ପାଇଖାନାରୁ ନବବଧୂର ମୃତଦେହ ଉଦ୍ଧାର; ବାପ ଘର ଆଣିଲେ ଯୌତୁକଜନିତ ହତ୍ୟା ଅଭିଯୋଗ

ବାଲିକୁଦା/ମାଛଗାଁ: ବାଲିକୁଦା ଥାନା ଅଧୀନ ଗରାମ ପଞ୍ଚାୟତ ଚଅଁରପୁର ଗାଁରେ ଆଜି ନବବଧୂ ଅନିତା ସାବତ(୨୩)ଙ୍କ ମୃତ ଦେହ ଘର ପାଇଖାନା ଘରୁ ଉଦ୍ଧାର କରାଯାଇଛି। ଏହି ମୃତ୍ୟୁ ସନ୍ଦେହଜନକ ହୋଇଥିବା ବେଳେ  ଶାଶୂଘର ଲୋକେ ଆତ୍ମହତ୍ୟା ବୋଲି କହୁଛନ୍ତି। ଅନ୍ୟପକ୍ଷରେ ନବବଧୂ ଅନିତାଙ୍କ ପରିବାର ଲୋକେ ଯୌତୁକ ପାଇଁ ତାଙ୍କୁ ଯୋାଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଜଗତସିଂହପୁରରୁ ଡି.ଏସ୍‌ପି ସତ୍ୟ ନାରାୟଣ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ କରୁଛନ୍ତି।

ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ, ଥାନାଧିକାରୀ ଦିଲୀପ ସାହୁ, ଏସ୍‌ଆଇ ଚିରଞ୍ଜୀବ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଆଜି ବଡ଼ି ଭୋର୍‌ରୁ ଏହି ଘଟଣା ଘଟିଛି। ଉକ୍ତ ଗାଁର ବନବିହାରୀ ଜେନାଙ୍କ ଏକମାତ୍ର ବୋହୂ ଶାଢି ପଣତକୁ ବେକରେ ଛନ୍ଦି ଗାଧୁଆଘରେ ଆତ୍ମହତ୍ୟା କରିଥିବା କଥା ପ୍ରଚାର ହୋଇଥିଲା। ଖବର ପାଇ ଝିଅ ବାପଘର ଲୋକେ ସେଠାରେ ପହଞ୍ଚିଥିଲେ। ସାଇଣ୍ଟିଫିକ୍‌ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରିଛନ୍ତି। ସୂଚନା ମୁତାବକ ଗତ ଫେବୃଆରୀ ୨୧ ତାରିଖରେ ଜଗତସିଂହପୁର ଥାନା ପଟସରା ଗାଁର ଅରବିନ୍ଦ ସାବତଙ୍କ ଝିଅ ପିଙ୍କି ଓରଫ୍ ଅନିତା ସାବତ (୨୧) ଚଅଁରପୁର ଗାଁର ଶ୍ରୀ ଜେନାଙ୍କ ପୁଅ ବାବୁ ଓରଫ୍ ଚନ୍ଦନ ଶେଖର ଜେନା(୩୬)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।

ବିବାହ ସମୟରେ ପୁଅ ଘର ପକ୍ଷରୁ ଦାବି ମୁତାବକ ୫ ଲକ୍ଷ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଦାମୀ ଆସବାବପତ୍ର ଦିଆ ଯାଇଥିଲା। ତେବେ ଏହି ସମୟ ମଧ୍ୟରେ ଅଧିକ ଯୌତୁକ ଆଣିବାକୁ ବୋହୂ ଉପରେ ଚାପ ପକାଯାଉଥିବା ନେଇ ପିଙ୍କିି କୁଆଡ଼େ ତାଙ୍କ ବାପାଙ୍କୁ କହିଥିଲେ। ସ୍ବାମୀ ବାବୁ ଭୁବନେଶ୍ବରରେ ରହି କୌଣସି ଏକ ଦାମୀ ରଙ୍ଗ କମ୍ପାନିର ଉଚ୍ଚ ପଦସ୍ଥ ଅଧିକାରୀ ଭାବେ ଚାକିରି କରୁଥିଲେ। ସେ ଗତକାଲି ରାତିରେ ଘରକୁ ଆସିଥିଲେ। ଆଜି ସକାଳ ୬ ଟାରେ ବୋହୂ ପିଙ୍କିର ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ନାନା ସନ୍ଦେହ ସୃଷ୍ଟି ହୋଇଥିଲା। ଗାଧୁଆ ଘରଟି ବହୁତ ନିଚ୍ଚା ହୋଇଥିବା ବେଳେ ଓ ଘରର ଛାତକୁ ହାତ ପାଉଥିବାରୁ ଉକ୍ତ ଘରେ କେହି ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ସମ୍ଭବ ନୁହଁ ବୋଲି ପ୍ରତ୍ୟକ୍ଷଦର୍ଶୀ ମତ ରଖିଥିଲେ। ଏଣେ ଘଟଣା ସ୍ଥଳରେ ପହଞ୍ଚିଥିବା ପିଙ୍କିଙ୍କ ବାପା ବାପା ଅରବିନ୍ଦ ଝିଅକୁ ହତ୍ୟା କରାଯାଇଥିବା ନେଇ ବାଲିକୁଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ବାଲିକୁଦା ଥାନା କେସ୍‌ ନଂ ୨୬୯/୨୧ରେ ଦଫା ୩୦୨/୩୦୪ରେ ଏକ ମାମଲା ରୁଜୁ କରିଛିି। ଶାଶୂ ମଞ୍ଜୁଲତା, ଶ୍ବଶୁର ବନ ବିହାରୀ ଓ ସ୍ବାମୀ ଚନ୍ଦନକୁ ଥାନାକୁ ଅଟକ ରଖି ପଚରାଉଚରା ଚଳାଇଛି। ପିଙ୍କିଙ୍କ ସମସ୍ତ ଯୌତୁକ ସାମଗ୍ରୀ ଜବତ କରାଯାଇ ବାପଘରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର