ସମ୍ବଲପୁର: ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ (ଏସ୍‌ଡିସିସି ବ୍ୟାଙ୍କ), ସମ୍ବଲପୁର ସିଟି ଶାଖା କୋଠାର ଛାତ ରବିବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଭୁଶୁଡ଼ି ପଡ଼ିଛି। ରବିବାର ଛୁଟିଦିନ ଥିବାରୁ ବ୍ୟାଙ୍କ ବନ୍ଦ ରହିଥିଲା, କାର୍ଯ୍ୟଦିବସ ହୋଇଥିଲେ ବଡ଼ ଅଘଟଣ ଘଟିଥାନ୍ତା। ସମ୍ବଲପୁର ସହରର କୁଂଜେଲପଡ଼ାରେ ଏକ ବହୁ ପୁରୁଣା କୋଠାରେ ବହୁ ବର୍ଷ ଧରି ବ୍ୟାଙ୍କର ଏହି ଶାଖା ପରିଚାଳିତ ହେଉଥିଲା। ରବିବାର ‘ସମ୍ବାଦ’ରେ ଏହି କୋଠାର ଶୋଚନୀୟ ଅବସ୍ଥା ସଂପର୍କରେ ଖବର ପ୍ରକାଶିତ ହୋଇଥିଲା।

Advertisment

କୋଠାର ଛାତ ଭୁଶୁଡ଼ିବା ଯୋଗୁଁ ୩ଟି କମ୍ପ୍ୟୁଟର ଭାଂଗି ଯାଇଛି। ଅନ୍ୟ କେତେକ ଆସବାବପତ୍ର, କାଗଜପତ୍ର ବି ନଷ୍ଟ ହୋଇଯାଇଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଶାଖା ଆଗରୁ ସମବାୟ ବ୍ୟାଙ୍କର ମହିଳା ଶାଖା ନାମରେ ପରିଚିତ ଥିଲା। କେବଳ ମହିଳା କର୍ମଚାରୀ ଏଠାରେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କର ପ୍ରାୟତଃ ଗ୍ରାହକ ମଧ୍ୟ ମହିଳା ଥିଲେ। କିଛି ବର୍ଷ ତଳେ ଏହାର ନାମ ପରିବର୍ତ୍ତନ କରାଯାଇ ସମ୍ବଲପୁର ସିଟି ଶାଖା ରଖାଯାଇଥିଲା। ତେବେ, ପୁରୁଣା କୋଠା ହୋଇଥିବାରୁ କାଠ ବିମ୍‌ଗୁଡ଼ିକ ଦବି ଯାଇଥିଲା। ସାମାନ୍ୟ ବର୍ଷାରେ ବି ଟଙ୍କା ଜମା ଓ ଉଠାଣ ପାଇଁ ଥିବା କାଉଣ୍ଟରଗୁଡ଼ିକ ଉପରେ ପାଣି ପଡ଼ୁଥିଲା। ସଂଗେ ସଂଗ‌େ କର୍ମଚାରୀମାନେ କମ୍ପ୍ୟୁଟର ଓ ଅନ୍ୟାନ୍ୟ କାଗଜପତ୍ର ପଲିଥିନରେ ଘୋଡ଼ାଇ ଦେଉଥିଲେ।

ବ୍ୟାଙ୍କ ବନ୍ଦ କରିବା ସମୟରେ ବି କର୍ମଚାରୀମାନେ କମ୍ପ୍ୟୁଟରଗୁଡ଼ିକରେ ପଲିଥିନ ଘୋଡ଼ାଇ ଘରକୁ ଆସୁଥିଲେ। ବର୍ଷା ପାଣି ବ୍ୟାଙ୍କ ଭିତରେ ପଡ଼ୁଥିବାରୁ କର୍ମଚାରୀମାନେ ବି ଭିଜି ଯାଉଥିଲେ। ବଡ଼ ଦୟନୀୟ ଅବସ୍ଥାରେ ସେମାନଙ୍କୁ କାମ କରିବାକୁ ପଡ଼ୁଥିଲା। ବର୍ଷାଦିନେ ବ୍ୟାଙ୍କ ସେବା ବି ପ୍ରଭାବିତ ହେଉଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବରୁ ସ୍ଥାନାନ୍ତର ହୋଇପାରିନଥିଲା। ଆଉ ଆଜି ସକାଳେ ଦବି ଯାଇଥିବା କାଠ ବିମ୍‌ଟି ଭାଂଗିଯିବାରୁ ଛାତ ଭୁଶୁଡ଼ି ପଡ଼ିଥିଲା। ଏ ସଂକ୍ରାନ୍ତରେ ବ୍ୟାଙ୍କର ସିଇଓ ଅମୂଲ୍ୟାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ, ବ୍ୟାଙ୍କ ଭଡ଼ାଘରେ ଚାଲିଥିଲା। ଘରମାଲିକଙ୍କୁ ମରାମତି ପାଇଁ କହିବାରୁ ସେ ଘର ଖାଲି କରିବାକୁ ପ୍ରସ୍ତାବ ଦେଇଥିଲେ। ଗତ ୨ ମାସ ହେଲା ବ୍ୟାଙ୍କ ସ୍ଥାନାନ୍ତର ପାଇଁ କୋଠା ଖୋଜା ଚାଲିଥିଲା। ତେବେ, ଆଜି ସଂପୃକ୍ତ ଅଚଂଳରେ ଦୁଇଟି ଜାଗା ଦେଖିଛୁ। କେଉଁଠି ନୂଆ ଶାଖା ଖୋଲାଯିବ, ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ।