ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ; ଜାନୁଆରି ୨୬ରେ ଗଜପତି ହେବ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ ଜିଲ୍ଲା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଶିଶୁସୁରକ୍ଷା କମିଟି, ଜିଲ୍ଲା ଟାସ୍କ ଫୋର୍ସ-ବାଲ୍ୟବିବାହ ନିରୋଧ, ଜିଲ୍ଲା ଟାସ୍କ ଫୋର୍ସ-ଶିଶୁ ଶ୍ରମିକ ନିରାକରଣ କମିଟିର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗତ କମିଟି ବୈଠକର ଲକ୍ଷ୍ୟସାଧନ ଉପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପୁଙ୍ଖାନୁପୁଙ୍ଖ ଭାବେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ତତ୍‌ସହିତ ଆଗାମୀ ତ୍ରୟମାସିକ (ଜାନୁଆରି ଠାରୁ ମାର୍ଚ୍ଚ)ର କାର୍ଯ୍ୟ ଯୋଜନା ବାବଦରେ ମଧ୍ୟ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ ପ୍ରଥମରୁ ଚତୁର୍ଥ ପର୍ଯ୍ୟାୟରେ ୬୫୬ଟି ଗ୍ରାମ, କାଶୀନଗର ଏନ୍‌ଏସି ଏବଂ କାଶୀନଗର ବ୍ଲକ୍‌କୁ ବାଲ୍ୟବିବାହମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ଆଜି ୫ମ ପର୍ଯ୍ୟାୟରେ ୫୯୪ ଗ୍ରାମକୁ ଜିଲ୍ଲାପାଳ ବାଲ୍ୟବିବାହମୁକ୍ତ ଗ୍ରାମ ଭାବେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୬୧୯ ଗ୍ରାମ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨୫୦ ଗ୍ରାମକୁ ବାଲ୍ୟବିବାହମୁକ୍ତ ଗ୍ରାମ ଘୋଷଣା କରାଯାଇଛି ଓ ଆଗାମୀ ଜାନୁଆରି ୨୬ରେ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟବିବାହମୁକ୍ତ ଗ୍ରାମ ଘୋଷଣା କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି  ହୋଇଛି। ବାକିଥିବା ଗ୍ରାମ ଗୁଡ଼ିକୁ ବାଲ୍ୟବିବାହମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଦରକାର ପଡ଼ିଲେ ବରିଷ୍ଠ ଅଧିକାରୀମାନେ ଯୋଗଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

ଜିଲ୍ଲା ପ୍ରଶାସନର ତତ୍ତ୍ବାବଧାନ‌ରେ ଏସ୍‌ଓ୍‌ଏସ ଗ୍ରାମ ଢାଞ୍ଚାରେ ଜିଲ୍ଲାରେ ଏକ ଶିଶୁଯତ୍ନ ଅନୁଷ୍ଠାନର ରୂପରେଖ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଶିଶୁଯତ୍ନ ଅନୁଷ୍ଠାନମାନଙ୍କରେ ଅନେକ ଶିଶୁ ଆଇନତଃ ମୁକ୍ତ ନ ହୋଇ ପଡ଼ି ରହିଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏଥିପାଇଁ ବର୍ତ୍ତମାନ ନୂଆରେ କାର୍ଯ୍ୟରେ ଯୋଗ ଦେଇଥିବା ଶିଶୁ ମଙ୍ଗଳ ସମିତିକୁ ଅନୁରୋଧ କରାଯାଇଥିଲା ଯେ ଏଗୁଡ଼ିକୁ ପ୍ରାଧାନ୍ୟ ଦେଇ ଶିଶୁମାନେ କିପରି ପୋଷ୍ୟସନ୍ତାନ ଭାବେ ତାଙ୍କର ପିତାମାତାକୁ ପାଇବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବେ। ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଆଗାମୀ ଦିନରେ ଜିଲ୍ଲାକୁ କିପରି ବାଲ୍ୟବିବାହମୁକ୍ତ ଏବଂ ଅପହଞ୍ଚ ଅଞ୍ଚଳରେ ଶିଶୁ ସୁରକ୍ଷାର ବାର୍ତ୍ତା କିପରି ପହଞ୍ଚିବ ତାହାରି ଉପରେ ଧ୍ୟାନ ଦେବା ଲାଗି ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏସ୍‌ପି (ଏଚ୍ଆର୍‌ପିସି) କୈଳାସ ଚନ୍ଦ୍ର ବୁରୁଦା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତି ଦେଇ, ସମସ୍ତ ବ୍ଲକ୍‌ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ସମସ୍ତ ଚାଇଲ୍‌ଡଲାଇନ୍‌ର କର୍ମକର୍ତ୍ତା, ଆକ୍ସନ୍‌ ଏଡ଼୍‌ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ପ୍ରମୁଖ କାର୍ୟ୍ୟକ୍ରମରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର