ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର କଳାହାଣ୍ଡି ସାହିର ଜଣେ ବ୍ୟକ୍ତି ଗତ ଦୁଇ ଦିନ ତଳେ ନଦୀରେ ଭାସାଯାଇ ନିଖୋଜ ହୋଇଥିଲେ। ଆଜି ତାଂକର ଶବ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ଘଟଣା ଅନୁଯାୟୀ ଗତ ୫ ତାରିଖ ଦିନ କଳାହାଣ୍ଡି ସାହିର ଶୈଳ ଠାକୁର ନିଜର ପଡୋଶୀଙ୍କ ଦଶାହ କାର୍ଯ୍ୟରେ ସିଲେରୁ ନଦୀର ଦୋରାଗୁଡା ଘାଟକୁ ଯାଇଥିଲେ। ଗାଧୋଉଥିବା ସମୟରେ ପ୍ରଖର ସ୍ରୋତରେ ସେ ନଦୀରେ ଭାସିଯାଇଥିଲେ।

Advertisment

ପରିବାର ଲୋକେ ଏବଂ ସ୍ଥାନୀୟ ଲୋକ ଡଂଗା ସାହାଯ୍ୟରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଂକର କୌଣସି ପତ୍ତା ମିଳିନଥିଲା। ଗତ ଦୁଇ ଦିନ ଧରି ପୁଲିସ ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ, ଏସଆଇ ରାଜେନ୍ଦ୍ର ପାଙ୍ଗି ସମେତ ଅଗ୍ନିଶମ ବିଭାଗ ଓ ଓଡ୍ରାଭ ଟିମ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଶୈଳଙ୍କର କୌଣସି ପତ୍ତା ମିଳିପାରିନଥିଲା। ଆଜି ସକାଳେ ଶୈଳଙ୍କର ଶବ ନଦୀ ଘାଟରୁ କିଛି ଦୂରରେ ଭାସୁଥିବା ଦେଖି ଲୋକେ ପୁଲିସ ଏବଂ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ କରାଇଛି। ଶୈଳ ଚିତ୍ରକୋଣ୍ଡା ଅଂଚଳର ଜଣେ ରାଜମିସ୍ତ୍ରୀ ଭାବେ ବେଶ ପରିଚିତ।