ରାଉରକେଲା: କଟକର ‘ଜାଇକା’ ପ୍ରକଳ୍ପ ପରି ରାଉରକେଲାବାସୀଙ୍କୁ କନ୍ଧାଉଛନ୍ତି ସ୍ବରେଜ ବ୍ୟବସ୍ଥା। ୩ ବର୍ଷର ପ୍ରକଳ୍ପକୁ ସାଢ଼େ ୫ ବର୍ଷ ବିତିଗଲାଣି, ତଥାପି କାମ ସରୁନି। କେବେ ସରିବ କାହାରି ପାଖରେ ଉତ୍ତର ନାହିଁ। ଏପଟେ କାମ ନ ସରୁଣୁ ବାଲୁଘାଟରେ ୪୦ ଏମ୍‌ଏଲ୍‌ଡିର ଏସ୍‌ଟିପି (ସ୍ବରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) କାର୍ଯ୍ୟକ୍ଷମ କରି ଦିଆଯାଇଛି। ହେଲେ ସହରରୁ ନିର୍ଗତ ମଇଳା ପାଣି ଯେତିକି ଏସ୍‌ଟିପିକୁ ଯାଉଛି, ତା’ର ଅଧାରୁ ଅଧିକ ସିଧାସଳଖ ବ୍ରାହ୍ମଣୀ ନଦୀରେ ମିଶୁଛି। ପୂର୍ବପରି ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେଉଛି। କେବଳ ଏତିକି ନୁହେଁ ଠିକାସଂସ୍ଥା ଗତ ୨୦୨୧ ସୁଦ୍ଧା ସହରର ପାଖାପାଖି ୨୮ ହଜାର ଘରକୁ ସ୍ବରେଜ ପାଇପ୍‌ ସଂଯୋଗ କରିବାର ଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ୩୦% ଘରକୁ ସ୍ବରେଜ ପାଇପ୍‌ ସଂଯୋଗ ହୋଇପାରିନି।

Advertisment

ଏସବୁ ଭିତରେ ପ୍ରକଳ୍ପ କାମ ସାରି ନଥିବା ଠିକା ସଂସ୍ଥାକୁ ବିଭାଗ ପକ୍ଷରୁ ଜାଣିଶୁଣି ପୁଣି ମେଣ୍ଟେନାନ୍ସ କାମ ହସ୍ତାନ୍ତର କରି ଦିଆଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିରୁ ଯାହା ବୁଝାପଡୁଛି ସ୍ମାର୍ଟସିଟିର ସ୍ବରେଜ ବ୍ୟବସ୍ଥା ଯେମିତି କାହାରି ନଜର ନାହିଁ। ତେଣୁ ଭବିଷ୍ୟତରେ ଏହି ୩୪୦ କୋଟିରରୁ ଅଧିକ ଟଙ୍କାର ପ୍ରକଳ୍ପ ସହରବାସୀଙ୍କ କାମରେ ଆସିବ କି ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସ୍ବରେଜ କାମ ଯୋଗୁ ଡ୍ରେନ୍‌ ପୋତି ହୋଇଯାଇଥିବାରୁ ବର୍ଷା ଦିନେ ତଳିଆ କଲୋନିରେ ଅଧିକାଂଶ ଘରେ ବର୍ଷା ପାଣି ଲହଡି ମାରୁଛି। ଆସନ୍ତା ଦିନରେ ମଧ୍ୟ ସହରବାସୀଙ୍କୁ ସେହି ସମଦଶା ଭୋଗିବାକୁ ପଡ଼ିବ। ବର୍ଜ୍ୟଜଳ ପରିଚାଳନା ପାଇଁ ଆର୍‌ଏମ୍‌ସି ଅଞ୍ଚଳର ପ୍ରଧାନପାଲୀ, ମ୍ୟୁନିସିପାଲ କଲେଜ, ଶିଳ୍ପାଞ୍ଚଳ ଓ ସିଭଲଟାଉସିପ୍‌ରେ ସ୍ବରେଜ ପମ୍ପିଂ ସିଷ୍ଟମ (ଏସ୍‌ପିଏସ୍‌) ସ୍ଥାପନ କରାଯାଇଛି।

