ଲିମପଡ଼ା ସ୍କୁଲ କୋଠା ବିପଦସଙ୍କୁଳ:ବାରଣ୍ଡାରେ ପାଠପଢ଼ା

ଜୁନାଗଡ଼: ଜୁନାଗଡ଼ ବ୍ଲକ ବୁଢିଦର ପଞ୍ଚାୟତର ଲିମପଡା ପ୍ରାଥମିକ ସ୍କୁଲର କୋଠା ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ରହିଛି। ଫଳରେ ଅନ୍ୟ କିଛି ଉପାୟ ନ ପାଇ ଶିକ୍ଷକମାନେ ସ୍କୁଲ ବାରଣ୍ଡାରେ ପାଠ ପଢାଉଥିବା ଦେଖିବାକୁ ମିଳିଛି। ଏହି ସ୍କୁଲଟି ୧୯୮୬ ମସିହାରେ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପ୍ରର୍ଯ୍ୟନ୍ତ ମାତ୍ର ୧୯ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କୁ ଶିକ୍ଷାଦାନ ଦେବା ପାଇଁ ୨ ଜଣ ଶିକ୍ଷକ ଅଛନ୍ତି। ବହୁ ବର୍ଷ ଧରି ସ୍କୁଲ କୋଠାର କୌଣସି ମରାମତି କରାଯାଇ ନ ଥିବାରୁ ଏବେ ଏହା ବିପଦ ସଂକୁଳ ଅବସ୍ଥାରେ ରହିଛିି। ଖରା ହେଲେ ଏହି କୋଠା ଛାତରୁ ସିମେଣ୍ଟ ଖଣ୍ଡ ଗୁଡିକ ପଡୁଥିବା ବେଳେ ବର୍ଷା ହେଲେ ପାଣି ଗଳୁଛି।

ଏପରିକି ଛାତରୁ ସିମେଣ୍ଟ ଖଣ୍ଡ ଗୁଡ଼ିକ ପଡ଼ିଯାଇଥିବାରୁ ଲୁହାରଡ ଗୁଡିକ ଜଳ ଜଳ ହୋଇ ଦେଖାଯାଉଛି। କେତେବେଳେ ଯେ କୋଠାଟି ଭୁଶୁଡି ପଡ଼ିବ ତାହାର କିଛି ଗ୍ୟାରେଣ୍ଟି ମଧ୍ୟ ନାହିଁ। ଘଟଣା ସଂପର୍କରେ ସ୍କୁଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ। ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ଶୁକ୍ଳାମ୍ବର ମେହେରଙ୍କୁ ପଚାରିବାରୁ ସ୍କୁଲ କୋଠା ବିପଦ ସଂକୁଳ ରହିଛି। ଅନ୍ୟ କିଛି ଉପାୟ ନ ଥିବାରୁ ବାଧ୍ୟ ହୋଇ ବାରଣ୍ଡାରେ ପାଠ ପଢାଯାଉଛି। ଏ ବିଷୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଛୁ ବୋଲି ସେ କହିଥିଲେ। ତୁରନ୍ତ ସ୍କୁଲର କୋଠା ମରାମତି ପାଇଁ ଦାବି ହେଉଛି।

ଗଣ୍ଡାବାହାଲି, : ସିନାପାଲି ବ୍ଲକ୍‌ ମଖାପଦର ଗ୍ରାମପଞ୍ଚାୟତ ଝାଙ୍କରଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ କୋଠରି ସମସ୍ୟା ଦେଖାଦେଇଛି। ୮ଟି ଶ୍ରେଣୀକୁ ୩ଟି ଶ୍ରେଣୀ କୋଠରି ଥିବା ଯୋଗୁଁ ଶିକ୍ଷକ ତଥା ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏହି ସ୍କୁଲ୍‌ ୧୯୭୦ ମସିହାରେ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଓ ୫ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି।

ହେଲେ ବିଦ୍ୟାଳୟର ମୁଖ୍ୟ ସମସ୍ୟା ହେଲା ଶ୍ରେଣୀ କୋଠରି ସମସ୍ୟା। ୮ଟି ଶ୍ରେଣୀ ପାଇଁ ମାତ୍ର ୩ଟି ଶ୍ରେଣୀ କଠୋରି ଅଛି ଯାହାଦ୍ୱାରା କି ଶିକ୍ଷାଦାନରେ ବହୁ ବାଧା ଉପୁଜୁଛି ବୋଲି ସଂପୃକ୍ତ ବିଦ୍ୟାଳୟର ଶିକ୍ଷକମାନେ ପ୍ରକାଶ କରିଛନ୍ତି। ପରିଚାଳନା କମିଟିର କହିବାନୁସାରେ ସେମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇ ସାରିଛନ୍ତି ହେଲେ ଏ ଯାବତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଉକ୍ତ ସମସ୍ୟା ବ୍ୟତୀତ ବିଦ୍ୟାଳୟରେ ପାଚେରି ନାହିଁ, ଚତୁଃପାର୍ଶ୍ୱ ଖୋଲା ପଡ଼ିଛି। ଯାହାଦ୍ୱାରା କି ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସୁରକ୍ଷିତ ମଣୁନାହାନ୍ତି। ତେଣୁ ଉକ୍ତ ସମସ୍ୟାର ସମାଧାନ ମଧ୍ୟ ଜରୁରି ମନେ ହୁଏ। ତେଣୁ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ ପ୍ରତ୍ୟକ୍ଷ ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର