ଚାଲିଛି ଦଣ୍ଡଯାତ୍ରା: ଜମୁଛି ମୟୂରପୁଚ୍ଛ ବେପାର, ବନ୍ଦ ହେଲା ଗାଲେରୀର ମେରୁଯାତ୍ରା

ବୁଗୁଡ଼ା/ଭଞ୍ଜନଗର: କରୋନା କଟକଣା ମଧ୍ୟ‌ରେ ଚଳିତବର୍ଷ ଗଂଜାମ ଜିଲ୍ଲା ବୁଗୁଡ଼ା ସହର ଓ ଉପକଣ୍ଠ ଗ୍ରାମାଞ୍ଚଳରେ ଦଣ୍ଡଯାତ୍ରା ଚାଲିଛି। ଫଳରେ ସବୁଠି ଏବେ ଆଧ୍ୟାତ୍ମିକମୟ ପରିବେଶ। ମହାଦେବ ଓ ମା’ କାଳୀଙ୍କୁ ଧରି ଦଣ୍ଡୁଆମାନେ ନଗର ପରିକ୍ରମା ସହ ବିଭିନ୍ନ ରୀତିନୀତି ପାଳନ କରୁଛନ୍ତି। ଆଉ ଦଣ୍ଡଯାତ୍ରା ସମୟରେ ମୟୂରପୁଚ୍ଛର ବେପାର ଆଶାତୀତ ଭାବେ ବୃଦ୍ଧି ପାଇଛି। ଏଥିପାଇଁ ବୁଗୁଡ଼ାର ଅଞ୍ଚଳର ଅଧିକାଂଶ ବେପାରୀ ମୟୂରପୁଚ୍ଛ ଆବଶ୍ୟକ ପରିମାଣରେ ଆଣି ଗଚ୍ଛିତ ରଖୁଛନ୍ତି।

ଦଣ୍ଡଯାତ୍ରା ସମୟରେ ବୁଗୁଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳରେ ଲକ୍ଷାଧିକ ମୟୂରପୁଚ୍ଛ କାରବାର ହେଉଥିବା ବ୍ୟବସାୟୀମାନେ କହିଛନ୍ତି । ମାନସିକଧାରୀ ଦଣ୍ଡୁଆ ମାନେ ଏହି ପୁଚ୍ଛକୁ ଧାରଣ କରୁଥିବା ବେଳେ ଶ୍ରଦ୍ଧାଳୁ ମାନେ ମନସ୍କାମନା ପୂରଣ ପାଇଁ ଦାନ କରିଥାନ୍ତି। ବର୍ତ୍ତମାନ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ମୟୂରପୁଚ୍ଛ, ବାନା ଓ ଅନ୍ୟାନ୍ୟ ପୂଜା ସାମଗ୍ରୀର ବିକ୍ରିବଟା ଜୋର୍ ଧରିଛି। ତେବେ ମୟୂରପୁଚ୍ଛ ବ୍ୟବସାୟ ବହୁଳ ଭାବେ ବୃଦ୍ଧି ପାଉଥିବା ବେଳେ ରାଜସ୍ଥାନର ଯୋଧପୁର, ଉତ୍ତରପ୍ରଦେଶର ଆଗ୍ରା ଓ ପଶ୍ଚିମବଙ୍ଗର କୋଲକାତାରୁ ଅଣାଯାଉଥିବା ‌ବ୍ୟବସାୟୀ ମାନେ କହିଛନ୍ତି।

କରୋନା ମହାମାରୀର ଦ୍ବିତୀୟ ଲହରର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ସମ୍ଭାବ୍ୟ ପରିସ୍ଥିତିକୁ ନଜର‌ରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ କଟକଣାକୁ ବି କଡ଼ାକଡ଼ି କରାଯାଇଛି। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରାକୁ ୨୫ଜଣ ଦଣ୍ଡୁଆଙ୍କ ମଧ୍ୟରେ ସୀମିତ ରଖାଯାଇଛି। ତଥାପି ଭକ୍ତଙ୍କ ପ୍ରବଳ ଭିଡ଼ ଆଶଙ୍କାରେ ଚଳିତବର୍ଷ ଭଞ୍ଜନଗର ବ୍ଲକ୍ ଗାଲେରୀ ଗ୍ରାମର ପ୍ରସିଦ୍ଧ ମେରୁଯାତ୍ରାକୁ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ, ପୁଲିସ୍‌ ଓ ଯାତ୍ରା କମିଟିର ମିଳିତ ବୈଠକରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।
ଚଳିତବର୍ଷ ପ୍ରଶାସନର କଟକଣା ସତ୍ତ୍ବେ ଗାଲେରୀ ଦଣ୍ଡଯାତ୍ରାର ପ୍ରଥମ ଦିନରେ ବିଭିନ୍ନ ଗ୍ରାମରୁ ସହସ୍ରାଧିକ ଲୋକଙ୍କ ଭିଡ଼ ଜମିଥିଲା। ବିଭିନ୍ନ ରୀତିନୀତି ଓ ପୂଜାର୍ଚ୍ଚନା ଦେଖିବାକୁ ଗ୍ରାମବାସୀ ରୁଣ୍ଡ ହୋଇଯାଇଥିଲେ। ଆସନ୍ତା ୧୩ ତାରିଖରେ ମେରୁ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ଆଶଙ୍କା ଥିବାରୁ ଚଳିତବର୍ଷ ଏହାକୁ ବନ୍ଦ ରଖିବା ଲାଗି ସ୍ଥିର ହୋଇଛି। ଗାଲେରୀ ଦଣ୍ଡକାଳୀ ପ୍ରତ୍ୟକ୍ଷ ‌ଠାକୁରାଣୀ ଭାବେ ଶ୍ରଦ୍ଧାଳୁ ମାନଙ୍କ ଭାବାବେଗ ସହିତ ଜଡ଼ିତ ରହିଥିବାରୁ ମେରୁଯାତ୍ରା ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ତାକୁ ଦୃଷ୍ଟିରେ ରଖି ମନ୍ଦିର ମଧ୍ୟରେ ହିଁ ମେରୁଯାତ୍ରା ରୀତିନୀତି ଭିତରେ ସମ୍ପନ୍ନ ହେବ। ପାଟ ଦଣ୍ଡୁଆଙ୍କୁ ୨୧ ଗରା ପାଣି ମାଠିଆ ‌ଗାଧୋଇବା, ଆମ୍ବ ଫୋପଡ଼ା ଓ ଅଗ୍ନିକୁ ଶାନ୍ତ କରିବା ଭଳି କାର୍ଯ୍ୟକ୍ରମ ହାତଗଣତି ଭୁକ୍ତାଙ୍କୁ ନେଇ ଆୟୋଜନ ହେବ। ଯାତ୍ରା ଦିନ ବାହାର ଶ୍ରଦ୍ଧାଳୁଙ୍କୁ ଗ୍ରାମକୁ ‌ଆସିବା ଉପରେ ସଂପୂର୍ଣ୍ଣ ବାରଣ କରାଯାଇଛି। ବର୍ତ୍ତମାନ କୋଭିଡ ନିୟମ ଅନୁଯାୟୀ କେବଳ ଗ୍ରାମ ଭିତରେ ହିଁ ଦଣ୍ଡଯାତ୍ରା ସମ୍ପନ୍ନ ହେଉଥିବା ସୂର୍ଯ୍ୟନାରାୟଣ ଶତପଥୀ ପ୍ରକାଶ କରିଛନ୍ତି।
ସମ୍ବନ୍ଧିତ ଖବର