ସମ୍ବାଦର ପ୍ରଭାବ, ନିଖୋଜ ମାଆକୁ ଫେରିପାଇଲେ ଝିଅ

ବୈପାରିଗୁଡା: ଅସହାୟ ଅବସ୍ଥାରେ ଘୂରି ବୁଲୁଥିବା ମାଳତୀ ନିଶିକା ନାମ୍ନୀ ବୃଦ୍ଧାଙ୍କୁ ବୈପାରିଗୁଡା ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ବିମଳା ଖିଲ ଦୁଇ ମାସ ଧରି ନିଜ ପାଖରେ ଆଶ୍ରୟ ଦେବା ସହ ସମ୍ବାଦ ଖବରଦାତା ଏବଂ ଫ୍ରେଣ୍ଡସ ୟୁନିଟ୍ କ୍ଲବ ସହାୟତାରେ ବୈପାରିଗୁଡା ନିକଟସ୍ଥ ମୁଣ୍ଡାଗୁଡାଠାରେ ରହିଥିବା ବୃଦ୍ଧାଶ୍ରମରେ ରଖାଯାଇଥିଲା। ଏହି ଖବର ସମ୍ବାଦରେ ପ୍ରକାଶ ପାଇବା ପରେ ମାଳତୀଙ୍କ ଝିଅ ଉର୍ମିଳା ଖବର ପଢ଼ି ସ୍ଥାନୀୟ ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହାୟତାରେ ବୈପାରିଗୁଡା ପହଞ୍ଚି ନିଜ ମାଆକୁ ଫେରେଇ ନେବା ସମ୍ଭବ ହୋଇପାରିଛି। ସ୍ମରଣଯୋଗ୍ୟ ଯେ ରାୟଗଡ଼ା ନିକଟସ୍ଥ ବାଙ୍କିଲି ଗ୍ରାମର ମାଳତୀ ନିଶିକା ନିଜ ପୁଅ ବୋହୂ ସହ ଆନ୍ଧ୍ର ଦାଦନ ଖଟିବାକୁ ଯାଉଥିଲେ। କିଛି ମାସ ପରେ ନିଜ ଗ୍ରାମକୁ ଫେରିବା ବେଳେ ବୋହୂର ଜିଦ୍ ଯୋଗୁଁ ମାଆକୁ ସାଥିରେ ନନେଇ ଅଧା ବାଟରେ ବସରୁ ଓହ୍ଲେଇ ଦେଇଥିଲେ।

ଅସହାୟ ମାଳତୀ ବୁଲି ବୁଲି ଶେଷରେ ବୈପାରିଗୁଡା ବ୍ଲକର ଚିପାକୁର ପଞ୍ଚାୟତର ସୁନ୍ଦରଯୋଡି ଗ୍ରାମରେ ପହଞ୍ଚିଥିଲେ। ତେବେ ସେ କେବଳ କୁଇ ଭାଷାରେ କଥାବାର୍ତ୍ତା କରୁଥିବାରୁ ତାଙ୍କୁ କେହି ବୁଝି ପାରୁନଥିବା ବେଳେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ବିମଳା ଖିଲ ମାଳତୀଙ୍କ ସହ କୁଇ ଭାଷାରେ କଥା ହେବା ସହ ତାଙ୍କ କରୁଣ କାହାଣୀ ଶୁଣି ନିଜ ଘରେ ଦୁଇ ମାସ ଆଶ୍ରୟ ଦେଇଥିଲେ। ପରେ ଫ୍ରେଣ୍ଡସ ୟୁନିଟ କ୍ଲବ ଓ ସମ୍ବାଦର ଖବରଦାତାଙ୍କ ସହାୟତାରେ ବୃଦ୍ଧାଶ୍ରମରେ ରଖାଯାଇଥିଲା। ସମ୍ବାଦରୁ ଖବର ପଢ଼ି ମାଳତୀଙ୍କ ଝିଅ ଉର୍ମିଳା ନିଜ ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଜଣାଇଥିଲେ। ଆଜି ଉର୍ମିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଏବଂ ସଂପାଦିକା ତଥା ପଡ଼ୋଶୀଙ୍କ ସହ ବୈପାରିଗୁଡା ପହଞ୍ଚି ଫ୍ରେଣ୍ଡସ ୟୁନିଟ କ୍ଲବ ଏବଂ ସ୍ଥାନୀୟ ସମ୍ବାଦ ଖବରଦାତାଙ୍କୁ ଭେଟିଥିଲେ। ଉର୍ମିଳାଙ୍କ କହିବା ଅନୁଯାୟୀ ମାଆଙ୍କୁ ଅଧା ବାଟରେ ବସରୁ ଓହ୍ଲେଇ ଦେଇ ଭାଇ ଭାଉଜଙ୍କ ସହ ଶ୍ଵଶୁର ଘରକୁ ଚାଲିଯାଇଥିଲେ। ଉର୍ମିଳା ଗାଆଁରେ ରହି କୁଲି କାମ କରୁଥିଲେ।

ମାଆ ନଫେରିବା ଦେଖି ଅନେକ ଖୋଜିବା ପରେ ରାୟଗଡ଼ାର ଚାନ୍ଦିଲି ଥାନାରେ ନିଖୋଜ ସଂପର୍କରେ ଜଣାଇଥିଲେ। ସମ୍ବାଦରୁ ପଢ଼ି ମାଆଙ୍କୁ ଫେରେଇନେବା ପାଇଁ ଆସିଛନ୍ତି। ତେବେ ସମ୍ବାଦ ଖବରଦାତା ଓ ଫ୍ରେଣ୍ଡସ ୟୁନିଟ କ୍ଲବର ସଭ୍ୟମାନଙ୍କ ସହ ଥାନାରେ ପହଞ୍ଚି ସବୁ ଜଣାଇବା ସହ ଲିଖିତ ଆବେଦନ କରିଥିଲେ। ଖବର ପାଇ ବିମଳା ଖିଲ ବୈପାରିଗୁଡାରେ ପହଞ୍ଚି ମାଳତୀଙ୍କ ଝିଅ ଫେରେଇ ନେବା ଜାଣି ଖୁସି ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ, ସମୟ ସୁବିଧା ଦେଖି ମାଳତୀଙ୍କୁ ଭେଟିବା ପାଇଁ ଆସିବା ଚିନ୍ତା କରିଥିଲେ। ଆଜି ସେ ପରିବାର ଲୋକଙ୍କ ସହ ଫେରୁଥିବାରୁ ବିଶେଷ ଖୁସି। ବୈପାରିଗୁଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ମାଳତୀଙ୍କୁ ଭେଟି ଶାଢ଼ୀ ଏବଂ ଆର୍ଥିକ ସାହାଯ୍ୟ ଦେବା ସହ ସମ୍ବାଦର ଉଚ୍ଚ ପ୍ରଶଂସା କରିଛନ୍ତି। ଏହାଛଡା ଫ୍ରେଣ୍ଡସ୍ ୟୁନିଟ୍ କ୍ଲବର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ। ଫ୍ରେଣ୍ଡସ୍ ୟୁନିଟ୍ କ୍ଲବର ସଭାପତି ଭୀମସେନ ହରିଜନ, ଉପସଭାପତି ମଧୂସୁଦନ ରାଉତ, ପ୍ରତିଷ୍ଠାତା ଏନ୍.ସନ୍ତୋଷ କୁମାର, ସନୁ ତେନ୍ତୁଳିପାଡିଆ ଏବଂ ଚକ୍ର ବୈରାଗୀଙ୍କ ସହ ସମ୍ବାଦ ଖବରଦାତା ଅମରେନ୍ଦ୍ର ପରିଚ୍ଛାଙ୍କୁ ତଥା ବୈପାରିଗୁଡା ପୁଲିସ କୁ ଉର୍ମିଳା ଏବଂ ଆଲୋକ ସ୍ବୟଂ ସହାୟକ ଗୋଷ୍ଠୀ କୃତଜ୍ଞତା ଜଣାଇବା ସହ ମାଳତୀଙ୍କୁ ଧରି ଫେରିଥିଲେ।

ସମ୍ବନ୍ଧିତ ଖବର