ଭୁବନେଶ୍ବର: କୁହାଯାଏ, ଇଂରେଜ ଶାସନ ସମୟରେ ବା ତା’ପୂର୍ବରୁ ହିଁ ଭାରତରେ ସୁନ୍ଦର କୋଠାବାଡ଼ି ତିଆରି ହୋଇଥିଲା। ଦେଶ ସ୍ବାଧୀନ ହେବାପରେ ତିଆରି ହେଉଥିବା ସରକାରୀ କୋଠାଗୁଡ଼ିକ କେବଳ କାମଚଳା ଶୈଳୀରେ ତିଆରି ହେଉଛି ବୋଲି ସ୍ଥାପତ୍ୟ ବିଶାରଦମାନେ ଅଭିଯୋଗ କରନ୍ତି। ଭୁବନେଶ୍ବରରେ ତିଆରି ହୋଇଥିବା ବିଭିନ୍ନ ବଡ଼ ସରକାରୀ କୋଠା ମଧ୍ୟ ଏହି କାମଚଳା ଶ୍ରେଣୀରେ ଯିବ। ତେବେ ଯେଉଁ ବିଭାଗଠାରୁ କଳାତ୍ମକ ଗୁଣ ସାଧାରଣରେ ଆଶା କରା ଯାଏନାହିଁ, ସେହି ବିଭାଗ ଅନ୍ତତଃ କୋଠା ନିର୍ମାଣ ମାମଲାରେ ନିଜ କଳାଅନୁରାଗ ପ୍ରମାଣିତ କରି ଚାଲିଛି। ତା’ ହେଉଛି ପୁଲିସ ବିଭାଗ। ଦିନକୁ ଦିନ ଭୁବନେଶ୍ବର ସହରର ଆକାର ଓ ରୂପରେଖ ବଦଳୁଛି। ସ୍ମାର୍ଟ ସିଟିରେ ସରକାର ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ନୂଆ ରୂପ ଦେଉଛନ୍ତି। ତେଣୁ ସହରର ପ୍ରବେଶ ପଥରେ ଥିବା ରାଜଧାନୀର ‘ସୁରକ୍ଷା କବଚ’ କୁହାଯାଉଥିବା ଡିସିପି କାର୍ଯ୍ୟାଳୟ ମଧ୍ୟ ନୂଆରୂପ ନେବାକୁ ଯାଉଛି। ସହରର ଏହି ପ୍ରମୁଖ କାର୍ଯ୍ୟାଳୟକୁ ଏପରି ଭାବେ ଗଢ଼ା ଯାଉଛି ଯେ ତାହା ପୁଲିସକୁ କେବଳ ଏକ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇ ଦେବନି, ବରଂ ସହରର ଅନ୍ୟତମ ଆକର୍ଷଣୀୟ ସରକାରୀ ଅଟ୍ଟାଳିକା ଭାବେ ପରିଚିତ ହେବ।
ଡିସିପି କାର୍ଯ୍ୟାଳୟ କ୍ୟାମ୍ପସର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଏକାଧିକ କୋଠା କି କାର୍ଯ୍ୟାଳୟ ଆଉ ରହିବ ନାହିଁ। ଏବେ ଥିବା ଡିସିପିଙ୍କ କୋର୍ଟଠାରୁ ଆରମ୍ଭ କରି ସ୍ପେସାଲ ସ୍କ୍ବାର୍ଡ, ଲାଇସେନ୍ସ ସେଲ୍ କି ପୁରୁଣା ଡିସିପି କାର୍ଯ୍ୟାଳୟକୁ ଆଉ ବେଶି ଦିନ ଦେଖିବାକୁ ମିଳିବ ନାହିଁ। ଗୋଟିଏ ଛାତ ତଳେ ଏସବୁ କାର୍ଯ୍ୟାଳୟ ରହିବ। ଖୁବ୍ଶୀଘ୍ର କ୍ୟାମ୍ପସରେ ଥିବା କୋଠାଗୁଡ଼ିକ ଭାଙ୍ଗି ମାଟିରେ ମିଶାଯିବ। ପାଖାପାଖି ୨୫ ହଜାର ବର୍ଗଫୁଟ୍ ଜାଗାରେ ନିର୍ମାଣ ହେବ ଅତ୍ୟାଧୁନିକ ୩ ମହଲା କୋଠା। ଗ୍ରାଉଣ୍ଡ ଫ୍ଲୋର୍କୁ ପାର୍କିଂ ଭାବେ ବ୍ୟବହାର କରାଯିବ। ତୃତୀୟ ମହଲାରେ ଡିସିପିଙ୍କ କାର୍ଯ୍ୟାଳୟ ସାଙ୍ଗକୁ କୋର୍ଟ ରହିବ। ଦ୍ବିତୀୟ ମହଲାରେ ସ୍ପେସାଲ ସ୍କ୍ବାର୍ଡ ଭଳି ଗୁରୁତ୍ବପୂର୍ଣ୍ଣ ୱିଙ୍ଗ୍ ରହିବ। ସେହିପରି ଏହି କୋଠା ଭିତରକୁ କ୍ୟାମ୍ପସରେ ଥିବା ଅନ୍ୟ ସମସ୍ତ ଛୋଟ ବଡ଼ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯିବ। ଏଥିରେ ଏକ କେଣ୍ଟ୍ରାଲ୍ ରୁମ୍, ଦୁଇଟି କନ୍ଫରେନ୍ସ ହଲ, କ୍ୟାଣ୍ଟିନ, ଲାଇବ୍ରେରି ମଧ୍ୟ ରହିବ। ଏଥିପାଇଁ ମୋଟ୍ ୯କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୧୨ମାସ ମଧ୍ୟରେ ନିର୍ମାଣ କାମ ଶେଷ କରିବାପାଇଁ ରାଜ୍ୟ ପୁଲିସ ହାଉିସଂ ୱେଲ୍ଫେୟାର କର୍ପୋରେସନ୍କୁ ଦାୟତ୍ବ ଦିଆଯାଇଛି।
ପୂର୍ବରୁ କମିସନରେଟ୍ ପୁଲିସ ମୁଖ୍ୟାଳୟର ଆକର୍ଷଣୀୟ କୋଠାକୁ ନେଇ କେବଳ ରାଜଧାନୀ ନୁହେଁ, ସାରା ରାଜ୍ୟରେ ଚର୍ଚ୍ଚା ହେଉଛି। କମିସନରେଟ୍ ମୁଖ୍ୟାଳୟ ପରେ ଏବେ ନୂଆରୂପ ନେବାକୁ ଯାଉଥିବା ଡିସିପିଙ୍କ କାର୍ଯ୍ୟାଳୟ ମଧ୍ୟ ଚର୍ଚ୍ଚାରେ ରହିବା ସହିତ ସହରର ସୌନ୍ଦର୍ଯ୍ୟକୁ ବଢ଼ାଇବ ବୋଲି ଆଶା କରାଯାଏ।