ଏସବୁ ଠିକ୍‌ ଭାବେ ଚାଲୁନି। ସେମିତି ରାଉରକେଲା ସରକାରୀ ସ୍ବୟଂ ଶାସିତ କଲେଜ ନିକଟରେ ସ୍ଥାପନା କରାଯାଇଥିବା ମେନ୍‌ ପମ୍ପିଂ ସିଷ୍ଟମ୍‌ (ଏମ୍‌ପିଏସ୍‌)ର ୬ଟି ମୋଟରରୁ ମାତ୍ର ଗୋଟିଏ ଚାଲୁଛି। ଅନ୍ୟ ୫ଟି ଅଚଳ ହୋଇ ପଡ଼ିଛି। ସ୍ବରେଜ ବ୍ୟବସ୍ଥା ଦ୍ବାରା ସହରର ପ୍ରାୟ ୨୮ ହଜାର ଘର ଉପକୃତ ହେବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଅଦ୍ୟାବଧି ଭିଲଟାଉନସିପ୍‌ର ୧୮୦୦ ଘରରୁ ପ୍ରାୟ ୪୦% ଘରକୁ ପାଇପ୍ ସଂଯୋଗ ହୋଇପାରିଛି। ଅବଶିଷ୍ଟ ଘରକୁ ପାଇପ ସଂ‌ଯୋଗ କାମ ଅତି ମନ୍ଥର ଗତିରେ ଚାଲିଛି। ଛେଣ୍ଡ କଲୋନି, ବାସନ୍ତୀ କଲୋନି, କଳିଙ୍ଗ ବିହାର, କଳିଙ୍ଗ ବିହାର ହାଉସିଂ କଲୋନି, ଡେଲିମାର୍କେଟ, ଉଦିତନଗର, ପାନପୋଷ ଆଦି ସ୍ଥାନରେ ସମାନ ସମସ୍ୟା ଉପୁଜିଛି। ବିଭାଗୀୟ ଅଧିକାରୀ ସବୁ କିଛି ଜାଣୁଛନ୍ତି, କିନ୍ତୁ ନ ଜାଣିଲା ପରି ଚୁପ୍‌ ରହୁଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟ କଥା, ବର୍ଷ ବର୍ଷ ଧରି ସହରବାସୀ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ ହେଁ, ଶାସକ ବା ବିରୋଧୀ, କୌଣସି ରାଜନୈତିକ ଦଳର ସ୍ବର ଏ ବାବଦରେ ଶୁଭୁନି। ଉଲ୍ଲେଖଯୋଗ୍ୟ, ସ୍ମାର୍ଟସିଟିର ପରିମଳ ବ୍ୟମସ୍ଥାରେ ସୁଧାର ଆଣିବାକୁ ୨୦୧୭ ଜାନୁଆରି ୯ରେ ସ୍ବରେଜ କାମ ଆରମ୍ଭ ହୋଇଥିଲା। ତିନି ବର୍ଷ, ଅର୍ଥାତ୍‌ ୨୦୨୦ ଜାନୁଆରି ୮ ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଠିକାସଂସ୍ଥା କାମ ନ ସାରିବାରୁ ୬ ମାସ, ଅର୍ଥାତ୍‌ ୨୦୨୦ ଜୁନ୍‌ ଡେଡ୍‌ ଲାଇନ ଦିଆଯାଇଥିଲା। ତଥାପି ଠିକା ସଂସ୍ଥା କାମ ସାରି ପାରି ନଥିଲା। ତା’ ପରେ ପୁଣି ଆହୁରି ୬ ମାସ, ଅର୍ଥାତ୍‌ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଦୁଇ ଦୁଇଥର ସମୟ ଘୁଞ୍ଚାଯାଇଥିଲେ ହେଁ ଅଦ୍ୟାବଧି ପ୍ରାୟ ୩୦ରୁ% କାମ ବାକି ରହିଛି। ଏସବୁ କାମ କେବେ ସରିବ ? ବିଭାଗୀୟ ଅଧିକାରୀଙ୍କ ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ଆସନ୍ତା ଦିନରେ ଏହି ବୃହତ ପ୍ରକଳ୍ପ ସହରବାସୀଙ୍କ କାମରେ ଲାଗିବ ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।