କରୋନା ରୋଗୀଙ୍କ ପାଇଁ ମେଡିକାଲ ଷ୍ଟାଫ୍‌ଙ୍କ ଡ୍ୟାନ୍‌ସ ଥେରାପି

ବଲାଙ୍ଗୀର: କରୋନା ଆକ୍ରାନ୍ତ ରୋଗୀ ପାଇଁ ଔଷଧଠୁ ବେଶି ଜରୁରି ଦୃଢ଼ ମନୋବଳ। କୋଭିଡ ଆକ୍ରାନ୍ତ ହେବା ପରେ ଅଧିକାଂଶ ରୋଗୀ ମାନସିକ ସ୍ତରରେ ଦୁର୍ବଳ ହୋଇପଡୁଥିବା ଦେଖିବାକୁ ମିଳୁଛି। ତେଣୁ ହସପିଟାଲ ଭିତରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମାନସିକ ସ୍ତରରେ ମଜଭୁତ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ କରୁଛନ୍ତି ମେଡିକାଲ ଷ୍ଟାଫ। ବଲାଙ୍ଗୀର କିମ୍ସ କୋଭିଡ ହସପିଟାଲରେ ଏବେ ଦେଖିବାକୁ ମିଳୁଛି ଭିନ୍ନ ଚିତ୍ର। ଜଣେ ୯୩ ବର୍ଷୀୟ ବୃଦ୍ଧଙ୍କ ଜନ୍ମଦିନ ପାଳନ କରି ଚର୍ଚ୍ଚାକୁ ଆସିଥିଲା ହସପିଟାଲ। ଏବେ ଆସିଛି ଦୁଇଟି ଚିତ୍ର। ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଜଣେ ଆଟେଣ୍ଡାଣ୍ଟ ନିଶ ଦାଢ଼ି ସେଭିଂ କରୁଥିବା ଭିଡିଓ ଭାଇରାଲ ହୋଇଛି।

କେବଳ ଏତିକିରେ ସରିନାହିଁ ମେଡିକାଲ ଷ୍ଟାଫଙ୍କ ପ୍ରୟାସ। ପିପିଇ କିଟ୍‌ ପିନ୍ଧି ଡାକ୍ତର ଓ ଅନ୍ୟ କର୍ମଚାରୀମାନେ କୋଭିଡ ୱାର୍ଡରେ ଡ୍ୟାନ୍ସ କରୁଥିବା ଭିଡିଓ ଏବେ ଚର୍ଚ୍ଚାରେ। ଏମାନଙ୍କ ଡ୍ୟାନ୍ସ ଦେଖି ନିଜକୁ ସମ୍ଭାଳି ପାରିନଥିଲେ କିଛି କୋଭିଡ ଆକ୍ରାନ୍ତ। ରୋଗ କଷ୍ଟକୁ ଭୁଲି ଗୀତରେ ତାଳେତାଳେ ଡାନ୍ସ କରୁଥିଲେ କରୋନା ରୋଗୀ। ଡ୍ୟାନସ ମାଧ୍ୟମରେ କରୋନାକୁ ହରାଇବା ପାଇଁ ମାନସିକ ସ୍ତରରେ ରୋଗୀକୁ ଶକ୍ତ କରୁଛନ୍ତି  ଡାକ୍ତର ଓ ମେଡିକାଲ ଷ୍ଟାଫ। କିମ୍ସ ହସପିଟାଲର ଏ ପ୍ରକାର ପ୍ରୟାସକୁ ଦେଖି ବେଶ୍‌ ଖୁସି ରୋଗୀମାନଙ୍କ ସଂର୍ପକୀୟ।

ସମ୍ବନ୍ଧିତ ଖବର