ଡିଡାୟୀ ସଂଘ ତରଫରୁ ଡିଡାୟୀ କାର୍ଯ୍ୟାଳୟ ଘେରାଉ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଠାରେ ରହିଥିବା ଡିଡାୟୀ କାର୍ଯ୍ୟାଳୟକୁ ଆଜି ଡିଡାୟୀ ସଂଘ ତରଫରୁ ଡିଡାୟୀ ଯୁବକଯୁବତୀଙ୍କୁ ଡିଡାୟୀ କାର୍ଯ୍ୟାଳୟରେ ନିଯୁକ୍ତି ନଦେଇ ଅନ୍ୟମାନଙ୍କୁ ନିଯୁକ୍ତି ଦେଇଥିବାରୁ ଘେରାଉ କରାଯାଇଛି। ସୂଚନାଯୋଗ୍ୟ ଯେ, ଡିଡାୟୀ କାର୍ଯ୍ୟାଳୟରେ ୪ଟି ପୋଷଣ ସହାୟକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା। ତେବେ ଡିଡାୟୀ ସଂପ୍ରଦାୟର ଯୁବକଯୁବତୀ ସମେତ ବାହାରର ମଧ୍ୟ ପିଲାମାନେ ଏହି ପଦବୀ ପାଇଁ ଆବେଦନ କରିଥିଲେ। ତେବେ ଆଜି ହୋଇଥିବା ଇଣ୍ଟରଭ୍ୟୁରେ ଡିଡାୟୀ ପିଲା ବଦଳରେ ବାହାର ପିଲାଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଏହାକୁ ବିରୋଧ କରି କେବଳ ଡିଡାୟୀ ସଂପ୍ରଦାୟର ପିଲାଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରାଯାଇଥିଲା। ଏହି ନିଯୁକ୍ତି ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା ସହ କେବଳ ଡିଡାୟୀ ସଂପ୍ରଦାୟର ପିଲାଙ୍କୁ ହିଁ ଏହି କାର୍ଯ୍ୟାଳୟରେ ନିଯୁକ୍ତି ଦେବା ପାଇଁ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାର ସଂରକ୍ଷଣ କରନ୍ତୁ ବୋଲି ଦାବି କରାଯାଇଛି। ଯେତେ ଦିନ ପର୍ଯ୍ୟନ୍ତ ସରକାର ଏହି ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାଁନ୍ତି, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ସଂପାଦକ ସମରା ଶିଶା ପ୍ରକାଶ କରିଛନ୍ତି। ବଣ୍ଡା ଭଳି ଡିଡାୟୀ ମଧ୍ୟ ଆଦିମ ଜନଜାତି। ଏହି ଜନଜାତିର ଉନ୍ନତି ପାଇଁ ଡିଡାୟୀ ଉନ୍ନୟନ ସଂସ୍ଥା ଖୋଲା ଯାଇଛି। ତେବେ ଏହି ଜନଜାତିର ପିଲାଙ୍କ ଭବିଷ୍ୟତ ଉଜ୍ବଳ ପାଇଁ ଏହି ସଂସ୍ଥା କାମ କରିବା ଦରକାର ବୋଲି କୁହାଯାଇଛି।

ତେବେ ସ୍ଥାନୀୟ ଡିଡାୟୀ କାର୍ଯ୍ୟାଳୟର ସ୍ବତନ୍ତ୍ର ଅଧିକାରୀ ଆଶିଷ କୁମାର ଭୋଇ ପ୍ରକାଶ କରିଛନ୍ତି ଯେ ସରକାରଙ୍କର ନୀତିନିୟମ ଅନୁଯାୟୀ ଆଜି ଇଣ୍ଟରଭ୍ୟୁ ଡକାଯାଇଛି। କିନ୍ତୁ ଅଭିଜ୍ଞତା ଏବଂ ପ୍ରମାଣ ପତ୍ର ନଥିବାରୁ ବହୁ ପିଲାଙ୍କ ଆବେଦନକୁ ଖାରଜ କରାଯାଇଛି। ଡିଡାୟୀ ଯୁବ ସମାଜ ତରଫରୁ ଡିଡାୟୀ ଲୋକଙ୍କୁ ନିଯୁକ୍ତି ସମ୍ବଳିତ ଏକ ଦାବିପତ୍ର ସେ ପାଇଛନ୍ତି। ଯାହାକୁ ସେ ଜିଲ୍ଲା ପ୍ରଶାସନ ଅବଗତି ନିମନ୍ତେ ପ୍ରେରଣ କରିଛନ୍ତି। ବର୍ତ୍ତମାନ ବି ଡିଡାୟୀ ଯୁବ ସମାଜ ଡିଡାୟୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ନିଜ ଜିଦରେ ଅଟଳ ରହିଛନ୍ତି। ତେବେ ଜିଲ୍ଲା ପ୍ରଶାସନ କି ନିଷ୍ପତ୍ତି ନେଉଛି ଦେଖିବାକୁ ବାକି ରହିଲା। ସେହିପରି ବଣ୍ଡା ଉନ୍ନୟନ ସମିତିରେ ମଧ୍ୟ ବଣ୍ଡା ପିଲାଙ୍କୁ ନିଯୁକ୍ତି ନଦେଇ ବାହାର ପିଲାଙ୍କୁ ନିଯୁକ୍ତି ଦିଆଯାଇଥିବା ସେଠାରେ ମଧ୍ୟ ବଣ୍ଡା ଯୁବକମାନେ ଧାରଣା ଦେଇଥିଲେ।ତେବେ ଏହାକୁ କିନ୍ତୁ ଆପୋଷ ବୁଝାମଣାରେ ସମାଧାନ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର