ରାଉରକେଲା: ପୁରୁଷ ହକି ବିଶ୍ବକପ୍‌ ବେଳେ ଚକାଚକ୍‌ ହେଲା ସ୍ମାର୍ଟସିଟି। ସହର ସୌନ୍ଦର୍ଯ୍ୟକରଣରେ ପାଣି ବୋହିଲା ପରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। ହେଲେ ତରବରିଆ କାମ ଓ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ମାତ୍ର କେଇ ମାସ ମଧ୍ୟରେ ବଦଳିଗଲା ସହରର ଚିତ୍ର। ନିକଟରେ ରାଉରକେଲା ବିମାନ ବନ୍ଦର ପାର୍ଶ୍ବରେ ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିଥିବା ହକି ଷ୍ଟାଚ୍ୟୁ ଭାଙ୍ଗିଯିବା ଘଟଣା ବିକାଶମୂଳକ କାମର ଅସଲି ଚିତ୍ରକୁ ପଦାରେ ପକାଇଛି। ଏବେ ବାସନ୍ତୀ କଲୋନି ଡିଏଭି ୱାଟର ପାର୍କରେ ସମାନ ସ୍ଥିତି ଉପୁଜିଛି। ୧୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୱାର୍ଟର ପାର୍କର ସୌନ୍ଦର୍ଯ୍ୟକରଣ କାମ ହୋଇଛି। କିନ୍ତୁ ସହରବାସୀଙ୍କୁ ଏତେଟା ଆକର୍ଷଣ କରିପାରୁନି। ଆର୍‌ଏମ୍‌ସି ଅଧୀନରେ ପରିଚାଳିତ ହେଉଥିବା ୱାର୍ଟର ପାର୍କ ଲାଗିଥିବା ରେଲିଂ ଚୋରି ହୋଇଗଲାଣି।

Advertisment

ଘୋଷଣାରେ ସୀମିତ ବୋଟିଂ ସେବା
ମ୍ୟୁଜିକାଲ୍‌ ଫାଉଣ୍ଟେନ ଅଚଳ
ଖର୍ଚ୍ଚ ହୋଇଛି ୧୪ କୋଟିରୁ ଅଧିକ

ବୋଟିଂ ସେବା ଘୋଷଣାରେ ସୀମିତ ରହିଛି। ପାର୍କ ମଧ୍ୟରେ ନିର୍ମାଣ ହୋଇଥିବା ଦୋକାନଗୁଡ଼ିକ ଏଯାଏଁ ଖୋଲୁନି। କେବେ ଖୋଲିବ, କାହାରି ପାଖରେ ସଠିକ୍‌ ଉତ୍ତର ନାହିଁ। ରାତିରେ ହେଲେ ପାର୍କ ମଧ୍ୟରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି। ଡିଏଭି ପୋଖରୀ ମଧ୍ୟରେ ଲାଗିଥିବା ୫ରୁ ଅଧିକ ୱାଟର ଫାଉଣ୍ଟେନର ମାତ୍ର ଦୁଇଟି ଚାଲୁଛି। ଅନ୍ୟ ତିନିଟି ଅଚଳ ହୋଇଯାଇଛି। ଉଦ୍‌ଘାଟନୀ ଦିନ ‌ଡିଏଭି ପୋଖରୀରେ ୱାଟର ସର୍ଫିଂରେ ମଧ୍ୟ ମଜା ଉଠାଇଲେ ସହରବାସୀ। ଭାବିଥିଲେ ପରବର୍ତ୍ତୀ ସମୟରେ ବୋଟିଂ ମଜା ନେବେ। ଆଜି ପର୍ଯ୍ୟନ୍ତ ବୋଟିଂ ବ୍ୟବସ୍ଥା ମଧ୍ୟ ହୋଇପାରିଲା ନାହିଁ। ସୁରକ୍ଷା ବ୍ୟବସ୍ଥା ଏମିତି ଢ଼ିଲା ଯେ, ଆଗାମୀ ମାସକ ଭିତରେ ଚାରିକଡ ଲଣ୍ଡା ହେବା ଏକପ୍ରକାର ନିଶ୍ଚିତ। ୱାଟର ପାର୍କ ବୁଲି ଆସୁଥିବା ଦର୍ଶକମାନଙ୍କ ପାଇଁ ପ୍ରବେଶ ଦ୍ବାରରେ ଆର୍‌ଏମ୍‌ସି ପକ୍ଷରୁ ଟିକେଟ୍‌ ବ୍ୟବସ୍ଥା କରାଯାଇଛି। ସମ୍ମୁଖ ପାର୍ଶ୍ବ ମୁକୁଳା ପଡ଼ିଛି। ସ୍ଥାନୀୟ ବସ୍ତିବାସିନ୍ଦା ମନଇଚ୍ଛା ୱାର୍ଟର ପାର୍କ ଭିତରକୁ ପଶୁଛନ୍ତି। ଏମାନଙ୍କୁ ବାରଣ କରିବାକୁ ଯେମିତି କେହିନାହାନ୍ତି। ଯଦି ଏବେଠୁ ଡିଏଭି ୱାର୍ଟର ପାର୍କର ସୁରକ୍ଷାକୁ କଡାକଡ଼ି କରା ନଯାଏ, ଦିନ ଆସିବ ପୋଖରୀରୁ ମଧ୍ୟ ୱାର୍ଟର ଫାଉଣ୍ଟେନ ଓ ପୋଖରୀ ଚତୁଃପାର୍ଶ୍ବରେ ଲାଗିଥବା ଲାଇଟ୍‌ଗୁଡ଼ିକୁ ଚୋରି କରି ନେବେ, ଏଥିରେ ସନ୍ଦେହ ନାହିଁ।