ରାୟଗଡା: ରାୟଗଡା ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ଅନ୍ତର୍ଜାତୀୟ ନିଶାସେବନ ଓ ଅବୈଧ ନିଶାକାରବାର ନିରୋଧ ଦିବସ ପାଳିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି  ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଉପସ୍ଥିତ ରହି ନିଜର ବକ୍ତବ୍ୟରେ ନିଶାଭ୍ୟାସ ଏକ ମାରାତ୍ମକ ରୋଗ ବୋଲି କହିଥିଲେ। ଦୀର୍ଘଦିନ ଧରି ଏହାକୁ ସେବନ କରି ଶାରୀରିକ ଓ ମାନସିକ ସ୍ତରରେ ଏହା ଉପରେ ନିର୍ଭରଶୀଳ ହୋଇ ପଡନ୍ତି ନିଶାଗ୍ରସ୍ତ ରୋଗୀ। ତମାଖୁ, ବିଡ଼ି, ଗୁଟଖା, ସିଗାରେଟ, ଭାଙ୍ଗ, ଗଞ୍ଜେଇ, ମଦ, ଅଫିମ, ଚରସ, ବ୍ରାଉନସୁଗାର, ନରଫିନ, ଟିଜିଯେସିକ ଓ ରାସାୟନିକ ଉପାୟରେ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରକାର ନିଶା ବଟିକା ଓ ଇଞ୍ଜେକ୍ସନ ପ୍ରଭୁତି ନିଶା ସେବନ କରି ପରବର୍ତ୍ତୀ ସମୟରେ ଏହା ଉପରେ ନିର୍ଭରଶୀଳ ହୋଇ ପଡନ୍ତି। ନିଶାଗ୍ରସ୍ତ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତିକୁ ବିପନ୍ନ କରିବା ସହ ମାନସିକ ଭାରସାମ୍ୟ ହରାଇ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ଓ ପାରିବାରିକ ବିଶୃଙ୍ଖଳା ସୃଷ୍ଟି କରିଥାଏ। ନିଶା ଭଳି ଦ୍ରବ୍ୟକୁ ବ୍ୟବହାର କରି ଆଜିକାର ଯୁବ ସମାଜ ପଥ ଭ୍ରଷ୍ଟ ହେଇ ଯାଉଛନ୍ତି। ବିଶେଷ କରି କୁସଙ୍ଗରେ ପଡି ପିଲାମାନେ ନିଶା ସେବନର ଅଭ୍ୟାସକୁ ଛାଡି ପାରୁ ନାହାନ୍ତି।

Advertisment

ତେଣୁ ନିଜେ ନିଶା ଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଦୂରେଇ ରଖିବା ଓ ସମାଜକୁ ଦିଗଦର୍ଶନ ଦେବା ପାଇଁ ସଚେତନତା ସୃଷ୍ଟି କରିବା ନିହାତି ଜରୁରୀ ହୋଇଛି ପଡିଛି ବୋଲି ରାୟଗଡା ଜିଲ୍ଲା ପ୍ରଶାସନ ସୌଜ୍ୟନତାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ଅବକାରୀ ପୁଲିସ ବିଭାଗ ତରଫରୁ ଅନୁଷ୍ଠିତ ନିଶା ଦ୍ରବ୍ୟ ସେବନ ଓ ଅବୈଧ କାରବାର ବିରୋଧୀ ଅନ୍ତର୍ଜାତୀୟ ଦିବସ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ରଖିଛନ୍ତି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା। ରାୟଗଡା ସଦର ଥାନା ଅବକାରୀ ନିରୀକ୍ଷକ ସୀମା କିରଣ ବେଞ୍ଜ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ ବୈଠକରେ ନିଷିଦ୍ଧ ଓ ନିଶ୍ଚେତକ ନିଶା ଦ୍ରବ୍ୟ ସେବନ ପରିତ୍ୟାଗ କରିବା, ନିୟମିତ ନିଶାପନ ଜନିତ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର କ୍ଷତି, ନିଶା ସେବନ କରୁଥିବା ବ୍ୟକ୍ତିର ସାମାଜିକ ଓ ପାରିବାରିକ ସ୍ଥିତି, ନିଶା ରୋଗର ଚିକିତ୍ସା ଓ ନିରାକରଣ ଏବଂ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ବିରୁଦ୍ଧରେ ଜନ ସଚେତନତା ସହ ଏନଡିପିଏସ ଆକ୍ଟର ଧାରା ୪୭ ଓ ୨୦ ସମ୍ବନ୍ଧରେ ବୈଠକରେ ଆଲୋକପାତ କରିଥିଲେ। ସେହିପରି ଅନ୍ୟତମ ଅତିଥି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମମତା ଚୌଧୁରୀ, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ବବିଲତା ସରାଫ, ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଉଦୟ କୁମାର, ଲେଫ୍ଟନାଣ୍ଟ ଏନସିସି ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇ ନିଶା ଠାରୁ ଦୁରେଇ ରହିବା ପାଇଁ ଏବଂ ନିଶା ସ୍ୱାସ୍ଥ୍ୟକୁ ସବୁବେଳେ କ୍ଷତି ହିଁ ପହଞ୍ଚାଇଥାଏ। କେବେ ବି ଲାଭ ଦେଇ ନ ଥାଏ ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ ବୈଠକରେ ପରାମର୍ଶ ଦେଇଥିଲେ।

publive-image Sambad

ଏହି ଅବସରରେ ନିଶା ଠାରୁ ଦୁରେଇ ରହିବା ଓ ଅନ୍ୟଙ୍କୁ ମଧ୍ୟ ଦୁରେଇ ରଖିବାରେ ସଚେତନ କରିବା ଓ ଏକ ସୁସ୍ଥ ସମାଜ ଗଠନ  ପାଇଁ ଦାୟିତ୍ୱବୋଧତା ନେବା ପାଇଁ ଏକ ଶପଥ ପାଠ କରାଯାଇଥିଲା। ନିଶାମୁକ୍ତି ଚିକିତ୍ସା ଓ ପୁନଃସଂସ୍ଥାନ କେନ୍ଦ୍ର ସେବା ଠାରେ ମିଳୁଥିବା ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ଗ୍ରହଣ ସମ୍ବନ୍ଧରେ ଅତିଥି ମାନେ ଗୁରୁତ୍ୱଆରୋପ କରିଥିଲେ। ନିଶା ଦ୍ରବ୍ୟ ସେବନ ଓ ଅବୈଧ କାରବାର ବିରୋଧୀ ଅନ୍ତର୍ଜାତୀୟ ଦିବସ ପାଳନ ଅବସରରେ ଆଜି ସକାଳେ ସ୍ଥାନୀୟ ଗଜପତି ଛକ ଠାରୁ ଏକ ସଚେତନତା ରାଲି ବାହାରି ନଗର ପରିକ୍ରମା କରି ଜିଲ୍ଲା ସଂସ୍କୃତି ଭବନ ଠାରେ ପହଞ୍ଚି ଥିଲା। ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ସଚେତନତା ରାଲିକୁ ଶୁଭାରମ୍ଭ କରିଥିଲେ। ରାୟଗଡା ସ୍ଵଂୟ ଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡଟମାନେ ଏହି ରାଲିରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।