀୟ ପଦବି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷଣ କରାଯାଉ। ଜିଲ୍ଲାରେ ତିନୋଟି ବିଧାନସଭା ଆସନ ରହିଛି। ତେବେ ଏହାକୁ ସାତୋଟି ବିଧାନସଭାରେ ବୃଦ୍ଧି କରାଯାଉ। ଜିଲ୍ଲାରେ ବାସ କରୁଥିବା ଅନେକ ଅନୁସୂଚିତ ଜାତିର ଲୋକଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇ ନାହିଁ। ସେମାନଙ୍କୁ ଚିହ୍ନଟ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ଦାବି ରହିଛି।

publive-image

ଜିଲ୍ଲାର ଗ୍ରାମାଞ୍ଚଳରୁ ଆସି ସହରର ବିଭିନ୍ନ ସ୍ଥାନରେ ଘର ରହି ଡମ୍ ସମାଜର ଲୋକେ ବସବାସ କରୁଛନ୍ତି। ଏହି ଲୋକମାନେ ଦିନ ମଜୁରିଆ, ଠିକା ମଜୁରିଆ ଏବଂ ଅଣପଞ୍ଜିକୃତ ଶ୍ରମିକମାନେ। ଏମାନଙ୍କୁ ଠିକ ଜାଗାରେ ଥଇଥାନ କରି ସେମାନଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାରର ବ୍ୟବସ୍ଥା କରାଯାଉ। ରାୟଗଡା ଜିଲ୍ଲାରେ ବସବାସ କରୁଥିବା ବେକାର ଯୁବକଯୁବତୀମାନଙ୍କୁ ଲାଞ୍ଜିଗଡ ବେଦାନ୍ତ, ଇମ୍ଫା ଥେରୁବାଲି, ଜେକେ ପେପର ମିଲ, ଉତ୍କଳ ଆଲୁମିନାରେ ଆଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଗଲେ ଗ୍ରାମାଞ୍ଚଳର ବେରୋଜଗାରୀ ଦୁର ହୋଇପାରିବ ବୋଲି କୁହାଯାଇଛି। ଜିଲ୍ଲାର ବହୁ ଅଂଚଳ ମ୍ୟାଲେରିଆ ଡାଇରିଆ ଅଂଚଳ ଥିବାରୁ ବାସ କରୁଥିବା ଆଦିବାସୀ ଓ ଡମ ସମାଜର ଲୋକଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ମେଡିକାଲରେ ପର୍ଯ୍ୟାପ୍ତ ଷ୍ଟାଫ ଓ ସରଞ୍ଜାମ ଗଚ୍ଛିତ ରଖାଯାଉ ବୋଲି ଦାବି କରାଯାଇଛି।

ଏହି ଦାବି ପ୍ରଦାନ ବେଳେ ଡମ୍ ସମାଜର ସାଧାରଣ ସଂପାଦକ ଜନାର୍ଦ୍ଧନ ଗରଡା, କାର୍ଯ୍ୟକାରୀ ସଭାପତି ହାଜାରୀ ନିମାଲୁ, ଉପସଭାପତି ନରେନ୍ଦ୍ର ନାୟକ, ରାମଦାସ ନାୟକ, ବିଷୁ ଖୋସଲା, ପିଲିମାନ ନାୟକ, ତ୍ରିନାଥ ବିଭୋର, ବୃନ୍ଦାବନ ନାୟକ, ଜଳନ୍ଧର ଗରଡା, ଯୁଗ୍ମ ସଂପାଦକ ସାନ୍ତୁନୁ ବାଗ, ମଙ୍ଗଳୁ ନାୟକ, ବିଭୀଷଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।