ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଇକ୍‌ରେ ବୁହାହେଲା ମୃତଦେହ, ଉତ୍ତେଜନା ପରେ ତତ୍ପରତା ଦେଖାଇଲେ ମେଡିକାଲ ଅଧିକାରୀ

ଘୁ.ଉଦୟଗିରି(ସମୀର କୁମାର ପାଢ଼ୀ): ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ପରେ ଗାଡି ନ ମିଳିବାରୁ ପୁଅ ନିଜ ଗାଁ ଲୋକଙ୍କୁ ଡାକି ବାଇକରେ ମୃତଦେହକୁ ନେଉଥିବା ବେଳେ ରାସ୍ତାରେ ମେଡ଼ିକାଲ ଅଫିସର ଶକ୍ତିକାନ୍ତ ମଲିକ ଏବଂ ସ୍ଥାନୀୟ ମେଡ଼ିକାଲର କିଛି କର୍ମଚାରୀ ଅଟକାଇଛନ୍ତି। ରାସ୍ତାରେ ଏଭଳି ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା।

ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ଥିଲା ଯେ, ପାଖରେ ମହାପ୍ରୟାଣ ଗାଡି ଖତ ଖାଉଛି। ଏପଟେ ବାଇକରେ ମୃତଦେହ ବୁହା ହେଉଛି। ଡାକ୍ତରଖାନା କର୍ତ୍ତୃପକ୍ଷ କଣ କରୁଛନ୍ତି? ଖବର ପାଇ ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜିତ କୁମାର ମୁନୀ ପହଞ୍ଚି ଘଟଣା ବିଷୟରେ ଅବଗତ ହେବା ସହ ଉତ୍ତେଜିତ ଲୋକଙ୍କୁ ବୁଝାଇଥିଲେ।

ବାଇକରେ ଶବ ବୁହା ଘଟଣା ଖବରକାଗଜରେ ବାହାରିଲେ ନିଜ ଚାକିରୀ ଉପରେ ଆଞ୍ଚ ଆସିଯିବ। ଏଣୁ ମେଡ଼ିକାଲ ଅଫିସର ତତ୍ପରତା ଦେଖେଇ କିଛି ସମୟ ପରେ ଡାକ୍ତରଖାନାରେ ଥିବା ଆମ୍ବୁଲାନ୍‌ସ ଡାକି ମୃତଦେହକୁ ନେଇଯିବା ବ୍ୟବସ୍ଥା କରିଥିଲେ। ହେଲେ ମୃତଦେହକୁ ଆମ୍ବୁଲାନ୍‌ସରେ ନେବାକୁ ଘର ଲୋକ ରାଜି ହେଉନଥିଲେ। କାରଣ ସକାଳେ ନିଜମାକୁ ଧରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ କତିଙ୍ଗିଆ ଗ୍ରାମର ରାମାନନ୍ଦ ପ୍ରଧାନ।

୬୫ ବର୍ଷୀୟ ସେବତୀ ପ୍ରଧାନଙ୍କର ବାନ୍ତି ହେଉଥିଲା। ତାଙ୍କୁ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଆସି ସେବତୀଙ୍କୁ ଦେଖି ସାଲାଇନ ଇଂଜେକସନ ଦେଇ ଚିକିତ୍ସା କରିଥିଲେ। କିଛି ସମୟ ପରେ ସେବତୀଙ୍କ ଅସୁସ୍ଥ ହେବା ପରେ ପୁଣି ଡାକ୍ତରଙ୍କୁ ଖୋଜା ପଡିଥିଲା । ହେଲେ ସେହି ସମୟରେ ଡାକ୍ତର ନଥିଲେ । କିଛି ସମୟ ପରେ ଡାକ୍ତର ଆସି ଦେଖିଲା ବେଳକୁ ସେବତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ଡାକ୍ତରଖାନାରରେ କିଛି ସମୟ ଉତ୍ତେଜନା ଦେଖା ଦେଇଥିଲା।

ସମ୍ବନ୍ଧିତ ଖବର