ରାହାମାରେ ଚାଞ୍ଚଲ୍ୟ: ହାଟ ପୋଲ ନିକଟରେ ଗଳିତ ଶବ ଉଦ୍ଧାର

ନିଖୋଜ ପୁଅକୁ ହତ୍ୟା ଅଭିଯୋଗ

ତିର୍ତୋଲ/ରାହାମା: ‘ମୋ ପୁଅକୁ ମାରି ଦିଆଯାଇଛି। ପୂର୍ବରୁ ଏମିତି ସନ୍ଦେହରେ ଥିଲି। ଆଜି ପୁଅର ମୃତଦେହ ଦେଖି ଜାଣୁଛି ସେହି ରାକ୍ଷସୀ ହିଁ ପୁଅକୁ ମାରିଛି’। ଏମିତି କହି ଭୋ ଭୋ ହୋଇ କାନ୍ଦୁଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦାଳୋ ନିକଟ ଛକନା ଗ୍ରାମର ଜ୍ଞାନ ରଞ୍ଜନ ମହାନ୍ତି। ରାହାମା ନିକଟ ତାଳଦଣ୍ଡା ମୁଖ୍ୟ କେନାଲ ପୋଲ ନିକଟରୁ ଏକ ଗଳିତ ଶବଟି ଥିଲା ବିଶ୍ବରଂଜନ ମହାନ୍ତିଙ୍କର। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦାଳୋ ନିକଟ ଛକନା ଗ୍ରାମରେ ବୋଲି ଜଣାପଡ଼ିଛି। କେନାଲରୁ ଶବ ଉଦ୍ଧାର ମିଳିବା ଘଟଣା ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଶହଶହ ଲୋକଙ୍କ ଭିଡ଼ ଜମି ଯାଇଥିଲା। ସ୍ଥାନୀୟ ବ୍ୟବସାୟୀ ସୁବାସ ସ୍ୱାଇଁ ତାଙ୍କ ଦୋକାନ ନିକଟ କେନାଲରୁ ଦୁର୍ଗନ୍ଧ ବାହାରିବାରୁ କିଛି ଲୋକ ଲଗାଇ କେନାଲ ସଫା କରିବା ସମୟରେ ଗଳିତ ମୃତ ଦେହଟି ଦେଖିବାକୁ ପାଇଥିଲେ। ତୁରନ୍ତ ସେ ତିର୍ତ୍ତୋଲ ଥାନାକୁ ଜଣାଇବା ପରେ ଥାନା ଅଧିକାରୀ ଭାବଗ୍ରାହୀ ରାଉତ ଘଟଣା ସ୍ଥଳରେ ପହଞ୍ଚି ଶବକୁ କୂଳକୁ ଆଣିବାର ବ୍ୟବସ୍ଥା କରିଥିଲେ।

ମୃତକ ବ୍ୟକ୍ତିଙ୍କ ପକେଟରୁ ମନିପର୍ସ, ଆଧାର କାର୍ଡ଼, କିଛି ଟଙ୍କା ଓ ଏକ ଅଧା ବିଦେଶୀ ମଦ ଥିବା ବୋତଲ ଜବତ କରିଥିଲା। ଆଧାରକାର୍ଡ଼ରୁ ପରିଚୟ ପାଇ ତାଙ୍କ ଘର ଲୋକଙ୍କୁ ଖବର ଦିଆଯାଇଥିଲା। ବିଶ୍ବରଞ୍ଜନ ଏଠାରେ ଇନ୍‌ଭର୍ଟର୍‌ ମେକାନିକ୍‌ ଭାବେ କାମ କରୁଥିଲେ। ୭ ବର୍ଷ ପୂର୍ବରୁ ସେ ମହାରାଷ୍ଟ୍ର ଚାଲିଯାଇଥିଲେ। ୧୧ ତାରିଖ ଦିନ ମହାରାଷ୍ଟ୍ରରୁ ଫେରିବା ବାଟରେ ମଣିଜଙ୍ଗାରୁ ନିଖୋଜ ହୋଇଥିଲେ ବୋଲି ପ୍ରଜ୍ଞା ପରମିତା ଥାନାରେ ଜଣାଇଥିଲେ। ତେଣୁ ତାଙ୍କ ମୃତ୍ୟୁ ପଛରେ ଏକାଧିକ ପ୍ରଶ୍ନ ଉଙ୍କି ମାରୁଛି। ବିଶ୍ବରଞ୍ଜନଙ୍କ ସହିତ ତାଙ୍କ ସ୍ତ୍ରୀ ପ୍ରଜ୍ଞା ପରମିତା ମହାରାଷ୍ଟ୍ର ନ ଯିବା ଓ ନିଜ ଶାଶୂ ଘରେ ନରହି ମଣିଜଙ୍ଗାରେ ଏକାକି ଘରଭଡ଼ା ନେଇ କାହିଁକି ରହୁଥିଲେ? ବିଶ୍ବରଞ୍ଜନ ମହାରାଷ୍ଟ୍ରରୁ ଫେରି ମଣିଜଙ୍ଗା ସ୍ଥିତ ଭଡ଼ା ଘରକୁ ଯାଇଥିବା କେତେକ କହୁଛନ୍ତି। ବିଶ୍ବରଞ୍ଜନ ସ୍ତ୍ରୀଙ୍କୁ ଦେଖାକରି ନିଜ ଗାଁ ଛକନାକୁ ସଙ୍ଗେ ସଙ୍ଗେ କାହିଁକି ଓ କାହା ସାଙ୍ଗରେ ଯାଇଥିଲେ ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ୍‌। ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର