ପ୍ରଦୂଷଣ ଓ ଉତ୍ତାପ ସହ ଖୋର୍ଦ୍ଧା ଜିଲ୍ଲାର ଶିଳ୍ପାଞ୍ଚଳରେ ବଢ଼ୁଛି ବିପଜ୍ଜନକ ରସାୟନ, ଦୁର୍ଘଟଣା ଆଶଙ୍କା

ଖୋର୍ଦ୍ଧା: ଆଧୁନିକ ଯନ୍ତ୍ରପାତି ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତିକୁ ହ୍ରାସ କରୁଛି, କିନ୍ତୁ ମଣିଷର ସୁଖସୁବିଧା ପାଇଁ ଗଢ଼ି ଉଠୁଥିବା ଶିଳ୍ପରେ ବ୍ୟବହୃତ ବିପଜ୍ଜନକ ରସାୟନ ସାମଗ୍ରୀକୁ ନେଇ ମଣିଷ ସମାଜ ପ୍ରତି ରହିଥିବା ସଂକଟ ପ୍ରତି ସଜାଗ ନାହିଁ। ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ଦହନଶୀଳ ପ୍ରୋପେନ୍ ଗ୍ୟାସ ଠାରୁ ଆରମ୍ଭ କରି ମାରାତ୍ମକ ଆଇସୋ ସିଆନାଇଡ୍ ଭଳି ଗ୍ୟାସ ବ୍ୟବହୃତ କରୁଥିବା ଶିଳ୍ପ ରହିଥିଲେ ମଧ୍ୟ ଗତ ଦୁଇ ବର୍ଷ ଧରି ଯାଂଚ କରାଯାଇ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇନାହିଁ। ବୈଜ୍ଞାନିକ ଓ ବୈଷୟିକ ଯନ୍ତ୍ରୀ ସତର୍କ କରାଇଛନ୍ତି ଯେ ଗ୍ରୀଷ୍ମ ଋତୁରେ ଉତ୍ତାପ ବୃଦ୍ଧି ସଂଗେ ସଂଗେ ଶିଳ୍ପ ଗୁଡ଼ିକରେ ବ୍ୟବହାର କରିବା ପାଇଁ ମହଜୁଦ ଥିବା ମାରାତ୍ମକ ରସାୟନ ସାମଗ୍ରୀରେ ଦୁର୍ଘଟଣା ଘଟିବାର ସମ୍ଭାବନା ବୃଦ୍ଧି ପାଇଥାଏ। ଏହାସହ ବାତ୍ୟା, ଅଚାନକ ବଢ଼ି (ଫ୍ଲାସ ଫ୍ଲଡ୍) ଆଦି ସମୟରେ ମଧ୍ୟ ମହଜୁଦ ସାମଗ୍ରୀରୁ ରସାୟନ ପରିବେଷରେ ମିଶିବା ଆଶଙ୍କା ରହିଥାଏ। ନିୟମିତ ଭାବେ ଏ ସମସ୍ତ ମାରାତ୍ମକ ରସାୟନ ସାମଗ୍ରୀ ବ୍ୟବହାର କରୁଥିବା ଶିଳ୍ପର ଯାଂଚ କରାଯାଇ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଥାଏ।

କେବଳ ଏହାନୁହେଁ, ଏମ୍ଏସ୍ଆଇଏଚ୍ସି ରୁଲ୍ ୧୯୮୯ର ଧାରା ୧୪ ଅନୁସାରେ, ଜିଲ୍ଲାପାଳ ପ୍ରତି ୪ ମାସରେ ଥରେ ଶିଳ୍ପଗୁଡ଼ିକର ଯାଂଚ କରି ଅଫ୍ସାଇଟ୍ ଆପତକାଳୀନ ବିପର୍ଯ୍ୟୟ ପ୍ରଶମନ ଯୋଜନା ପ୍ରସ୍ତୁତ କରିବା କଥା। କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ୨୦୧୯-୨୦ ପରଠାରୁ ଏନେଇ କୌଣସି ଯାଂଚ କିମ୍ବା ଯୋଜନା ପ୍ରସ୍ତୁତ ହୋଇନାହିଁ। ତିନିବର୍ଷର ପୁରାତନ ରିପୋର୍ଟକୁ ନେଇ ଜିଲ୍ଲା ପ୍ରଶାସନ କେବଳ ଆଖିଦୃଶିଆ ବିପର୍ଯ୍ୟୟ ପ୍ରଶମନ ଯୋଜନା କରିଚାଲିଛି । ନିଜଟରେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଇଁ ୨୦୨୧ ଅଗଷ୍ଟ ୨୧ ତାରିଖରେ ଏନେଇ ଯାଂଚ ଓ ଯୋଜନା ପ୍ରସ୍ତୁତ କରିବାର ସମୟ ସୀମା ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ଏହା ମଧ୍ୟରେ ପ୍ରାୟ ୧ ବର୍ଷ ବିତିଯାଇଥିଲେ ମଧ୍ୟ ଜିଲ୍ଲାରେ ଏନେଇ ଯାଂଚ ଆରମ୍ଭ ହୋଇପାରିନାହିଁ। ଏନେଇ ନିକଟରେ ବିପର୍ଯ୍ୟୟ ପ୍ରଶମନ ବିଭାଗ ଜିଲ୍ଲା ପ୍ରଶାସନକୁ ତାଗିଦ କରିବା ସହ ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଛି।

ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ସହରାଂଚଳ ଶିଳ୍ପାଂଜଳ ଜୋନ୍ ଓ ଖୋର୍ଦ୍ଧା ଗ୍ରାମାଂଚଳ ଜୋନ୍ରେ ୭୦ଟି ବୃହତ ଶିଳ୍ପ ନିଜର ଉତ୍ପାଦ ପାଇଁ ମାରତ୍ମକ ରସାୟନ ସାମଗ୍ରୀ ବ୍ୟବହାର ଓ ମହଜୁଦ ରଖିଥାନ୍ତି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଶିଳ୍ପାଂଚଳ ଜୋନ୍-୧ରେ ବିସ୍କୁଟ ଶିଳ୍ପରେ ବ୍ୟବହୃତ ପ୍ରେପେନ୍ , ଔଷଧ ଶିଳ୍ପରେ ବ୍ୟବହୃତ ସୋଡ଼ିଅମ୍ କ୍ଲୋରାଇଡ୍, ସାଇକ୍ଲୋମିଥୋକ୍ସି ମିଥେନ୍, ଆମୋନିଆ, ପ୍ଲାଷ୍ଟିକ୍ ଫୋମ୍ କାରଖାନାରେ ବ୍ୟବହୃତ ଟୋଲୁ୍ୟନ ଡି ଆଇସୋସିଆଇନାଇଡ୍, କ୍ଲୋରିନ୍, ଭୁବନେଶ୍ୱର ଶିଳ୍ପାଂଚଳ ଜୋନ୍-୨ରେ ଥିବା କୀଟନାଶକ କାରଖାନାରେ କୀଟନାଶକ, ଥଣ୍ଡାପାନୀୟ ଶିଳ୍ପରେ ବ୍ୟବହୃତ କାଲ୍ସିୟମ ହାଇପୋକ୍ଲୋରାଇଟ୍, ସମୁଦ୍ରଜାତ ମାଛ ଆଦିର ପ୍ରକ୍ରିୟାକରଣରେ ବ୍ୟବହୃତ ଆମୋନିଆ, ଗାଲଭାନାଇଜ୍ ଶିଳ୍ପରେ ବ୍ୟବହୃତ ହାଇଡ୍ରୋଜନ କ୍ଲୋରାଇଡ୍ (ହାଇଡ୍ରୋ କ୍ଲୋରିକ୍ ଏସିଡ୍) ଇତ୍ୟାଦି ମହଜୁଦ ରହିଛି। ଏହି ସମସ୍ତ ମାରାତ୍ମକ ରସାୟନ ସାମଗ୍ରୀର ପରିମାଣ ପ୍ରାୟ ହଜାରେ ମେଟ୍ରିକ୍  ଟନ୍ ହେବ।

ସମ୍ବନ୍ଧିତ ଖବର