୧୯୪୭ ଭାରତ ବିଭାଜନ ଭୟାବହ ସ୍ମୃତି ଦିବସ ପାଳନ

କୋରାପୁଟ: ଧର୍ମ ନାଁରେ ଭାରତ ବିଭାଜନ ପାଇଁ କିଛି ସାମନ୍ତବାଦୀ ମାନସିକତା ରାଜନେତା ଓ ଇଂରେଜମାନେ କରିଥିଲେ ଷଡ଼ଯନ୍ତ୍ର। କେବଳ କିଛି ଦକ୍ଷିଣପନ୍ଥୀ ହିନ୍ଦୁ ଏବଂ କିଛି କଠୋର ମୁସଲମାନ ବିଭାଜନ ଚାହୁଁଥିଲେ। ଉଭୟ ପକ୍ଷର ଅଧିକାଂଶ ହିନ୍ଦୁ ଓ ମୁସଲମାନ ବିଭାଜନ ଚାହୁଁ ନଥିଲେ କହିଛନ୍ତି ଏନ୍ଏଡିର କ୍ୟାପ୍ଟେନ୍ ରଣଧୀର ସିଂହ। ସ୍ଥାନୀୟ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୯୪୭ ଭାରତ ବିଭାଜନ ସମୟରେ ପୀଡ଼ିତ ଓ ଲୋକଙ୍କ ଦୁଃଖକୁ ସ୍ମରଣ କରି ୨୦୨୩ ଅଗଷ୍ଟ ୧୪ ତାରିଖରେ ବିଭାଜନ ଭୟାବହ ସ୍ମୃତି ଦିବସ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଏନ୍ଏଡିର କ୍ୟାପ୍ଟେନ୍ ରଣଧୀର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କାର୍ଯକ୍ରମର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ ଏହି ଦିନ ଆମେ ବିଭାଜନର ଭୟାବହତାରେ ପ୍ରାଣ ହରାଇଥିବା ଏବଂ ବିସ୍ଥାପିତ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କୁ ମନେ ପକାଇବାର ଦିନ। ସରକାରୀ ରେକର୍ଡ ଅନୁଯାୟୀ ସେହି ସମୟରେ ପ୍ରାୟ ୨୦ରୁ ୨୫ ନିୟୁତ ପରିବାର ବିସ୍ଥାପିତ ହୋଇଥିଲେ। ପ୍ରାୟ ୨ରୁ ୨୫ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ବାସ୍ତବରେ ୨୦ରୁ ୨୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ବୋଲି ସେ କହିଥିଲେ।

ଏକାଡେମିକ-ଉପଦେଷ୍ଟା ପ୍ରଫେସର ସୁଧେନ୍ଦୁ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ କୁଳସଚିବ ଓ ବିତ୍ତ ଅଧିକାରୀ ତଥା ଭାଷା ସମୂହ ବିଦ୍ୟାଳୟର ଡିନ୍ ପ୍ରଫେସର ଏନ୍ ସି ପଣ୍ଡା, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଏସ୍ କେ ପାଲିତା ଯୋଗ ଦେଇଥିଲେ। ସମାଜବିଜ୍ଞାନ ବିଭାଗର ମୁଖ୍ୟ ତଥା  ଆସୋସିଏଟ୍ ପ୍ରଫେସର ଡଃ. କପିଳା ଖେମୁଣ୍ଡୁ, ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଭାରତ ବିଭାଜନର ଦୁଖଃଦ ଓ ଭୟାନକ ସ୍ମୃତି ବିଷୟରେ ଆଲୋକପାତ କରିଥିଲେ। ପ୍ରଫେସର ମଣ୍ଡଳ ଭାରତର ସମୃଦ୍ଧ ଅର୍ଥନୈତିକ ଓ ସାମାଜିକ ସଂସ୍କୃତି ଉପରେ ଆଲୋକପାତ କରିଥିଲେ, ଯାହା ଅତୀତରେ ବିଦେଶୀ ଆକ୍ରମଣକାରୀଙ୍କୁ ଆକୃଷ୍ଟ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଦେଶକୁ ଶାସନ କରିଥିଲା। ସେ ଇଂରେଜ ମାନଙ୍କ ଦ୍ୱାରା ବଙ୍ଗଳା ବିଭାଜନ ଏବଂ ୧୯୪୭ ରେ ଭାରତ ବିଭାଜନର ଇତିହାସ ବିଷୟରେ ବର୍ଣନା କରିଥିଲେ। ସେ କହିଥିଲେ ଯେ ‘ଭାରତର ବିଭାଜନ ଭାରତୀୟ ଉପମହାଦେଶ ଇତିହାସରେ ସବୁଠାରୁ ନିର୍ଣ୍ଣାୟକ ଘଟଣା ଥିଲା। କେତେ ଲୋକ ପ୍ରାଣ ହରାଇଛନ୍ତି କିମ୍ବା ଘର ହରାଇଛନ୍ତି ତାହାର ସଠିକ ହିସାବ ନାହିଁ। ସମଗ୍ର ଭାରତୀୟ ଉପମହାଦେଶରେ ପ୍ରାୟ ଏକ ହଜାର ବର୍ଷ ଧରି ବସବାସ କରୁଥିବା ସମ୍ପ୍ରଦାୟମାନେ ସାମ୍ପ୍ରଦାୟିକ ହିଂସାର ଭୟଙ୍କର ପ୍ରକୋପରେ ପରସ୍ପର ଉପରେ ଆକ୍ରମଣ କରିଥିଲେ, ଗୋଟିଏ ପଟେ ହିନ୍ଦୁ ଓ ଶିଖ ଏବଂ ଅନ୍ୟପଟେ ମୁସଲମାନ ମାନେ-ଏକ ପାରସ୍ପରିକ ଗଣହତ୍ୟା ଯେତିକି ଅପ୍ରତ୍ୟାଶିତ ଥିଲା, ସେତିକି ଆକସ୍ମିକ ଥିଲା।

