ରାଜନୀତିର ପଶାପାଲିରେ ଅବହେଳିତ ହୋଇଛି ପୂର୍ବତନ ସାଂସଦ-ବିଧାୟକଙ୍କ ପଞ୍ଚାୟତ ‘ଓଡ଼ଙ୍ଗ’, ଗମନାଗମନ ଏଠି ମୁଖ୍ୟ ସମସ୍ୟା

ଭଦ୍ରକ: ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତ ଚିରଦିନ ପାଇଁ ଅବହେଳିତ ହୋଇ ରହିଯାଇଛି। ଏଇ ପଞ୍ଚାୟତରେ ସବୁ ଗାଁକୁ ଭଲ ରାସ୍ତା ନିର୍ମାଣ କରାଯାଇ ପାରି ନ ଥିବାରୁ ଲୋକେ ଖାଳ-ଢିପ ରାସ୍ତାରେ ଯିବା-ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଗମନାଗମନର ଭଲ ସୁବିଧା ନ ଥିବା ଏହି ପଞ୍ଚାୟତବାସୀ ବିଧାୟକ ଓ ସାଂସଦମାନଙ୍କ ନିକଟରେ ବହୁବାର ଦାବି ଉଠାଇଥିଲେ ମଧ୍ୟ କିଛି ଫଳାଫଳ ମିଳି ନାହିଁ। ଓଡ଼ଙ୍ଗ ହେଉଛି ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀ ଓ ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କର ନିଜ ଗାଁ। ହେଲେ ଏଇ ଅଞ୍ଚଳ ସବୁଦିନ ପାଇଁ ଅବହେଳିତ ହୋଇ ରହିଛି।

ଗମନାଗମନ କ୍ଷେତ୍ରରେ ବିକାଶ ପାଇଁ ଓଡ଼ଙ୍ଗର ମହିଁଷିଗୋଠଠାରୁ ଭର୍ସିଂପୁର ଭାୟା ସହାଡାଗଢିଆକୁ ଏକ କଂକ୍ରିଟ ରାସ୍ତା ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଗଲେ ଏଇ ଅଞ୍ଚଳର ଲୋକମାନଙ୍କର ସବୁଦିନିଆ ଦୁଃଖ ଦୂର ହୋଇପାରନ୍ତା। ୮କିଲୋମିଟର ଦୀର୍ଘ ଏଇ ରାସ୍ତା କାମ ପାଇଁ ଆରଡି ଡିପାର୍ଟମେଣ୍ଟର ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଛି। ଏଇ ରାସ୍ତା ଉପରେ ଓଡ଼ଙ୍ଗ, ରାଜେନ୍ଦ୍ରପୁର, କୁସୁନପୁର,ସାହାଡାଗଢ଼ିଆ, ରାଣୀପୁର, ନିମଗଡିଆ, ସୁଆଁପଦାଭର୍ସିଂପୁର, ରାଉତରାଗଡ଼ିଆ, ଗୋଡ଼ିପଦା ଆଦି ଗ୍ରାମର ଲୋକମାନେ ର୍ନିଭର କରୁଛନ୍ତି।

ସେହିପରି ସରମରା ଗ୍ରାମର ଆରଡ଼ିରୋଡ଼ଠାରୁ ତମ୍ଭାପଦି ଦେଇ ବାଙ୍କତିଆ ଆରଡ଼ି ରାସ୍ତାକୁ ସଂଯୋଗ କରୁଥିବା ମାଟି କାଦୁଅ ରାସ୍ତାକୁ କଂକ୍ରିଟ୍‌ ରାସ୍ତା ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବି ହୋଇଆସୁଛି। ୨ କିମିର ଏଇ ଗାଁ ରାସ୍ତା ନିର୍ମାଣ ନ ହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ତୁମ୍ଭାପଦି ଲୋକ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ସରମରା ଆରଡି ରାସ୍ତାରୁ ଗୋହିରା ଗାଁ ରାସ୍ତା ଅଧା କଂକ୍ରିଟ ହୋଇଥିବା ବେଳେ ଏହାକୁ ସଂପୂର୍ଣ୍ଣ କରାଯାଉ ନାହିଁ। ଏହି ରାସ୍ତା ସରମରାରୁ ଗୋହିରା ଦେଇ ଜିରିଣା ଗାଁକୁ ସଂଯୋଗ କରିବାକୁ ଦାବି କରାଯାଉଛି।

ଆଡ଼ିଆ କେନାଲ ରାସ୍ତା ଗୋହିରା ଗାଁ ଦେଇ ଦେବତାଗଡିଆ ଆଡିରୋଡ ଛକ ପର୍ଯ୍ୟନ୍ତ କଂକ୍ରିଟ କିମ୍ବା ପିଚୁରାସ୍ତା ନିର୍ମାଣ କରିବା ପାଇଁ ଜଜସଂପଦ ବିଭାଗକୁ ବହୁଦାର ଦାବି କରାଯାଇଥିଲେ ମଧ୍ୟ ସଂପୃକ୍ତ ବିଭାଗ ଏ ଦିଗରେ ଆଦୌ ଦୃଷ୍ଟି ନ ଦେବା ପରିତାପର ବିଷୟ ହୋଇଛି। ବିଧାୟକ ପ୍ରଫୁଲ୍ଲ ସାମଲ ଏହି ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହେବାର ସୌଭାଗ୍ୟ ପାଇଥିବା ବେଳେ ଏବେ ଓଡ଼ଙ୍ଗ ପଞ୍ଚାୟତ ପ୍ରତି ସେ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସାଂସଦ ମଂଜୁଲତା ମଣ୍ଡଳ ଏବେ ଓଡ଼ଙ୍ଗ ପଞ୍ଚାୟତକୁ ପୌଷ୍ୟ ପଞ୍ଚାୟତ ଭାବେ ଗ୍ରହଣ କରିଛନ୍ତି। ଉଭୟ ବିଧାୟକ ଓ ସାଂସଦ ଏହି ଅଞ୍ଚଳର ଗମନାଗମନ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରମୁଖ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି ଉଠାଇଛନ୍ତି।

ସମ୍ବନ୍ଧିତ ଖବର