ଜୟପୁର: ମାଳଭୂମିର ବିରଳ ବଜ୍ରକାପ୍ତାକୁ ୬୦ଲକ୍ଷରେ ବିଦେଶକୁ ଚାଲାଣ କରିବାକୁ ବନ୍ୟଜନ୍ତୁ ମାଫିଆ ମାନେ କରିଥିଲେ ଯୋଜନା। ଜୟପୁର ବନଖଣ୍ଡ ସହଯୋଗରେ (ସ୍ପେଶିଆଲ୍ ଟାସ୍କ ଫୋର୍ସ) ତାହାକୁ ପଣ୍ଡ କରିଛି। ଏସଟିଏଫର ଛଅ ଜଣିଆ ଦଳ ବନ୍ୟଜନ୍ତୁ ଚାଳାଣକାରୀ ବ୍ୟବସାୟୀଙ୍କ ଛଦ୍ମବେଶରେ ଜୟପୁର ସହରର ବାମୁଣୀଗାଁ ନିକଟରେ ବନ୍ୟଜନ୍ତୁ ଚାଳାଣକାରୀ ଦ୍ବୟଙ୍କୁ ଧରିବା ସହ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ବୈପାରୀଗୁଡା ଥାନା ଅର୍ନ୍ତଗତ ରାମଗିରି ବଡ଼ପଡ଼ା ଗାଁର କାର୍ତ୍ତିକ ହରିଜନ ଓ ଦୂର୍ଯ୍ୟୋ ମାଠପଡିଆ। ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିବା ବେଳେ ଆଜି ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଳାଣ କରାଯାଇଥିବା କହିଛନ୍ତି ଜୟପୁର ରେଂଜ ଅଧିକାରୀ ସଚ୍ଚିଦାନନ୍ଦ ପରିଡ଼ା ଓ ଫରେଷ୍ଟର ରଂଜିତା ନାୟକ। ସୂଚନା ଅନୁଯାୟୀ, ବୈପାରୀଗୁଡା ରେଂଜର ରାମଗିରୀ ବଡପଡ଼ା ଅଂଚଳରୁ ନିୟମିତ ଭାବେ ଶୀକାରୀ ଓ ଚାଳାଣକାରୀ ମାନେ ବନ୍ୟଜନ୍ତୁ ଶୀକାର କରି ବାହାର ରାଜ୍ୟକୁ ଚାଳାଣ କରୁଥିବା ସୂଚନା ଜୟପୁର ବନଖଣ୍ଡର ଜୟପୁର ରେଂଜ ଅଧିକାରୀ ପାଇଥିଲେ। ସେ ଏହି ସୂଚନାକୁ ନେଇ ବନଖଣ୍ଡ ଅଧିକାରୀ ପ୍ରତାପ ବେହେରାଙ୍କୁ ଅବଗତ କରିଥିଲେ। ବନଖଣ୍ଡ ଅଧିକାରୀ ଏସଟିଏଫର ସହଯୋଗ ଲୋଡ଼ିଥିଲେ। ଏସଟିଏଫ ଅଧିକାରୀ ମାନେ ଗତ କିଛି ଦିନ ହେବ ଜୟପୁରରେ ଡେରା ପକାଇ ରହିଥିଲେ। ଚାଳାଣକାରୀଙ୍କ ସହ ବନ୍ୟଜନ୍ତୁ କିଣୁଥିବା ବ୍ୟବସାୟୀଙ୍କ ଭଳି ଅଭିନୟ କରି ବଜ୍ରକାପ୍ତା କିଣିବାକୁ ଡିଲ୍ ଆରମ୍ଭ କରିଥିଲେ। ଶୀକାରୀ ମାନେ ବଜ୍ରକାପ୍ତାର ଦାମ ୬୦ଲକ୍ଷ ବୋଲି ଦର କହିଥିଲେ। ତା’ପରେ ବହୁ ମୁଲଚାଲ ପରେ ୬ଲକ୍ଷରେ ଏହାକୁ କିଣିବାକୁ ଏସଟିଏଫର ଅଧିକାରୀ ମାନେ ବନ୍ୟଜନ୍ତୁ ଶୀକାରୀଙ୍କୁ କହିବା ପରେ ଗତ କାଲି ସଂଧ୍ୟାରେ ଏହି ଚାଳାଣକାରୀ ମାନେ ୧୮ଜଣିଆ ଗୃପ ସହ ବଜ୍ରକାପ୍ତାକୁ ଧରି ଜୟପୁର ଆସିଥିଲେ। ସହର ନିକଟବର୍ତ୍ତୀ ବାମୁଣୀଗାଁ ଠାରେ ଏସଟିଏଫର ଅଧିକାରୀ ମାନେ କିଣିବା ବାହାନା କରିଥିଲେ।
ସେଠାରେ ପୂର୍ବରୁ ଛପି ରହିଥିବା ଜୟପୁର ବନଖଣ୍ଡର ରେଂଜ ଅଧିକାରୀ ଶ୍ରୀ ପରିଡ଼ା, ଫରେଷ୍ଟର ରଂଜିତା ନାୟକଓ ଅନ୍ୟ କର୍ମଚାରୀ ମାନେ ଅଚାନକ ଚଢ଼ାଉ କରି ୨ଜଣ ଶୀକାରୀଙ୍କୁ ଡିଲ୍ ବେଳେ ଧରିଥିଲେ। ତେବେ ଚଢ଼ାଉ ଦେଖି ଘଟଣାସ୍ଥଳୁ ୧୬ଜଣ ଚମ୍ପଟ ମାରିଥିବା ବେଳେ ୨ଜଣ ଧରାପଡ଼ିଥିବା କହିଛନ୍ତି ରେଂଜ ଅଧିକାରୀ। ଉଦ୍ଧାର ବଜ୍ରକାପ୍ତାର ଓଜନ ସାଢେ ୮ କିଲୋ ହେବ। ଏହା ପୂର୍ବରୁ ବି ଗୁପ୍ତେଶ୍ବର ରେଂଜ ଅଂଚଳରୁ ଏଭଳି ବଜ୍ରକାପ୍ତା ଚାଲାଣ ହେବା ପୂର୍ବରୁ ବନବିଭାଗ ଧରିଥିଲେ। ଗୁପ୍ତେଶ୍ବର ରେଂଜ ଅଂଚଳକୁ ଜୈବବିବିଧିତା କେନ୍ଦ୍ର କରିବାକୁ ରାଜ୍ୟସରକାର ଯୋଜନା କରିଛନ୍ତି। ବିଲୁପ୍ତ ପ୍ରାୟ ବଜ୍ରାକାପ୍ତା ବିଦେଶରେ ଚାହିଦା ଅଧିକା ରହିଥିବାରୁ ବହୁ ଚାଳାଣକାରୀ ଏଠାକୁ ଆସି ଏଠାରୁ ନେଉଥିବା ସୂଚନା ମିଳିଛି। କେବଳ ଯେ ବଜ୍ରକାପ୍ତା ତା’ ନୁହେଁ ବିଭିନ୍ନ ବନ୍ୟଜନ୍ତୁକୁ ଶୀକାରୀ ମାନେ ଶୀକାର କରିବା ପରେ ଏସବୁକୁ ବାହାରରାଜ୍ୟ ଓ ଦେଶକୁ ଚାଳାଣ ହେଉଥିବା ସୂଚନା ମିଳିଛି। ବେଳଥାଉଣୁ ବନବିଭାଗ ପଦକ୍ଷେପ ନେବା ଏବଂ ଏସଟିଏଫ ସହଯୋଗ କରିବା ଫଳରେ ବିରଳ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ବଜ୍ରକାପ୍ତାକୁ ପଶୁ ଚିକିତ୍ସିକଙ୍କ ନିକଟରେ ଚିକିତ୍ସା କରାଯାଇଛି। ଏହାକୁ ଆଗାମୀ ଦିନରେ ଭୁବନେଶ୍ବର ନନ୍ଦନକାନନକୁ ନେଇ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।