Sambad

ପ୍ରଫେସର ଏସ୍ କେ ପାଲିତା ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ଧର୍ମ ଆଧାରରେ ଭାରତ ଓ ପାକିସ୍ତାନର ଅପ୍ରତ୍ୟାଶିତ ବିଭାଜନ ପରେ ସମଗ୍ର ଦେଶ ଉପରେ ସାମାଜିକ ଓ ସାଂସ୍କୃତିକ ପରିସ୍ଥିତି ଏବଂ ଏହାର ପ୍ରତିଫଳନ ବିଷୟରେ ବକ୍ତବ୍ୟ ରଖିଥିଲେ। ଭାରତ ଏବେ ଏକ ବିକାଶିତ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇଛି ଏବଂ ଏହାର ପ୍ରତିରକ୍ଷା ଜ୍ଞାନକୌଶଳ ଉପରେ ଆତ୍ମନିର୍ଭରଶୀଳ ହୋଇଛି। ପ୍ରଫେସର ଏନ୍ ସି ପଣ୍ଡା ବିଶ୍ୱବିଦ୍ୟାଳୟରେ ଏହି ଦିବସ ପାଳନ କରିବାର ବିଶେଷତ୍ୱ ବିଷୟରେ ଆଲୋକପାତ କରିଥିଲେ। ଇଂରେଜ ମାନଙ୍କର ବିଭାଜିତ ଓ ଶାସନ ନୀତି ପାଇଁ ଅଖଣ୍ଡ ଭାରତ ବିଭାଜିତ ହୋଇଥିଲେ ବୋଲି ସେ କହିଥିଲେ। ବିଭାଜନ ସମୟରେ ଲୋକ ମାନେ ପାକିସ୍ତାନରୁ ଭାରତକୁ ଚାଲି ଆସିଥିଲେ ଏବଂ କିଛି ଲୋକ ଭାରତରୁ ପାକିସ୍ତାନକୁ ଚାଲି ଆସିଥିଲେ ଏବଂ ସେ ପଞ୍ଜାବର ଲୋକଙ୍କ ଅନୁଭୂତିକୁ ବର୍ଣ୍ଣନା କରିଥିଲେ। ବିଶ୍ବବିଦ୍ୟାଳର ଜନସମ୍ପର୍କ ଅଧିକାରୀ ଡଃ. ଫଗୁନାଥ ଭୋଇ, କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଛାତ୍ରୀ ସୁଶ୍ରୀ ସୃଷ୍ଟି ମୁଖାର୍ଜୀ କାର୍ଯ୍ୟକ୍ରମ ଉପସ୍ଥାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଗବେଷକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର