ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ସମୟରେ ନିଜେ ବନ୍ଧୁକ ଗୁଳିର ଶିକାର ହେଲେ ଯୁବକ: ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବି.ଡକେବାଡି ଗ୍ରାମର ଜଣେ ଯୁବକ ଗତକାଲି (ରବିବାର) କେତେଜଣ ସାଙ୍ଗଙ୍କ ସହିତ ବନ୍ଧୁକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ଜଙ୍ଗଲକୁ ଶିକାର କରିବାପାଇଁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ରାତିରେ ବନ୍ଧୁକ ଗୁଳିରେ ଉକ୍ତ ଯୁବକଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ମୃତ ଯୁବକଙ୍କ ନାମ କ୍ରିଷ୍ଣା ନାୟକ(୨୮) ବୋଲି ଜଣାପଡ଼ିଛି।

ଆଜି ସକାଳେ କ୍ରିଷ୍ଣାଙ୍କ ପରିବାରର ସଦସ୍ୟ ଏହି ଘଟଣା ନେଇ ଦାରିଙ୍ଗବାଡ଼ି ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଥାନା ଅଧିକାରୀ କୌଶିକ ମାଝୀ ଘଟଣାସ୍ଥଳରେ ପହଞ୍ଚି ମୃତ କ୍ରିଷ୍ଣା ନାୟକଙ୍କ ମୃତଶରୀରକୁ ଜବତ କରିଛନ୍ତି। ଏଥିସହିତ ଏହି ଘଟଣାର ସତ୍ୟାସତ୍ୟ କ’ଣ ହୋଇପାରେ ସେ ନେଇ ତଦନ୍ତ କରୁଥିବା କହିଛନ୍ତି।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ କ୍ରିଷ୍ଣା ନାୟକଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲା। ତେବେ ବନ୍ଧୁକ ଗୁଳିରେ କ୍ରିଷ୍ଣାଙ୍କ ମୃତ୍ୟୁ ହେବା ପରେ ଅନ୍ୟ କେତେଜଣ ଯୁବକ ତାଙ୍କୁ ଆଣି ତାଙ୍କ ଘର ସାମ୍ନାରେ ପକାଇ ଚାଲି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର